Unknown

 

 

 

 

 

 

 

 

 

କଳାହାଣ୍ଡି ଭ୍ରମଣ

ଚିନ୍ତାମଣି ମହାନ୍ତି

 

[୨୧।୧୧।୧୯୩୭]

 

ଉତ୍କଳ ତ୍ରିଦିତର ଅମରାବତୀ କଳାହାଣ୍ଡି ରାଜଧାନୀର ଶୋଭା-ପ୍ରଶଂସା ମୁଁ ବହୁଦିନରୁ ଶୁଣି ଆସୁଥିଲି; ମାତ୍ର କଳାହାଣ୍ଡି-ଦର୍ଶନ ମୋ ଭାଗ୍ୟରେ ଘଟି ନ ଥିଲା । ନଭେମ୍ୱର ମାସରେ ସେଠାକୁ ଯିବା ପାଇଁ କଳାହାଣ୍ଡିର ସ୍ୱନାମଧନ୍ୟ ମହାରାଜା ମହୋଦୟଙ୍କୁ ଏବଂ ତାଙ୍କ ସୁଯୋଗ୍ୟ ଦେବାନ ଶ୍ରିଯୁକ୍ତ ବିନୋଦ ବିହାରୀ ମହାନ୍ତି ବି.ଏଲ୍‌. ମହାଶୟଙ୍କୁ ମୁଁ ପତ୍ର ଲେଖିଲି । ଯିବା ଦିନ ସ୍ଥିର ହେଲା । ତହୁଁ ନଭେମ୍ୱର ୨୧ ତାରିଖ ରାତିରେ ମୁଁ ମୋର ଚିରସହରର ଶ୍ରୀମାନ୍‌ ସୋମନାଥକୁ ସଙ୍ଗରେ ନେଇ ‘‘ପ୍ରବାସେ ତ୍ରିବିକ୍ରମ’’ ସ୍ମରଣପୂର୍ବକ କଳାହାଣ୍ଡି ଅଭିମୁଖର ଯାତ୍ରା କଲି । ଜଣେ ଚାକର ମଧ୍ୟ ସଙ୍ଗରେ ଗଲା । ଆମ୍ଭେମାନେ ଭଦ୍ରଖ ଷ୍ଟେସନରୁ ଡାକଗାଡ଼ିରେ ଗଲୁଁ । ସେଦିନ କାଉଁଳିଆ ପାଗ ହେତୁ ଶୁକ୍ଳା ରଜନୀରେ ସୁଦ୍ଧା ପ୍ରକୃତି ଦୀନହାସ୍ୟ ପରି ମଳିନ ଦୁଶୁଥିଲା । ରେଲଗାଡ଼ି ଷ୍ଟେସନ ପରେ ଷ୍ଟସନ ଅତିକ୍ରମ କରି ଚାଲିଥାଏ । ପଥ ମଧ୍ୟରେ ପ୍ରଭାତ ହେଲା । ସକାଳ ୭ଟାବେଳେ ଗାଡ଼ି ରମ୍ଭା ଷ୍ଟେସନରେ ପହଞ୍ଚିଲା । ନବୋତ୍କଳ ପ୍ରଦେଶର ପ୍ରଥମ ଲାଟ ମହାମତି ହବାକ୍‌ସାହେବ ମହୋଦୟ ଦକ୍ଷିଣ ଗସ୍ତରୁ ଫେରିଆସି ସେଦିନ ରମ୍ଭାରେ ଅବସ୍ଥାନ କରୁଥିଲେ । ସେ ଦିନ ୧୦ଘଣ୍ଟା ସମୟରେ ତାଙ୍କର ପୁରୀ ବାହୁଡ଼ିଯିବାର କଥା ଥିଲା । ତାଙ୍କର ସୁସଜ୍ଜିତ ଟ୍ରେନଖଣ୍ଡି ପ୍ରଭୁଙ୍କ ଅପେକ୍ଷାରେ ଷ୍ଟେସନରେ ଥିବାର ଦେଖିଲି । ସେହିଠାରୁ ବର୍ଷା ଆରମ୍ଭ ହେଲା । ଏହି ବର୍ଷା ନୂଆପଡ଼ା ପର୍ଯ୍ୟନ୍ତ ଲାଗିଥାଏ । ଦୁଇ ପାଖରେ ଶସ୍ୟକ୍ଷେତ୍ର । ଧାନଗଛ ଗୁଡ଼ିକ ପକ୍ୱଫଳ-ଭାର-ଆନତ ହୋଇ ମାତୃପାଦ ତଳେ ସନ୍ତାନ ସାଷ୍ଟାଙ୍ଗ ପ୍ରଣାମ କଲା ପରି ବସୁମତୀ ପୟରରେ ଲୋଟି ପଡ଼ିଥାଆନ୍ତି । ପକ୍ୱଧାନ ଛିଞ୍ଚାରେ ବର୍ଷା ବାରିବିନ୍ଦୁ ସଞ୍ଚିତ ରହି ସୁନାକଣ୍ଠୀରେ ମୁକ୍ତା ଗୁନ୍ଥାହେଲା ପ୍ରାୟ ସୁନ୍ଦର ଦିଶୁଥାଏ । ଦାତ୍ରହସ୍ତ କୃଷକର ଆନନ୍ଦ ସଙ୍ଗୀତର ମଧୁର ମୂର୍ଚ୍ଛନା ବାୟୁଲହରୀରେ ଭାସିଆସୁଥାଏ । ଆଶା ସଫଳ ହେଲେ ଆଶାୟୀ କଣ୍ଠରୁ ଆନନ୍ଦ ଗୀତ ଉତ୍‌ଥିତ ହେବା ସ୍ୱାଭାବିକ ।

 

ଅପରାହ୍‌ଣ ପ୍ରାୟ ୧ଟା ସମୟରେ ବିଜୟନଗର ଷ୍ଟେସନରେ ରେଲ ପହଞ୍ଚିଲା । ସେଠାରେ ଓହ୍ଲାଇ ରାଏପୁର ରେଲକୁ ଅପେକ୍ଷା କରିବାକୁ ହେଲା । ଆମ୍ଭେମାନେ ରେଲରୁ ଓହ୍ଲାଇ ବିଶ୍ରାମଗାରରେ ଯାଇ ବସିଲୁଁ । ସେଠାରେ ମୋର ଉପଯୁକ୍ତ ଖାଦ୍ୟପଦାର୍ଥ ମିଳିଲା ନାହିଁ । ମୁଁ ବେଦାନ୍ତ ନ ଜାଣିଲେ ସୁଦ୍ଧା ବୟୋଧର୍ମରେ ବେଦାନ୍ତୀ ହୋଇଅଛି; ନରମ ପଦାର୍ଥ ନ ହେଲେ ଖାଇପାରେ ନାହିଁ । ସେଠାରେ ଯେଉଁ ପକୋଡ଼ି ମିଳେ, ତାହା ପିଆଜ, ଲଙ୍କାମରିଚ ପ୍ରଭୃତି ବହୁ ଅଳଙ୍କାରଯୁକ୍ତ ହେଲେ ସୁଦ୍ଧା ମୋର ଅଖାଦ୍ୟ । ସେ ପକୋଡ଼ି ମୋ ପକ୍ଷରେ ଗୋଡ଼ି ତୁଲ୍ୟ । ପୁରୀଗୁଡ଼ିକ ରବର ଚକି । କେତେ କୋଷା କମଳା ଏବଂ ଗୋଟିଏ କଦଳୀରେ କ୍ଷୁନ୍ନିବୃତ୍ତି କାରିବାକୁ ହେଲା । କାଫି ଓ ଚା ସଙ୍ଗରେ ମୋର କେଉଁ କାଳରେ ବନ୍ଧୁତା ନାହିଁ । ଜଳପାନରେ ତୃଷାଦେବୀ ସନ୍ତୁଷ୍ଟ ହେଲେ । ବିଜୟନଗରର ଭାଗ୍ୟରବି ବହୁକାଳରୁ ଅସ୍ତମିତ । ପୂର୍ବେ ଏହା ଉତ୍କଳର ଗଜପତି ସମ୍ରାଟ୍‍ଙ୍କର ଅନ୍ୟତମ ରାଜଧାନୀ ଥିଲା । ପ୍ରଧାନମନ୍ତ୍ରୀ କରଣ-କୁଳ ତିଳକ ରାୟରାମାନନ୍ଦ ଏ ଅଞ୍ଚଳ ଶାସନପାଳନ କରୁଥିଲେ । ବର୍ତ୍ତମାନ ଏହା ରେଲକମ୍ପାନୀର ରାଜଧାନୀ-

 

ଅପରାହ୍‌ଣ ୫ଘଣ୍ଟା ସମୟରେ ରାୟପୁରଗାମୀ ରେଲ ଆସି ପହଞ୍ଚିଲା । ଆମ୍ଭମାନେ ଜିନିଷପତ୍ର ଘେନି ରେଲରେ ବସିଲୁଁ। ବିଜୟଭେରୀ ବଜାଇ ରେଲ ଚାଲିଲା । କେତେଟା ଷ୍ଟେସନ ପରେ ଭାରୀ ଯାତ୍ରୀ ଗହଳ ହେଲା । ସେଦିନ ଗଜପତି ନଗରଠାରେ ମେଣ୍ଢା ଲଢ଼ାଇ ହେଉଥିଲା । କେତେକ ଦିନ ମଧ୍ୟରେ ଏ ଯୁଦ୍ଧର ହରାଜିତାରେ ପନ୍ଦର ହଜାର ଟଙ୍କା ଉଡ଼ିଯାଇଥିବାର ଶୁଣିଲି । ଏତେ ଟଙ୍କା ବ୍ୟର୍ଥ ଆମୋଦରେ ଉଡ଼ାଇଦେବା କମ୍‌ ବାହାଦୁରୀ ନୁହେ । ‘‘ଧନ ଅର୍ଜିଲେ ମଉଜ କରି, ମଉଜେ ପ୍ରାପ୍ତ ନରହରି’’—ଏହା ଏ କାଳର ଭାଗବତବାଣୀ । ମେଷମଲ୍ଲଙ୍କର ବିନ୍ଧାଣ ଦେଖିବା ପାଇଁ ବହୁଦୂରରୁ ବହୁଲୋକଙ୍କର ସମାଗମ ହେଉଥିଲା । ଏହି ଯୁଦ୍ଧଦେଖାଳିଙ୍କ ଯାତାୟତ ହେତୁ ରେଲଗାଡ଼ିରେ ଖୁବ୍‌ ଭିଡ଼ ହେଉଥିଲା । ସେମାନେ ବି ବଡ଼ ବୁଦ୍ଧିମାନ୍‌ । ମେଷ-ଯୁଦ୍ଧ ଦେଖି ମାନବଜନ୍ମ ସାର୍ଥକ କରିବା ପାଇଁ ସେମାନେ ରେଲକୋମ୍ପାନୀର ଆୟବୁଦ୍ଧିରେ ଖୁବ୍‌ ସହାୟତା କରିଅଛନ୍ତି । ଆମ୍ଭମାନଙ୍କ ବସିବା ଗାଡ଼ିରେ ଶତାଧିକ ଫେରତା ଦେଖାଳି ଆସି ପଶିଗଲେ । ମାତ୍ର ସ୍ଥାନାଭାବ ହେତୁ ଅଧିକାଂଶ ଠିଆ ହୋଇ ରହିଲେ । ପାଇଖାନାକୁ ଯିବାକୁ ବାଟ ନାହିଁ, ପିଲାମାନେ ଜାକିହୋଇ କାନ୍ଦିଉଠିଲେ । କିନ୍ତୁ ରେଲକର୍ମଚାରୀମାନଙ୍କର ସେଥିପ୍ରତି ଭ୍ରୂକ୍ଷେପ ନାହିଁ । କୋମ୍ପାନୀ ଖାଲି ଅର୍ଥ ନେବା ପାଇଁ ଦାୟୀ; ମାତ୍ର ଯାତ୍ରୀଙ୍କର ଅସୁବିଧା ବା କଷ୍ଟ ପାଇଁ ଦାୟୀ ନୁହନ୍ତି । ରାତି ଦୁଇଟା ସମୟରେ ଆମ୍ଭେମାନେ କଳାହାଣ୍ଡି ରାଜ୍ୟସ୍ଥ କେସିଙ୍ଗା ଷ୍ଟେସନରେ ଓହ୍ଲାଇଲୁଁ । କଳାହାଣ୍ଡିର ଫରେଷ୍ଟ ସୁପରିଣ୍ଟେଣ୍ଡଣ୍ଟ ସାହେବ ମଧ୍ୟ ଗସ୍ତରୁ ଫେରିଆସି ସେହି ଷ୍ଟେସନରେ ଓହ୍ଲାଇଲେ । ତାଙ୍କର ଡାକ ନାମ ଜଙ୍ଗଲସାହେବ । ତାଙ୍କ ସଙ୍ଗରେ ପରିଚୟ ହେଲା; ସେ କହିଲେ–‘‘ମୋ ସଙ୍ଗରେ ନିକଟବର୍ତ୍ତୀ ଷ୍ଟେଟ ପୋଲିସ ଷ୍ଟେସନକୁ ଚାଲନ୍ତୁ, ସେଠାରେ ରାତ୍ରିଯାପନ କରି କାଲି ମୋଟରରେ ଭବାନୀପାଟଣା ଯିବେ । ମୁଁ ମଧ୍ୟ ଯିବି, ସଙ୍ଗ ହୋଇ ଯିବା ।’’ ଆମ୍ଭେମାନେ ତାଙ୍କ ସଙ୍ଗରେ ଯଥାସ୍ଥାନକୁ ଆସୁଲୁଁ । ସେ ଲୋକ ପଠାଇ ଆମ୍ଭମାନଙ୍କର ମାଲପତ୍ର ନେଇଗଲେ । ଥାନାର ରାଇଟର ଶ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ ତେତେ ରାତିଯାଏ ବସି କର୍ତ୍ତବ୍ୟରେ ନିଯୁକ୍ତ ଥିଲେ । ସେ ଗୋଟାଏ କୋଠରୀ ଖାଲି କରିଦେଲେ, ଆମ୍ଭେମାନେ ସେହିଠାରେ ରାତ୍ରିଯାପନ କଲୁଁ । ସକାଳୁଁ ଉଠି ଦେଖିଲି, ପୋଲିସ ଷ୍ଟେସନ ପ୍ରକାଣ୍ଡ ପକ୍‌କା ଘରଟି ନିକାଞ୍ଚନ ସୁପ୍ରଶସ୍ତ ପ୍ରାନ୍ତର ମଧ୍ୟରେ ‘‘ବିଚିତ୍ରଗିରି’’ ପର୍ବତର ପାଦମୂଳରେ ଅବସ୍ଥିତ । ସାର୍ଥକନାମା ବିଚିତ୍ରଗିରି ସୂର୍ଯ୍ୟାଦୟ ସଙ୍ଗେ ସଙ୍ଗେ କ୍ଷଣ କ୍ଷଣକେ ବିଚିତ୍ର ବେଶ ଧାରଣ କରୁଥାଏ । କେବେ ଭସ୍ମବୋଳା ସମାଧିମଗ୍ନ ମୌନବତୀ ଯୋଗୀ, କେବେ ରୌଦ୍ର ଓ ଛାୟାରେ ତିଳ କଣ୍ଡୁଳିତ କଳେବର, କେବେ ବା ଭୀଷଣ ଦୈତ୍ୟ ପରି ଗର୍ବୋନ୍ନତ ମସ୍ତକ- ଏହିପରି ବହୁରୂପାର ଅଭିନୟ ଦେଖାଯାଉଥାଏ । ଥାନା ଚାରି ପାଖରେ ସୁନ୍ଦର ଫୁଲ ବଗିଚା; ଜୁଈ, ଶତବର୍ଗ, ସଦାବିହାରୀ ପ୍ରଭୃତି ବିବିଧ ପୁଷ୍ପର ସମୁଜ୍ଜ୍ୱଳ । ଉଦ୍ୟାନର ପରିକଳ୍ପନା ମଧ୍ୟ ଗଭୀର ଭାବବ୍ୟଞ୍ଜକ । ଯେଉଁ ଫୁଲ ପାଖରେ ଯେଉଁ ଫୁଲ ସୁନ୍ଦର ଦିଶିବ, ସେହିପରି ଭାବରେ ମାଳା ଗୁନ୍ଥିଲା ପରି ବୃକ୍ଷଗୁଡ଼ିକ ରୋପିତ ହୋଇଅଛି । ଯୁଈଫୁଲ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲି । ତାହାର ପାଖୁଡ଼ାଗୁଡ଼ିକ ମାଳତୀ ପାଖୁଡ଼ା ପରି; ପଚାରି ବୁଝିଲି, ତାହା ସାଧାରଣ ଜୁଈଫୁଲ । ମାତ୍ର ମାଟି ଗୁଣରେ ଏଭଳି ବୃହତ୍‌ ସଂସ୍କରଣ ଧରିଅଛି । ସାଧାରଣତଃ ଗିରିକାନନସଙ୍କୁଳ ସ୍ଥାନରେ ଯେପରି ବିବିଧ ପକ୍ଷିବହୁଳତା ଦେଖାଯାଏ, ଏଠାରେ ସେପରି ଦେଖିଲି ନାହିଁ । କେବଳ ମଧ୍ୟାହ୍ନରେ ଚଷାପୁଅର କରୁଣ ଗୀତ ଶୁଣାଯାଉଥିଲା । ସନ୍ଧ୍ୟା ସମୟରେ ଗୋଟିଏ ପକ୍ଷୀର ଘଣ୍ଟା ବାଜିଲା ପରି ଶବ୍ଦ ଶୁଣିଥିଲି । ଦୂରରୁ ଆଉ ଗୋଟିଏ ପକ୍ଷୀ ବିହଙ୍ଗୀୟ ଭାଷାରେ ତାହାର ଉତ୍ତର ଦେଉଥାଏ । ବୋଧହୁଏ ଚକୋର ଦମ୍ପତ୍ତି ପରି ଏ ପକ୍ଷୀ ଦମ୍ପତିର ରାତିରେ ବିଚ୍ଛେଦ ଘଟେ । ପକ୍ଷୀଟିର ନାମ- କାସ୍ମ, ବର୍ଣ୍ଣ ଢାଉଆ । ବିଚିତ୍ରଗିରି ପାଦତଳରେ ବଙ୍ଗଳାଟିକୁ ଦେଖିଲେ ରାମାୟଣ ବର୍ଣ୍ଣିତ ଚିତ୍ରକୂଟ ଗିରିମୂଳରେ ଋଷିଆଶ୍ରମର ଚିତ୍ର ମନରେ ଅଙ୍କିତ ହୋଇଯାଏ । ବିଚିତ୍ର ଗିରି ଉତ୍ତାଳ ଭାବରେ ଶାୟିତ । ବଙ୍ଗଳାଟି ନାରାୟଣ ପାଦତଳରେ ଲକ୍ଷ୍ମୀଙ୍କର ଉପମା ଧାରଣ କରିଅଛି କିମ୍ୱା ଭାବ ପାଦତଳେ ଭକ୍ତି ବସିଲା ପ୍ରାୟ ବୋଧହୁଏ । କେସିଙ୍ଗାରେ ଗୋଟିଏ ଅ.ପ୍ରା. ସ୍କୁଲ ଅଛି, ଛାତ୍ରସଂଖ୍ୟା ୧୪୦ । ଅଧିକାଂଶ ବନ୍ୟଜାତୀୟ । ଅନ୍ତ୍ୟଜ ଜାତିର ଉନ୍ନତିରେ କଳାହାଣ୍ଡି ମହାରାଜାଙ୍କର ସମଧିକ ଆଗ୍ରହ ଏଥିରୁ ସ୍ପଷ୍ଟରୂପେ ଅନୁମିତ ହୁଏ ।

 

ସ୍ନାନ ପରେ ମୁଁ ବଙ୍ଗଳାର ପଛପଟ ବାରନ୍ଦାରେ ପୂଜା କରୁଅଛି, ଏହି ସମୟରେ ଜଙ୍ଗଲସାହେବ ଆସି କହିଲେ—ଆପଣ ରାତିରେ ଭୋଜନ କରି ନାହାନ୍ତି, ମୁଁ କମାବ୍ରାହ୍ମଣ । ମୋର ଓଡ଼ିଆ ପୂଜାରୀ ଅଛି । ରୋଷାଇ ଆରମ୍ଭ ହେଲାଣି, ଆପଣ ମୋ ବସାରେ ଖାଇବେ । ଦୁଇଦିନର ଉପବାସୀ ଉଦର ଏ ଅଯୋଚିତ ଅନୁଗ୍ରହ ପ୍ରତ୍ୟାଖ୍ୟାନ କରିପାରେ କି ! ମୁଁ ଆନନ୍ଦରେ ସମ୍ମତ ହେଲି । ଫରେଷ୍ଟ ସୁପରିଣ୍ଟେଣ୍ଡେଣ୍ଟ କ୍ରିୟାନିଷ୍ଠ ବୃଦ୍ଧ ବ୍ରହ୍ମଣ । ତାଙ୍କର ଏ ଅନୁରୋଧକୁ ମୁଁ ଆଶୀର୍ବାଦ ଜ୍ଞାନ କଲି । ତାଙ୍କ ବ୍ୟବହାରରେ ମୁଁ ବାସ୍ତବରେ କୃତଜ୍ଞ । ଶୁଣିଲି, ସେ ବୟସରେ ବୃଦ୍ଧ ହେଲେ ହେଁ କର୍ତ୍ତବ୍ୟରେ ଶତହସ୍ତ ଯୁବକ । କିଛିକ୍ଷଣ ପରେ ଥାନାର ସବ୍‌ଇନ୍‌ସପେକ୍‌ଟର ଶ୍ରୀଯୁକ୍ତ ନୀଳାମ୍ୱର ନେଗୀ ଆସି ଉପସ୍ଥିତ ହେଲେ । ସେ ଜଣେ କଳାହାଣ୍ଡିବାସୀ ଓଡ଼ିଆ ବ୍ରାହ୍ମଣ । ତାଙ୍କର ନେଗୀ ଉପାଧି ନିୟୋଗୀର ଅପଭ୍ରଂଶ କି ତାହାର ଅନ୍ୟ କିଛି ଅର୍ଥ ଅଛି, ତାହା ମୁଁ ଅଜ୍ଞାତ; ଶୁଣିଲି ତାହା ରାଜଦତ୍ତ ଉପାଧି । ନେଗୀ ମହାଶୟ ପୂର୍ବରୁ ମୋର ଫଟୋ ଦେଖିଥିଲେ । ସେହି ସୂତ୍ରରେ ସେ ମୋତେ ଚିହ୍ନିପାରି ପୁରୁଣା ବନ୍ଧୁ ପରି ବ୍ୟବହାର କଲେ । ତାଙ୍କ ଭଳି ବିନୟୀ, ସଦାଳାପୀ ଏବଂ ମିଷ୍ଟଭାଷୀ ପୋଲିସବିଭାଗର ଅଳଙ୍କାର । ସେ ମୋର ଖାଦ୍ୟାଦିର ବ୍ୟବସ୍ଥା କରିବା ପାଇଁ ବ୍ୟଗ୍ର ହୋଇଉଠିଲେ; ମାତ୍ର ପୂର୍ବବ୍ୟବସ୍ଥା ଶୁଣି ବିରତ ହେଲେ । ଜାଇଫୁଲ ପରି ଶୁଭ୍ର ସୁବାସିତ ସରୁ ଅନ୍ନ, ବିବିଧ ବ୍ୟଞ୍ଜନ ଉପବାସର ଦିବ୍ୟ ପାରଣା ହେଲା । ଶାଗ ବିଶେଷ ଉପାଦେୟ ହୋଇଥିଲା । ଶାଗର ନାମ ପଚାରିବାରୁ ପାଚକ କହିଲା, ଭାଜିଶାଗ । ଶାଗର ସ୍ୱାଦୁରେ ମୁଗ୍‌ଧ ପ୍ରଲୁବ୍‌ଧ ହୋଇ ମୋର ଚାକରଟି ମଞ୍ଜି ସଂଗ୍ରହ ପାଇ ଉତ୍କଣ୍ଠିତ ହୋଇଉଠିଲା । ଭବାନୀପାଟଣାରେ ମଞ୍ଜି ମିଳେ ବୋଲି ପାଚକଠାରୁ ଶୁଣି ଅଗତ୍ୟା ସେ ଦୁର୍ଦ୍ଦମ୍ୟ ଆତୁରତା ସମ୍ୱରଣ କଲା ।

 

ଅପରାହ୍‌ଣ ୫ଟା ବେଳେ ଭବାନୀପାଟଣାରୁ ମୋଟର ଆସି ପହଞ୍ଚିଲା । ଆନନ୍ଦ ନାୟକ ନାମରେ ଜଣେ କର୍ମଚାରୀ ମୋଟର ଆୟବ୍ୟୟର ହିସାବ ରଖନ୍ତି । ତାଙ୍କ ସଙ୍ଗରେ ସାକ୍ଷାତ୍‌ ହେଲା । ସୌଜନ୍ୟ ଓ ଶିଷ୍ଟାଚରରେ ସେ ମୋତେ ଋଣୀ କରିପକାଇଲେ । ୬ଘଣ୍ଟା ସମୟରେ ନୀଳାମ୍ୱର ବାବୁ ଓ ଫରେଷ୍ଟ ସୁପରିଣ୍ଟେଣ୍ଡେଣ୍ଟ ଆମ୍ଭମାନଙ୍କୁ ନେଇ ମୋଟରରେ ବସାଇଦେଲେ । ଆନନ୍ଦବାବୁ ପ୍ରତ୍ୟହ ମୋଟରରେ ଯାତାୟତ କରନ୍ତି । ସେ ମୋର ବସିବାର ବିଶେଷ ସୁବିଧା କରିଦେଲେ । ସୁପରିଣ୍ଟେଣ୍ଡେଣ୍ଟ ସାହେବ ମୋ ପାଖରେ ବସିଲେ । ୬ଟା ବେଳେ କେସିଙ୍ଗାରୁ ମୋଟର ବାହାରିଲା । ସେଠାରୁ ଭବାନୀପାଟଣା ୨୧ ମାଇଲ । ମୋଟର ଯାତାୟତ ପକ୍ଷରେ ସଡ଼କ ଖୁବ୍‌ ଉପଯୁକ୍ତ । ପଥର ଦୁଇପାର୍ଶ୍ୱରେ ରଥ୍ୟାବୃକ୍ଷଶ୍ରେଣୀ ରୋପିତ ହୋଇ ସୁନ୍ଦର କୁଞ୍ଜ ଏବଂ ତୋରଣା ସଜନା କରିଅଛି । ମଧ୍ୟରେ ମଧ୍ୟରେ ଆଲୋକ ସ୍ତମ୍ଭ । ଅନ୍ଧାର ଆଲୁଅ ହାତ ଧରାଧରି ହୋଇ ଚାଲିଲା ପରି ପ୍ରାୟ ଦିଶୁଅଛନ୍ତି । ସମୟରେ ଆମ୍ଭମାନେ ଭବନୀପାଟଣାରେ ପହଞ୍ଚିଲୁଁ-। ରାଜସିଂହଦ୍ୱାର ସମ୍ମୁଖରେ ମୋଟର ରହିଲା । ମୋର ଆସିବା ସମ୍ୱାଦ ମାନନୀୟ ମହାରାଜା ମହୋଦୟଙ୍କ ଛାମୁରେ ଜଣାଇବା ସକାଶେ ନନ୍ଦବାବୁ ମୋଟରରୁ ଓହ୍ଲାଇଗଲେ । ମୁଁ ମୋଟରରେ ବସି ରାଜଦୁର୍ଗର ଶୋଭା ଦେଖିବାକୁ ଲାଗିଲି । ବୈଦ୍ୟୁତିକ ଆଲୋକମାଳାରେ ହର୍ମ୍ୟାବଳୀ ଅପୂର୍ବ ଶୋଭା ଧାରଣ କରିଅଛି । ସେ ମହାଶୋଭାର ପଟାନ୍ତର ନାହିଁ । ଧବଳ ହର୍ମ୍ୟ ଉପରେ ବୈଦ୍ୟୁତିକ ଆଲୋକ ପଡ଼ି ଚନ୍ଦ୍ରକିରଣରେ ରୂପାପର୍ବତ ଧୌତ ହେଲା ପ୍ରାୟ ଜ୍ୟୋତିର୍ମୟ ଦିଶୁଅଛି-। ମନେ ମନେ ଭାବିଲି—ଯେଉଁ ନଗରୀରାଣୀ ଲକ୍ଷ ଲକ୍ଷ ଲୋକଙ୍କର ଭାଗ୍ୟ ସମୁହିତ କରୁଅଛି, ସେ ଏଭଳି ଦେବମନଚୋରା ଜ୍ୟୋତିର୍ମୟୀ ବେଶ ନ ଧରିବ କାହିଁକି ? ସତେ ଯେପରି ନଗରୀ ବହୁନେତ୍ର ଫେଡ଼ି ଅଳକାପୁରୀକୁ ନୀରବ ହାସ୍ୟରେ ପରିହାସ କରୁଅଛି କିମ୍ବା ଜ୍ୟୋତିବୃକ୍ଷରେ ଜ୍ୟୋତିର ପୁଷ୍ପମାଳା ଫୁଟି ରହିଅଛି ଅଥବା ସାତ୍ତ୍ୱିକ ହୃଦୟରେ ସତ୍ତ୍ୱଗୁଣାବଳୀ ଦିବ୍ୟଜ୍ୟୋତିର ମହୋତ୍ସବ ସୃଷ୍ଟି କରିଅଛି । ନଗରୀ ମଧ୍ୟରେ ନୈଶ ଅନ୍ଧକାରର ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ, ସେ ଭୟରେ ପଳାଇଯାଇ ମତ୍ସରୀ ହୃଦୟରେ ଲୁଚି ରହିଅଛି । ସୌନ୍ଦର୍ଯ୍ୟ ଉପରେ ସୌନ୍ଦର୍ଯ୍ୟ, ଜ୍ୟୋତି ଉପରେ ଜ୍ୟୋତି କିମ୍ବା ପୁଷ୍ପ ଉପରେ ପୁଷ୍ପ ବର୍ଷି ଯାଉଅଛି । ସେ ଦୃଶ୍ୟ ଅତି ସୁନ୍ଦର, ଅତି ମଧୁର, ଅତି ପବିତ୍ର ! ଅନ୍ୟର କଥା ଦୂରେଥାଉ, ସ୍ୱୟଂ ଶୋଭାଦେବୀ ସେ ଶୋଭା ଦେଖି ଈର୍ଷାରେ ଲଜ୍ଜିତ ହେବେ । ଆଲୋକମାଳାର ଉପମା ନାହିଁ, ସେ ନିରୁପମାର ଉପମା । ଗଗନ-ସୁନ୍ଦରୀ ବିଜୁଳି ଅଟ୍ଟାଳୀ ଶେଯରେ ଶୟନ କରି ସୁଖ ସ୍ୱପ୍ନ ଦେଖି ସତେ ଯେପରି ହସି ଉଠୁଅଛି କିମ୍ବା ରାଜଲକ୍ଷ୍ମୀ ଦେବୀ ଚତୁର୍ଦ୍ଦିଗରେ ରାଜ୍ୟର ବ୍ୟବହାର ଦେଖୁଅଛନ୍ତି କିମ୍ବା ନଗରୀ ରାଣୀ ନିଜ ଶୋଭାରେ ନିଜେ ମୁଗ୍‌ଧ ହୋଇ ଆନନ୍ଦ ଆବେଗରେ କ୍ଷଣକ୍ଷଣକେ ଚମକି ପଡ଼ୁଅଛନ୍ତି-। ସେହି ଆନନ୍ଦ ତାଙ୍କ ଚକ୍ଷୁକର୍ଣ୍ଣନାସିକା ଓ ପ୍ରତି ଲୋମକୂପ ପଥରେ ବାହାରି ପଡ଼ୁଅଛି-। ସେ ଶୋଭା ଉପଭୋଗ୍ୟ; ତାହା ଲେଖି ଶେଷ କରିହେବ ନାହିଁ ।

 

କିଛିକ୍ଷଣ ପରେ ଆନନ୍ଦ ବାବୁ ଫେରିଆସି କହିଲେ—ମହାରାଜାଙ୍କର ଆଦେଶ ହେଲା, ଆପଣ କାଶୀପୁର ରାଜାଙ୍କ ବଙ୍ଗଳାରେ ରହିବେ । ଗୋଟିଏ ମୋଟର ଆପଣଙ୍କ ମାଲପତ୍ର ଏବଂ ଚାକରକୁ ସେଠାରେ ରଖି ଆସିପରେ ଆପଣଙ୍କୁ ନେଇଯିବ । ପାଚକ, ଗଉଡ଼ ପ୍ରଭୃତି ସେଠାକୁ ପଠାଯାଇଅଛି । ଆପଣ ଆସନ୍ତୁ ଅଫିସରେ ବସିବେ । ମୁଁ ଓ ସୋମନାଥ ମଟରରୁ ଓହ୍ଲାଇ ତାଙ୍କ ସଙ୍ଗରେ ଯାଇ ଅଫିସରେ ବସିଲୁଁ । ଅଫିସ ଘରଟି ଚୌକି, ବେଞ୍ଚ, ଟେବୁଲ ପ୍ରଭୃତିରେ ସୁସଜ୍ଜିତ ଏବଂ ବୈଦ୍ୟୁତିକ ଆଲୋକପୁଞ୍ଜରେ ଆଲୋକିତ । ଉପରେ କଳପଙ୍ଖା ଚତୁର୍ଭୁଜ ମୂର୍ତ୍ତିରେ ଝୁଲୁଅଛି-। ତଳେ ତୌସାର ପାଲି ପରି ବିବିଧ ବର୍ଣ୍ଣର ମର୍ମର ପ୍ରସ୍ତର ବିଛା ହୋଇଅଛି । ସେଥିରେ ବୈଦ୍ୟୁତିକ ଆଲୋକ ପ୍ରତିଫଳକ ହୋଇ ବହୁ ଇନ୍ଦ୍ରଧନୁର ଅପୂର୍ବ ସୁଷମା ସୃଷ୍ଟି କରିଅଛି । ସେ ଶୋଭାର ଉପମା ନାହିଁ, ତାହା ଉପମାର ଅଳଙ୍କର । ଅଳ୍ପକ୍ଷଣ ପରେ ମୋଟର ଫେରିଆସି ଆମ୍ଭମାନଙ୍କୁ ପୂର୍ବ ନିରୂପିତ ବଙ୍ଗଳାକୁ ଘେନିଗଲା । ଦ୍ରୁତଗାମୀ ମୋଟରରେ ବସି ରାଜଧାନୀର ବହୁଦୃଶ୍ୟ ବାଏସ୍‌କୋପ ଦେଖିଲା ପରି ଦେଖି ଦେଖି ଅଗ୍ରସର ହେବାକୁ ହେଲା । ଗଳି, ଉପଗଳି ସବୁ ବିଜୁଳି ଆଲୋକରେ ସମୁଜ୍ଜ୍ୱଳ । ସତେ ଯେପରି ରାଜଧାନୀ ସୁନ୍ଦରୀ ଦୀପାବଳୀ ଅମାବାସ୍ୟା ରଜନୀର ଆଲୋକବିଭବକୁ ଛଡ଼ାଇଆଣି ବିଜୟ-ଗର୍ବରେ ହସୁଅଛି । ପ୍ରାୟ ୧୦ ମିନିଟ୍‌ ମଧ୍ୟରେ ମୋଟର ଆସି କାଶୀପୁର ବଙ୍ଗଳାରେ ଉପସ୍ଥିତ ହେଲା । ମୋଟରରୁ ଓହ୍ଲାଇ ଦେଖିଲି ପାକକାର୍ଯ୍ୟ ପ୍ରାୟ ଅଧାଅଧି ହୋଇଗଲାଣି । ଅତ୍ୟଳ୍ପ ସମୟ ମଧ୍ୟରେ ଏରୂପ ସୁବ୍ୟବସ୍ଥା ବାସ୍ତବରେ ଆଶ୍ଚର୍ଯ୍ୟର ବିଷୟ; ମାତ୍ର ରାଜାଦେଶ ଓ ରାଜକୃପାର ତାହା ଅସମ୍ଭବ ନୁହେ । ମହାରାଜା ମହୋଦୟଙ୍କର ଅତିଥିବାତ୍ସଲ୍ୟ ଯାହା ଶୁଣିଥିଲି, ଆଜି ଦେହକେ ସେଥିର ବହୁଗୁଣ ଉପଭୋଗ କରି ଚକ୍ଷୁକର୍ଣ୍ଣର ବିବାଦ ମେଣ୍ଟାଇବାକୁ ସମର୍ଥ ହେଲି । ଉଦାର ବଦାନ୍ୟ ହୃଦୟର ବ୍ୟବହାର ଏହିପରି ପ୍ରଶଂସନୀୟ ହେବା ସ୍ୱାଭାବିକ । ମୋ ଭଳି ଜଣେ ସାମାନ୍ୟ ଲୋକପ୍ରତି ମହାରାଜାଙ୍କର ଏ ରୂପ ସ୍ନେହାନୁକୁଲ୍ୟ ବାସ୍ତବରେ ଦୁର୍ଲଭ । ଏହା ମୋର ଆଜୀବନ ସ୍ମରଣୀୟ ହୋଇରହିଲା । ମହାମନା ମହାରାଜାଙ୍କର କାର୍ଯ୍ୟ ମହତ୍ତ୍ୱର ଅନୁରୂପ ହୋଇଥାଏ । ବଙ୍ଗଳାଟି ପ୍ରଶସ୍ତ ଏବଂ ପକ୍କା ପ୍ରାଚୀର ବେଷ୍ଟିତ ରାଜୋଚିତ ସାଜସଜ୍ଜାରେ ସୁସଜ୍ଜିତ ହୋଇ ଅପୂର୍ବ ଶ୍ରୀ ଧାରଣ କରିଅଛି । ତାହାର ପ୍ରତିକକ୍ଷ ଓ ବାରନ୍ଦା ବୈଦ୍ୟୁତିକ ଆଲୋକରେ ସମୁଜ୍ଜ୍ୱଳ । ଯେପରି ଗୋଟାଏ ଅପ୍‌ସରା ତଳକୁ ଓହ୍ଲାଇ ଆସି ରାଜଧାନୀର ବୈଶିଷ୍ଟ୍ୟ ଓ ବୈଚିତ୍ର୍ୟରେ ମୁଗ୍‌ଧ ସ୍ତବ୍‌ଧ ହୋଇ ବସିଅଛି । ପ୍ରାୟ ୯ ଘଣ୍ଟା ସମୟରେ ଆମ୍ଭେମାନେ ଆହାରାନ୍ତେ ଶୟନ କଲୁ । ପଥଶ୍ରାନ୍ତି ସୁନିଦ୍ରା ଆନୟନ କଲା ।

 

ସକାଳୁ ଉଠି ନିତ୍ୟକର୍ମ, ସ୍ନାନପୂଜା ଶେଷରେ ବଙ୍ଗଳାର ସମ୍ମୁଖ ବାରନ୍ଦାରେ ବସି ଦେଖିଲି । ଯେଉଁ ଆଡ଼କୁ ଚାହିଁଲେ ଧବଳମୟ କୋଠା ଧାଡ଼ି ଧାଡ଼ି ହୋଇ ସୁନ୍ଦର ଦିଶୁଅଛି । ଭାବିଲି ଏଗୁଡ଼ିକ ମହାରାଜାଙ୍କର ସ୍ୱଚ୍ଛଶୁଭ୍ର କୀର୍ତ୍ତିମାଳା ରୂପ ଧରି ଠିଆ ହୋଇଅଛି । ସଡ଼କମାନ ଶାଖା ପ୍ରଶାଖା ବିସ୍ତାର କରି ଜାଲ ଛନ୍ଦିଲା ପରି ହୋଇଅଛି । ପଥ ନିର୍ମଳ, ସୁନ୍ଦର ଏବଂ ମୋଟର ଯାତାୟାତର ଉପଯୋଗୀ । ବର୍ତ୍ତମାନ ଭବାନୀପାଟଣାରେ ଯେତେ କୋଠା, ବଙ୍ଗଳା ପ୍ରଭୃତି ଅଛି, ତାହା ସବୁ ବର୍ତ୍ତମାନ ମହାରାଜା ଶ୍ରୀ ଶ୍ରୀ ଶ୍ରୀ ବ୍ରଜମୋହନଦେବଙ୍କ ଅମଳରେ ପ୍ରସ୍ତୁତ । ସହରଟି ସୁସଜ୍ଜିତ ଓ ସୁବିନ୍ୟସ୍ତ । ଗୋଟିଏ ବଡ଼ ସହରରେ ଯାହା ଯାହା ଥାଏ, ତାହା ସବୁ ଏଠାରେ ଏକାଧାରରେ ପରିଦୃଷ୍ଟ ହୁଏ । ସମସ୍ତ କୋଠାବାଟୀ ମହାରାଜାଙ୍କ ପରିକଳ୍ପନାନୁଯାୟୀ ନିର୍ମିତ । ସହରଟି ଦେଖିଲେ ମହାରାଜାଙ୍କର ସୌନ୍ଦର୍ଯ୍ୟ-ପରିକଳ୍ପନା ଓ ନିର୍ଦ୍ଦୋଷ ଆଦର୍ଶରୁଚିକୁ ଧନ୍ୟବାଦ ନ ଦେଇ କେହି ରହିପାରିବେ ନାହିଁ । ତାଙ୍କର କଳ୍ପନା ବଡ଼ ବଡ଼ ଇଞ୍ଜିନିୟରଙ୍କ କଳ୍ପନା ଓ ବୁଦ୍ଧିକୁ ବଳିଯାଇଅଛି । ବିଧାତା ଯାହାଙ୍କୁ ଲୋକରକ୍ଷୀ ଏବଂ ଲୋକଶିକ୍ଷକ ରାଜକୁଳରେ ଜନ୍ମଦିଅନ୍ତି, ତାଙ୍କୁ ଏହିପରି ସମସ୍ତ ଆଦର୍ଶ ଶୁଭଗୁଣରେ ବିଭୂଷିତ କରି ପ୍ରେରଣ କରନ୍ତି । ମହାରାଜା ବ୍ରଜମୋହନ ଦେବ ସେହିପରି ଜଣେ ବିଧିପ୍ରେରକ ରାଜପୁରୁଷ । ଏଭଳି ମହତ୍ତ୍ୱ ଓ ଜ୍ଞାନବୁଦ୍ଧି ନ ଥିଲେ କେହି ବିଶାଳ ରାଜ୍ୟର ଅଧୀଶ୍ୱର ହୋଇପାରନ୍ତି ନାହିଁ । ନବାଗନ୍ତୁକ ଲୋକ ଭବାନୀପାଟଣା ସହର ଦେଖିଲେ ତାହାକୁ ଗଡ଼ଜାତ ସହର ନ କହି ମୋଗଲବନ୍ଦୀର ପ୍ରକାଣ୍ଡ ସମୃଦ୍ଧିଶାଳୀ ସହର ବୋଲି ନିଶ୍ଚୟ କହିବ । ରାଜ୍ୟର ନାମ ଯେପରି କଳାହାଣ୍ଡି, ସୂକ୍ଷ୍ମ କାରୁଶିଳ୍ପର ଅଧାର, ତାହାର ଅଧୀଶ୍ୱର ମହାରାଜା ବ୍ରଜମୋହନ ସେହିପରି ଜଣେ ଆଦର୍ଶ କଳାକୁଶଳୀ । ସେ ଏହି ଅଭିନବ ବ୍ରଜଧାମ ସୃଷ୍ଟି କରି ନିଜର ନାମ ଧନ୍ୟ ଓ ସାର୍ଥକ କରିଅଛନ୍ତି ।

 

ଆନନ୍ଦବିହ୍ୱଳ ନେତ୍ରରେ ସହରର ଶୋଭା ଦେଖୁଅଛି, ଏହି ସମୟରେ ଆସିଷ୍ଟାଣ୍ଟ ଦେବାନ ଶ୍ରୀଯୁକ୍ତ ଫକୀରଚରଣ ମହାନ୍ତି ବି. ଏଲ. ଉପସ୍ଥିତ ହୋଇ କହିଲେ—ଆପଣଙ୍କ ଅଭାବ ଅସୁବିଧା ବୁଝିବା ପାଇଁ ମହାରାଜା ମହୋଦୟ ମୋତେ ପଠାଇଅଛନ୍ତି । ଏହା ଶୁଣି ମୁଁ ନ ହସି ରହିପାରିଲି ନାହିଁ । ମନେ ମନେ କହିଲି—କୁବେର ଭଣ୍ଡାରରେ ପିମ୍ପୁଡ଼ି କୁଣିଆ, ତାହାର ପୁଣି ଅଭାବ ! ବିସ୍ମୟ କିଛିକ୍ଷଣ ମୋର ବାକ୍ୟ ରୋଧ କରିଦେଲା । କେବଳ ଏତିକି କହିଲି କିଛି ଅଭାବ ନାହିଁ । ଯେଉଁଠାରେ ଅଭାବର ଅଭାବ, ସେଠାରେ ଅଭାବ ଶବ୍ଦ ଉଚ୍ଚାରଣ ଅସଙ୍ଗତ । ଫକୀର ବାବୁ ହସିଉଠିଲେ । ନମସ୍କାର ଓ ଶିଷ୍ଟାଚାରର ଆଦାନ ପ୍ରଦାନ ପରେ ଅନ୍ୟାନ୍ୟ କଥାବାର୍ତ୍ତାରେ ପ୍ରାୟ ଅର୍ଦ୍ଧଘଣ୍ଟା ଅତିବାହିତ ହେଲା । ଫକୀରବାବୁ କଟକ ଜିଲାବାସୀ । ସେ ଜଣେ ବିନୟୀ, ସଦାଳାପୀ, ବିଚକ୍ଷଣ ବ୍ୟକ୍ତି ଏବଂ ରାଜଭକ୍ତ ପ୍ରବୀଣ ଉଚ୍ଚ ରାଜକର୍ମଚାରୀ । ସେ ଦଣ୍ଡକ ମଧ୍ୟରେ ଚିର ଅପରିଚିତକୁ ସୁଦ୍ଧା ନିଜର କରି ନେଇପାରନ୍ତି । ସୁବିଚାରକ ହାକିମ ବୋଲି ତାଙ୍କର ସୁଖ୍ୟାତି ମଧ୍ୟ ଅଛି । ଗର୍ବ ବା ଅଭିମାନ ତାଙ୍କୁ ସ୍ପର୍ଶ କରି ନାହିଁ । କିଛିକ୍ଷଣ ପରେ ସେ ପ୍ରସ୍ଥାନ କଲେ । ଦୁଇଘଣ୍ଟା ପରେ ତାଙ୍କ ଘରୁ ପ୍ରକାଣ୍ଡ ଥାଳୀପୂର୍ଣ୍ଣ ମିଷ୍ଟାନ୍ନସମ୍ଭାର ଆସିଲା । ଭାବିଲି ଏହା ସଦ୍ୟ ବନ୍ଧୁତାର ପ୍ରଥମ ଟାକ୍‌ସ ।

 

ଅପରାହ୍‌ଣରେ ଦ୍ୱିତୀୟ ମହାରାଜ କୁମାରଙ୍କର ଗୃହଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ମହାପାତ୍ର ଏମ୍. ଏ. ବି. ଏଲ ସ୍ୱତଃପ୍ରବୃତ୍ତ ହୋଇ ଆସି ଉପସ୍ଥିତ ହେଲେ । ସେ ମହାଶୟ ‘‘ନମ୍ରନ୍ତି ଫଳିନୋ ବୃକ୍ଷ’’ । ସେ ଟ୍ରେନିଂ ପାସ ମଧ୍ୟ କରିଅଛନ୍ତି; ସ୍ଥାନୀୟ ହାଇସ୍କୁଲର ଆସିଷ୍ଟାଣ୍ଟ ହେଡ଼ମାଷ୍ଟର ଥିଲେ । ଯୋଗ୍ୟତାର ପୁରସ୍କାରସ୍ୱରୂପ ଉପର୍ଯ୍ୟୁକ୍ତ ପଦବୀକୁ ଉନ୍ନୀତ ହୋଇଅଛନ୍ତି । ଏଡ଼େ ବଡ଼ ବିଦ୍ୱାନ୍‌; କିନ୍ତୁ ସାରଲ୍ୟର ପ୍ରତିମୂର୍ତ୍ତି । କିଛିକ୍ଷଣ ତାଙ୍କ ସହ ସାହିତ୍ୟାଲୋଚନାରୁ ବୁଝିଲି; ସେ ଜଣେ ପ୍ରଚ୍ଛନ୍ନ ସାହିତ୍ୟିକ । ସେ ପୁରୀଜିଲାବାସୀ।

 

୪ଟା ସମୟରେ ଟ୍ରେନିଂ ସ୍କୁଲର ହେଡ଼ପଣ୍ଡିତ ଶ୍ରୀଯୁକ୍ତ ବାଲାଜି ମୁଣ୍ଡ ମହୋଦୟ ଶୁଭାଗମନ କଲେ । ସେ ବୃଦ୍ଧ ବ୍ରାହ୍ମଣ, ମୁଁ ତାଙ୍କର ସମଧର୍ମୀ । ସୁତରାଂ ବନ୍ଧୁତା ଘଟିବାରେ ବିଳମ୍ବ ହେଲା ନାହିଁ । ସେ କଳାହାଣ୍ଡିର ଖଣ୍ଡିଏ ଇତିହାସ । ତାଙ୍କଠାରୁ ମୁଁ କଳାହାଣ୍ଡିର ଅନେକ ତଥ୍ୟ ଅବଗତ ହୋଇଅଛି । ପୁନଶ୍ଚ ସେ କଳାହାଣ୍ଡିର ଦ୍ରୋଣଗୁରୁ । ଉଚ୍ଚଠାରୁ ନିମ୍ନ ପର୍ଯ୍ୟନ୍ତ ଅଧିକାଂଶ ରାଜକର୍ମଚାରୀ ତାଙ୍କର ଶିଷ୍ୟ, ଉପଶିଷ୍ୟ । ପଣ୍ଡିତ ମହାଶୟ ମ୍ୟୁନିସିପାଲିଟିର ସେକ୍ରେଟରୀ କାର୍ଯ୍ୟ ମଧ୍ୟ କରନ୍ତି । ରାଜଦ୍ୱାରରେ ତାଙ୍କର ଖ୍ୟାତି ପ୍ରତିଷ୍ଠା ଅଛି । ତାଙ୍କର ବ୍ୟବହାର ମୋତେ ତାଙ୍କ ନିକଟରେ ଚିରକୃତଜ୍ଞ କରି ରଖିଅଛି । ସେ ଜଣେ ବିଜ୍ଞ, ବହୁଦର୍ଶୀ, ଶାନ୍ତ ମିଷ୍ଟଭାଷୀ ବ୍ୟକ୍ତି । ପଣ୍ଡିତ ବାଞ୍ଛିତ ଜ୍ଞାନ ଏବଂ ପ୍ରତିଭା ତାଙ୍କର ଯଥେଷ୍ଟ ଅଛି । କଳାହାଣ୍ଡି ଅବସ୍ଥାନ କାଳରେ ପଣ୍ଡିତ ମହାଶୟ ପ୍ରତ୍ୟହ ମୋତେ ଦେଖିବାକୁ ଆସୁଥିଲେ ଏବଂ ବିବିଧ ସଦାଳାପରେ ମୋତେ ଆପ୍ୟାୟିତ କରୁଥିଲେ । ମହାରାଜାଙ୍କ ଆଦେଶମତେ ମୋ ସାଙ୍ଗରେ ଯାଇ ସ୍ଥାନୀୟ ସମସ୍ତ ଦର୍ଶନୀୟ ସ୍ଥାନ ଦେଖାଇଥିଲେ । ଏ ମହାଶୟ କଳାହାଣ୍ଡିବାସୀ ଏବଂ କଳାହାଣ୍ଡିର ଗୋଟିଏ ଅଳଙ୍କାର ।

 

ବଙ୍ଗଳା ଜଗୁଆଳଟିର ନାମ ସୟତାନ୍‌ । ଲୋକଟି ଚଳନ୍ତା ଶଗଡ଼ରେ ହାତ ଦେବା ଭଳି ପାତ୍ର । ସେ ନିଜର ନାମକୁ ଅତି ଗୌରବାବହ ମଣେ । ଓଡ଼ିଶା ଗଡ଼ଜାତର ସେ ଖଣ୍ଡିଏ ପୁରାଣ-ପୁସ୍ତକ । କେଉଁ କଥା ତାକୁ ଅଛପା ନାହିଁ । ଯେଉଁ ବ୍ୟକ୍ତି ତାହାର ଏଭଳି ନାମକରଣ କରିଥିଲେ, ସେ ନିଶ୍ଚୟ ଜଣେ ଭବିଷ୍ୟତ୍‌ବେତ୍ତା । ଲୋକଟିର ଗୋଟାଏ ଭଲ ଗୁଣ ଅଛି, ସେ ଖୁବ୍‌ ଗୀତ ଗାଇପାରେ । ସେ ମଧୁର ମନୋହର ରାଗରାଗଣୀରେ ଚମ୍ପୁ, ଗୀତଗୋବିନ୍ଦ ପ୍ରଭୃତି ଗାଇପାରେ । ଅନେକ ଗୀତ ତାହାର କଣ୍ଠସ୍ଥ । କେତେଥର ସନ୍ଧ୍ୟା ସମୟରେ ସେ ଗୀତ ଗାଇ ମୋତେ ଶୁଣାଇ ଆନନ୍ଦ ପ୍ରଦାନ କରିଅଛି । ସକାଳେ ପୂଜା କରିବାବେଳେ ଫୁଲ ଆଣିଦିଏ । ବଙ୍ଗଳାର ଆଗପଟ ସଡ଼କ ପାଖରେ ଗୋଟିଏ ଫୁଲଗଛ ଅଛି । ତାହାର ଫୁଲଗୁଡ଼ିକ ଠିକ୍‌ ଅଛି ଫୁଲ ପରି । ତାହାର ସ୍ନିଗ୍‌ଧ ସୁବାସ ଦେବ ଲୋଭନୀୟ । ଏ ଅଞ୍ଚଳରେ ତାହାର ନାମ ଆକାଶମଲ୍ଲୀ ଗଛ ଖୁବ୍‌ ବଡ଼, ଫୁଲ ପେଣ୍ଡା ପେଣ୍ଡା ହୋଇ ଫୁଟେ । ତାହା ଏକ ପ୍ରକାର ବିଦେଶୀୟ ବୃକ୍ଷ । ଶୁଣିଲି କଳାହାଣ୍ଡି କୋର୍ଟଅଫ୍‌ ଓ୍ୱାର୍ଡ଼ସ ଥିବାବେଳେ ସାହେବମାନେ ତାହା ଆଣି ରୋପଣ କରିଥିଲେ । ସଇତାନ ସେହି ଫୁଲ ଆଣି ମୋତେ ଦିଏ ।

 

ପାଣି ଦେବା ପାଇଁ ଜଣେ ଗଉଡ଼ ନିଯୁକ୍ତ ହୋଇଥିଲା, ତାହାର ନାମ ଚନ୍ଦ୍ର । କିନ୍ତୁ ତାହାର ରୂପ ଅମା ରଜନୀର ଅଳଙ୍କାର । ଗାଧୋଇବା ତାହାର କୋଷ୍ଠୀରେ ନାହିଁ । ଛେଳି ବା ବିରାଡ଼ି ପରି ପାଣିକୁ ସେ ଯମତୁଲ୍ୟ ଭୟ କରେ । ମୋ ଚାକର ସଙ୍ଗରେ ଚନ୍ଦ୍ରର ଖୁବ୍‌ ଭାବ । ଦିନେ ସେ କହିଲା—ତୁ ନ ଗାଧୋଇଲେ ତୋତେ ଭାତ ଦିଆଯିବ ନାହିଁ । ତହୁ ସେ ଅତି କଷ୍ଟରେ ସେଦିନ ଗାଧୋଇଥିଲା । ମୋର ଚାକରଟିର ନାମ ନିଶା । କେସିଙ୍ଗାଠାରୁ ଭାଜି ଶାଗମଞ୍ଜି ସଂଗ୍ରହର ନିଶା ତାକୁ ଘାରିଥିଲା । ଚନ୍ଦ୍ର ସଙ୍ଗରେ ନିଶାକରର ବନ୍ଧୁତା ଗୋଟାଏ ରାଜଯୋଟକ ହୋଇଗଲା । ତହୁଁ ସେ ବନ୍ଧୁ ସାହାଯ୍ୟରେ ଦୁଇ ପଇସାର ଉପଯୁକ୍ତ ମଞ୍ଜି ସଂଗ୍ରହ କରିନେଲା । ଦିନେ ଚନ୍ଦ୍ର ତାହାର ନୂତନ ବନ୍ଧୁକୁ ଉପହାର ଦେବାପାଇଁ ମନଃସ୍ଥ କରି କହିଲା—ଆଜି ତୁମକୁ ପାକଲା ବରଫଳ ଆଣି ଦେବି ଖାଇବ । ଏଠାରେ ଏକରକମ ବରଗଛ ଅଛି, ତାହାର ଫଳ ବିଲାତିଆଳୁ ପରି ବଡ଼, ଖାଇଲେ ଖୁବ୍‌ ମିଠା ଲାଗେ । ଏହା ଶୁଣି ନିଶାର ପାଟିରୁ ପଦାର୍ଥ ବିଶେଷ ବହିପଡ଼ିଲା । ଗୋଟିଏ ନୂତନ ପଦାର୍ଥ ଦେଖିବ ପୁଣି ଚାଖିବ, ଏ ଆନନ୍ଦ, ଏ ଲାଳସା କି ସମ୍ଭାଳି ହେବାର କଥା ? କିନ୍ତୁ ପରେ ଦେଖାଗଲା—ବନ୍ଧୁ ଚନ୍ଦ୍ରଟି କେତେକ ବରକୋଳି ଆଣି ଭେଟିଲେ । ନିଶାର ଉଦ୍‌ବେଳ ଆନନ୍ଦ ଆକାଙ୍‍କ୍ଷା ଜୁଆରରେ ଭଟ୍ଟା ପଡ଼ିଗଲା । ସେ କହିଲା—କିରେ ଲରିଆ, ଏ କଅଣ, ବରଫଳ ନା ବରକୋଳି ? ଲରିଆ କହିଲା—ଏହି ପରା ବରଫଳ । ନିଶା ଆଉ କଅଣ କରିବ, ଆମ୍ବିଳା ଖାଇଲା ପରି ତାହାର ମନ ଫିକାପଡ଼ିଗଲା । ସେ ବୁଦ୍ଧିମାନ୍ ବନ୍ଧୁ ରତ୍ନଟିକୁ ଦୁଇଚାରିଟା ମଧୁର ସମ୍ବୋଧନ ପ୍ରୀତ୍ୟୁପହାର ଦେଇ ନୀରବ ହେଲା । ଏ ଅଞ୍ଚଳରେ ଗଉଡ଼କୁ ଲରିଆ କହନ୍ତି । ଆଜିକାଲି ଲରିଆ ବୋଲି କହିଲେ ମୋଟର ଚାଳକ ଅର୍ଥାତ୍ ଲରୀଚାଳକକୁ ବୁଝାଇବ । ଯେପରି ଶଗଡ଼ିଆ, ବଳଦିଆ ଇତ୍ୟାଦି । ଏ ଅଞ୍ଚଳର ଇତର ଶ୍ରେଣୀରେ ‘‘ଣ’’ ‘‘ଳ’’ର ବ୍ୟବହାର ପ୍ରାୟ ନାହିଁ । ସେମାନେ ଉକ୍ତ ଦୁଇବର୍ଣ୍ଣକୁ ‘‘ନ’’ ‘‘ଇ’’ ରୂପେ ଉଚ୍ଚାରଣ କରନ୍ତି । ଲରିଆ କହେ ଉନିଶି (ଊଣାଇଶ), ନାତୁନୀ (ନାତୁଣୀ), ଚାଲିଶି, କଦଲୀ ଇତ୍ୟାଦି । କିନ୍ତୁ ଶିକ୍ଷିତଶ୍ରେଣୀର ଭାଷା ଓଡ଼ିଶା ଅଞ୍ଚଳର ଭାଷା ପରି, ତାହା ବାରିହୁଏ ନାହିଁ ।

 

ସନ୍ଧ୍ୟା ସମୟରେ ହେଡ଼ମାଷ୍ଟର ଶ୍ରୀଯୁକ୍ତ ବାସୁଦେବ ପଟ୍ଟନାୟକ ବି. ଏ., ଡି. ଇଡି. ମହାଶୟ ଆସି ପହଞ୍ଚିଲେ । ତାଙ୍କର ପ୍ରତିଷ୍ଠା ମୁଁ ପୂର୍ବରୁ ଶୁଣିଥିଲି । ତାଙ୍କର ଶିକ୍ଷାଦାନ ପ୍ରଣାଳୀ ଅତି ଉତ୍କୃଷ୍ଟ । ସୁଶିକ୍ଷକମାନଙ୍କର ଯେଉଁ ସମସ୍ତ ସଦ୍‌ଗୁଣ ଥାଏ, ତାହା ତାଙ୍କଠାରେ ପୂର୍ଣ୍ଣମାତ୍ରାରେ ଦେଖିଲି । ସେ ଜଣେ ଶାନ୍ତ, ସହିଷ୍ଣୁ ଏବଂ ସରଳ ପ୍ରକୃତି ବିଶିଷ୍ଟ ପ୍ରବୀଣ ଶିକ୍ଷକ ବୋଲି ତାଙ୍କ ଛାତ୍ରମାନଙ୍କ ମୁଖରୁ ଶୁଣିଅଛି । ତାଙ୍କଠାରୁ ସ୍କୁଲ ବିଷୟରେ ଏବଂ ସ୍ଥାନୀୟ ଶିକ୍ଷା ବିଧାନ ସମ୍ବନ୍ଧରେ ମୁଁ ଅନେକ ତଥ୍ୟ ଅବଗତ ହେଲି । ଭବାନୀପାଟଣା ହାଇସ୍କୁଲର ଛାତ୍ରସଂଖ୍ୟା ତିନିଶତରୁ ଅଧିକ । ଗୋଟିଏ ଶିଖ୍‌ ଛାତ୍ର ଆଗାମୀ ବିଭାଗୀୟ ପରୀକ୍ଷାକୁ ନିର୍ବାଚିତ ହୋଇଅଛି । ଅତୀବ ଆନନ୍ଦର ବିଷୟ, ଛାତ୍ରଟି ଓଡ଼ିଆ ଭାଷାକୁ ମାତୃଭାଷା ରୂପେ ଗ୍ରହଣ କରିଅଛି । ବାସୁଦେବ ବାବୁଙ୍କ ଦ୍ୱାରା ସ୍କୁଲର ବିଶେଷ ଉନ୍ନତି ସାଧିତ ହେଇଅଛି । ସେ ଜଣେ ଆଦର୍ଶ ଶିକ୍ଷକ । ସ୍କୁଲର ଛାତ୍ରଦତ୍ତ ବେତନ ଖୁବ୍‌ ଊଣା, ତାହା ଓଡ଼ିଶାର ମାଇନର ସ୍କୁଲରେ ବେତନ ସଙ୍ଗେ ପ୍ରାୟ ସମାନ । ହେଡ଼ମାଷ୍ଟର ବାବୁ କଟକ ଜିଲାବାସୀ । ସେ ଶିକ୍ଷାବିଭାଗର ଗୋଟିଏ ରତ୍ନ । ତାଙ୍କ ସଙ୍ଗରେ ନାନା ବିଷୟରେ ଆଲୋଚନା ହୋଇଥିଲା । ସେ ଏକାଧିକ ବାର ମୋର ବସାକୁ ଆସି ମୋତେ ବିଶେଷ ଅନୁରୋଧ କରିଅଛନ୍ତି ।

 

ଯୁବକ କବି ମାୟାଧର ମାନସିଂହଙ୍କୁ ମୁଁ ଏହିଠାରେ ପ୍ରଥମେ ଦେଖିଲି । ସେ ଅଳ୍ପଦିନ ହେଲା ଆସିଷ୍ଟାଣ୍ଟ ହେଡ଼ମାଷ୍ଟର କାର୍ଯ୍ୟରେ ଏଠାକୁ ଆସିଅଛନ୍ତି । ତାଙ୍କର ଅନେକ ଲେଖା ଏବଂ ଖଣ୍ଡେ ଦୁଇଖଣ୍ଡ ପୁସ୍ତକ ମୁଁ ପଢ଼ିଅଛି । ସେଥିରେ ଯୁବକ-ସୁଲଭ ଟିକିଏ ସ୍ୱେଚ୍ଛାଚାର ପରିଦୃଷ୍ଟ ହୁଏ-। ମାତ୍ର ତାହା ଧର୍ତ୍ତବ୍ୟ ନୁହେ-ବୟୋଧର୍ମର ପ୍ରଭାବ । ତାଙ୍କର ଗଦ୍ୟ ପଦ୍ୟ ଉଭୟ ଲେଖା ଉଚ୍ଚ ଧରଣର । ନୂତନ ଶିକ୍ଷା ଓ ନୂତନ ଆଦର୍ଶ ସେଥିରେ ଯଥେଷ୍ଟ ଅଛି । ସାହିତ୍ୟକ୍ଷେତ୍ରରେ ତାଙ୍କୁ ପ୍ରତିଷ୍ଠିତ ଦେଖି ମୁଁ ବିଶେଷ ମୁଗ୍‌ଧ । ତାଙ୍କର ପ୍ରତିଭା ଅତି ମୂଲ୍ୟବାନ୍‌ । ସେ ମଧ୍ୟ ଏକାଧିକବାର ମୋ ବସାକୁ ଆସି ନାନା ବିଷୟର ଆଲୋଚନା ଦ୍ୱାରା ମୋତେ ଯଥେଷ୍ଟ ଆନନ୍ଦ ଦାନ କରିଅଛନ୍ତି । ଉଚ୍ଚ ଲକ୍ଷ୍ୟ ଘେନି କର୍ମକ୍ଷେତ୍ରରେ ଯଶସ୍ୱୀ ହେବା ତାଙ୍କ ପକ୍ଷରେ ବାସ୍ତବରେ ଗୌରବର ବିଷୟ ।

 

ଆଜି ଦିନଟି ମୋ ଭାଗ୍ୟରେ ଗୋଟିଏ ସୁଦିନ । ଏତେଗୁଡ଼ିଏ ବିଶିଷ୍ଟ ସୁବନ୍ଧୁ ଲାଭ କରିବା ପରମ ସୌଭାଗ୍ୟର ବିଷୟ । ସଜ୍ଜନ ସହ ସଦାଳାପ ସଂସାର ବିଷବୃକ୍ଷର ଗୋଟିଏ ଅମୃତ ଫଳ ବୋଲି ଯାହା ମହାଜନୋକ୍ତି ଅଛି, ତାହା ସତ୍ୟ ଓ ସାର୍ଥକ । ଆଜି ଦିନଟି ମହାସୁଖ ଓ ମହାନନ୍ଦରେ ଅତିବାହିତ ହେଲା । ନୈଶ ଭୋଜନ ପରେ ମୁଁ ନିଦ୍ରାଦେବୀଙ୍କ ଆରାଧନାରେ ଆତ୍ମନିୟୋଗ କଲି। ଦେବୀ ମଧ୍ୟ ସେଦିନ କରୁଣା ଦାନରେ କୃପଣତା କରି ନାହାନ୍ତି ।

 

ଆବାଲ୍ୟ ଅଭ୍ୟାସ ହେତୁ ରାତ୍ରିର ଶେଷଯାମରେ ନିଦ୍ରା ଭାଙ୍ଗିଗଲା । କାର୍ତ୍ତିକବ୍ରତୀମାନଙ୍କର ଶଙ୍ଖ ହୁଳହଳି ଶବ୍ଦରେ ରଜନୀ ମୁଖରିତ ହୋଇଉଠିଲା । ସଂକୀର୍ତ୍ତନର ମଧୁର ପବିତ୍ର କୋଳାହଳ ମଧ୍ୟ କର୍ଣ୍ଣରେ ଅମୃତ ବର୍ଷଣ କରିବାକୁ ଲାଗିଲା । ଏକେ ତ ମଧୁର ପ୍ରଭାବ, ତାହା ଉପରେ ମଧୁର ହରିନାମ ସଂକୀର୍ତ୍ତନ, ବାସ୍ତବରେ ମଧୁ ଉପରେ ମଧୁବୃଷ୍ଟି ହେଲାପ୍ରାୟ ବୋଧହେଲା । ବିଷୟ-କଳୁଷିତ ମନ ଯାଇ କେଉଁ ଅଜ୍ଞାତ ଆନନ୍ଦଧାମରେ ବିଚରଣ କଲା । ସତେ ଯେପରି ମୁଁ ପାର୍ଥିବ ଜୀବ ନୁହେଁ, କେଉଁ ସୁଖମୟ ସ୍ୱପ୍ନସ୍ୱର୍ଗରେ ମୁଁ ଉପସ୍ଥିତ, ତାହା ଅନୁଭବ କରିପାରିଲି ନାହିଁ । ଦୂରରୁ ଉଠ ଉଠ ପାହିଲା ରଜନୀ ହେ ରଘୁମଣି’’ ଭକ୍ତକଣ୍ଠୋତ୍‌ଥିତ ପ୍ରଭାବ ସଙ୍ଗୀତର ମଧୁର ମୂର୍ଚ୍ଛନା ଧ୍ୱନି ନୈଶସମୀରଣ ବହିଆଣିଲା । ସେ ଧ୍ୱନି କି ମଧୁର, କି ପବିତ୍ର, କି ଉନ୍ମାଦନାପୂର୍ଣ୍ଣ, ତାହା ଭୁକ୍ତଭୋଗୀମାତ୍ରେ ଅବଗତ । ସେ ଧ୍ୱନି ଚିତ୍ତକୁ ଆର୍ଦ୍ରୀଭୂତ କରିଦେଲା । ସେ ସମୟ ପକ୍ଷରେ ମନରେ ଆତ୍ମବିସ୍ତୃତି ଆନୟନ କରିବା ଅତି ସହଜସାଧ୍ୟ । ପ୍ରଭାତ ମନର କଠୋର ବାହ୍ୟବୃତ୍ତିକୁ କୋମଳରୁ କୋମଳତର କରିଦେଇ ଅନ୍ତର୍ମୁଖୀ କରିଦିଏ । ସାଧକ ପକ୍ଷରେ ତାହା ମହାସୌଭାଗ୍ୟର ମହାଶୁଭଯୋଗ । ସେକାଳର ସୁଖ-ସେକାଳର ଆନନ୍ଦ ସର୍ବଥା ବାଞ୍ଛନୀୟ ଏବଂ ସର୍ବଥା ଉପଭୋଗ୍ୟ । ସେ ମହାଶୁଭକାଳ ମୂଢ଼ ମନକୁ ଧର୍ମଭାବରେ ପ୍ରରୋଚିତ କରି ଅମର ଦୁର୍ଲଭ ଶାନ୍ତିଧାମକୁ ଘେନିଯାଏ ।

 

ଭବାନୀପାଟଣାରେ ସପ୍ତାହରେ ଦୁଇଥର ହାଟ ବସେ । ସେଠାରେ ବାଲେଶ୍ୱରୀ ସେର ପ୍ରଚଳିତ । ଅଧଲା ପାହୁଲା, ଏ ରାଜ୍ୟରେ ଚଳେ ନାହିଁ । ହାଟରେ ସବୁପ୍ରକାର ପନିପରିବା ମିଳେ । କୋବି, ସାଲଗମ ପ୍ରଭୃତି ବିଦେଶୀୟ ଫସଲ ଖୁବ୍‌ ଶୀଘ୍ର ହୁଏ । ସକଳ ପ୍ରକାର ଶସ୍ୟ, ଲୌହଜାତ ପଦାର୍ଥ, ଲୁଗା ପ୍ରଭୃତି ହାଟକୁ ଅଧିକ ଆସେ । ଚାଉଳ ବର୍ତ୍ତମାନ ଟଙ୍କାଙ୍କୁ ୩୨ ସେର ମିଳୁଅଛି । ବର୍ହିବାଣିଜ୍ୟ ବନ୍ଦ ହୋଇଥିବାରୁ ଏଭଳି ଶସ୍ତା ହୋଇଅଛି । ହାଣ୍ଡିର ଗଠନ ବଡ଼ ସୁନ୍ଦର । ସେଥିରେ ନାନାପ୍ରକାର କାରୁକାର୍ଯ୍ୟ ହୋଇଥାଏ । ଶିଳ୍ପର ବୈଚିତ୍ୟ ପ୍ରାୟ ସବୁ ପଦାର୍ଥରେ ଦେଖାଯାଏ । ଆଜି ସକାଳେ ମୁଁ ଟିକିଏ ବୁଲିବାକୁ ଯାଇଥିଲି । ବାଟ ପାଖରେ ଦୁଇଟି ପୋଷା ମହାବଳ ବାଘ ଦେଖିଲି । ବନରାଜ ବନ୍ଦୀ ହୋଇ ସୁଦ୍ଧା ଗର୍ବରେ ଫାଟି ପଡ଼ୁଅଛନ୍ତି । ଭୀତିପ୍ରଦ ସଦର୍ପ ଚାହାଣି, ଉଦାର ପଦକ୍ଷେପ ତାଙ୍କର ପୂର୍ବବଡ଼ିମା ବଞ୍ଚାଇ ରଖିଅଛି । ବୀର ଯେଉଁ ଅବସ୍ଥାରେ ଥିଲେ ସୁଦ୍ଧା ସେ ବୀର, ଊର୍ଦ୍ଧ୍ୱଶିର ।

 

ଆଜି କେତେକ ସ୍କୁଲଛାତ୍ର ମୋତେ ଦେଖିବାକୁ ଆସିଥିଲେ । ପିଲାଗୁଡ଼ିକ ଶାନ୍ତ, ସୁଶୀଳ । ବାକ୍ୟରେ ବା ବ୍ୟବହାରରେ ତିଳେମାତ୍ର ଅଶିଷ୍ଟତା ବା ଔଦ୍ଧତ୍ୟ ନାହିଁ । ଏହି ବାଳବ୍ରହ୍ମଚାରିଗୁଡ଼ିଙ୍କର ନୈତିକ ବ୍ୟବହାର ଦେଖି ମନରେ ବିଶେଷ ଆନନ୍ଦ ଜାତ ହେଲା, ପ୍ରକୃତି ସୁନ୍ଦର, କଥା ସୁନ୍ଦର, ବ୍ୟବହାର ସୁନ୍ଦର; ସୁନ୍ଦର ପଦାର୍ଥର ସବୁ ସୁନ୍ଦର ।

 

ଅପରାହ୍‌ଣ ୫ଟା ସମୟରେ ଷ୍ଟେଟ୍‍ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀଯୁକ୍ତ ମହେଶ୍ୱର ପାଢ଼ୀ ମହୋଦୟ ଆସି ଉପସ୍ଥିତ ହେଲେ । ସେ ଜଣେ କଳାହାଣ୍ଡିର ସୁସନ୍ତାନ । ଏଡ଼େ ବଡ଼ ଭଲକର୍ମଚାରୀ; ମାତ୍ର ଅଭିମାନ-ଆଡ଼ମ୍ବର-ଶୂନ୍ୟ । ସେ ମୋ ସଙ୍ଗରେ ଠିକ୍‌ ଅନ୍ତରଙ୍ଗ ପୁରୁଣା ବନ୍ଧୁ ପରି ବ୍ୟବହାର କଲେ । ସେ ଯେଉଁ ପରି ଚତୁର, ସେହିପରି ସରଳ ଏବଂ ସେହିପରି କର୍ମଠ । ନିରପେକ୍ଷ ବିଚାରକ ବୋଲି ତାଙ୍କର ବିଶେଷ ଖ୍ୟାତି ମଧ୍ୟ ଅଛି । ତାଙ୍କର ଉପସ୍ଥିତ ବୁଦ୍ଧି ଏପରି ତୀକ୍ଷ୍‌ଣ ଯେ, ସେ ଅତି ସହଜରେ ଏବଂ ଅତି ଅଳ୍ପ ସମୟରେ ଚୋର, ଡକାଏତ ପ୍ରଭୃତି ଗୁରୁତର ଅପରାଧୀମାନଙ୍କୁ ଧରିପାରନ୍ତି । ତାଙ୍କ ଭଳି କର୍ତ୍ତବ୍ୟନିପୁଣ ସଦାଶୟ ହାକିମ ଲୋକରକ୍ଷୀ ପୋଲିସ ବିଭାଗର ସୁଦୃଢ଼ ସ୍ତମ୍ଭସ୍ୱରୂପ । ମହେଶ୍ୱର ବାବୁ ଯିବାବେଳେ କହିଗଲେ ମୁଁ ଯାଉଛି, ମହାରାଜାଙ୍କ ଛାମୁରୁ ସମୟ ବୁଝି ଆପଣଙ୍କ ସାକ୍ଷାତ୍‌ର ବ୍ୟବସ୍ଥା କରିବି । ପ୍ରାୟ ରାତି ୮ଟା ସମୟରେ ସେ ରାଜବାଟୀରୁ ଫେରିଆସି କହିଲେ ମହାରାଜା ମୋତେ ଆଦେଶ କରିଅଛନ୍ତି–କାଲି କଚେରୀ ଭାଙ୍ଗିବା ପରେ ମୁଁ ମୋଟର ଆଣି ଆପଣଙ୍କୁ ନେଇଯିବି । କାଲି ସନ୍ଧ୍ୟା ୬ଟା ବେଳେ ମୁଁ ଆସିବି । ଆପଣଙ୍କୁ ମହାରାଜାଙ୍କ ସହ ସାକ୍ଷାତ୍‌ କରାଇ ପୁଣି ଆଣି ଛାଡ଼ିଦେଇ ଯିବି । କେତେ ଗଳ୍ପସଳ୍ପ ପରେ ମହେଶ୍ୱର ବାବୁ ପ୍ରସ୍ଥାନ କଲେ ।

 

ପରଦିନ ଯଥାସମୟରେ ପୋଲିସ ସାହେବ ଆସି ମୋତେ ନେଇଗଲେ । ଆମ୍ଭେମାନେ ପୂର୍ବବର୍ଣ୍ଣିତ ଅଫିସ ପ୍ରକୋଷ୍ଠରେ ଯାଇ ବସିଲୁଁ । ପରେ ପରେ ଆସିଷ୍ଟାଣ୍ଟ ଦେବାନ, ବାଲାଜିମୁଣ୍ଡ, ହାଇସ୍କୁଲରେ ହେଡ଼ପଣ୍ଡିତ, ଡାକ୍ତର ବାବୁ ଆସି ବସିଲେ । ପ୍ରାୟ ୧୦ ମିନିଟ୍‌ ପରେ ମାନନୀୟ ମହାରାଜା ବିଜେ ହେଲେ । ବେଶଭୂଷାରେ ଆଡ଼ମ୍ବର ନାହିଁ । ପରିଚ୍ଛଦ ମଧ୍ୟରେ ଖଣ୍ଡିଏ ସାଧାରଣ କାମିଜ । ମୁଖମଣ୍ଡଳ ପ୍ରତିଭା ଜ୍ୟୋତିରେ ଉଦ୍ଭାସିତ, କରୁଣାରେ ଶୀତଳ । ମହାରାଜା ଖଣ୍ଡିଏ ସାଧାରଣ ଚୌକି ଟାଣିନେଇ ମୋର ସମ୍ମୁଖରେ ବସିଲେ । ମଣିରତ୍ନ-ଭାରାକ୍ରାନ୍ତ ଚୌକି ବା ମହାର୍ହ୍ୟ ସ୍ୱର୍ଣ୍ଣରୌପ୍ୟାସନ ଦରକାର ହେଲାନାହିଁ । ଆଦର୍ଶ ନୃପତିମାନଙ୍କର ମୁକୁଟମଣ୍ଡିତ ରାଜବେଶ ମହତ୍ତ୍ୱର ପରିଚାୟକ ନୁହେ-ସହଜ ସରଳ ବେଶହିଁ ମହାମହତ୍ତ୍ୱର ପରିଚାୟକ । ମହାରାଜା ମୋ ସହିତ କଥାବାର୍ତ୍ତା ଆରମ୍ଭ କଲେ । ସ୍ଥାନୀୟ ବିଷୟ, ସାହିତ୍ୟ ବିଷୟ ଏବଂ ଅନ୍ୟାନ୍ୟ ବିଷୟର ଆଲୋଚନା ହେଲା । ମହାରାଜାଙ୍କ ହୃଦୟ ଅତି ଉଦାର ଓ ମହତ୍‍, ଏହା ତାଙ୍କର ପ୍ରତି କଥାରୁ ଆତ୍ମପ୍ରକାଶ କରୁଥାଏ । ଶେଷରେ ମହାରାଜା ମୋତେ କହିଲେ ଆପଣ ଶେଷ ଜୀବନରେ କଳାହାଣ୍ଡି ଆସିଅଛନ୍ତି, ଏଠାରେ କେତେ ଦିନ ରହି ସ୍ଥାନୀୟ ଦୃଶ୍ୟମାନ ଦେଖିଯାଉନ୍ତୁ, ମୁଁ କାଲିଠାରୁ ବ୍ୟବସ୍ଥା କରିଦେବି । ମୁଁ ଆନନ୍ଦର ସହିତ ସମ୍ମତି ଜଣାଇ ସଙ୍ଗରେ ଜଣେ ବିଶେଷଜ୍ଞ ଦେବାକୁ କହିଲି । ମାନନୀୟ ମହୋଦୟ ସେହିକ୍ଷଣି ବାଲାଜି ପଣ୍ଡିତଙ୍କୁ ସେ କାର୍ଯ୍ୟରେ ନିଯୁକ୍ତ କଲେ । ପ୍ରାୟ ଘଣ୍ଟାକ ପରେ ମୁଁ ବିଦାୟ ନେଇ ଆସିଲି । ମହେଶ୍ୱର ବାବୁ ମୋତେ ଆଣି ବସା ବଙ୍ଗଳାରେ ଛାଡ଼ିଗଲେ । ମହାରାଜାଙ୍କ ସହିତ ସାକ୍ଷାତ୍‌କରି ଆଜି ମୋ ମନରେ ଅପୂର୍ବ ଆନନ୍ଦ ଜାତ ହେଲା । ରାଜା ମର୍ତ୍ତ୍ୟର ଦେବତା, ସୁତରାଂ ରାଜଦର୍ଶନ ଦେବଦର୍ଶନ ତୁଲ୍ୟ । ଦେବ-ଦର୍ଶନରେ ଆନନ୍ଦ ଜାତ ହେବା ସ୍ୱାଭାବିକ । ବିଶେଷତଃ ସ୍ଥାନୀୟ ଦୃଶ୍ୟ ଦର୍ଶନର ସୁବିଧା ମିଳିଲା, ଏହା ଅପେକ୍ଷା ବାଞ୍ଛନୀୟ ସୌଭାଗ୍ୟ ଆଉ କଅଣ ଅଛି ? ପୁନଶ୍ଚ ଜଣେ ଦେଶବରେଣ୍ୟ ମହାରାଜା ଜଣେ ସାଧାରଣ ଲୋକ ସଙ୍ଗରେ ବନ୍ଧୁ ପରି ବ୍ୟବହାର କରିବା ସାମାନ୍ୟ ସୌଭାଗ୍ୟର ବିଷୟ ନୁହେ ! ଆଶା ସାଫଲ୍ୟମଣ୍ଡିତ ହେଲେ ଆନନ୍ଦ ସ୍ୱତଃ ଆସି ଚିତ୍ତକୁ ସ୍ପର୍ଶ କରେ ।

 

ତହିଁ ପରଦିନ କଳାହାଣ୍ଡିର ଦ୍ରୋଣ ଗୁରୁ ବାଲାଜି ପଣ୍ଡିତ ମହାଶୟ ମୋଟର ଆଣି ମୋତେ ସହର ଦେଖାଇବାକୁ ନେଇଗଲେ । ଗତିପଥ ମଧ୍ୟରେ ପ୍ରଥମେ ହାତୀଶାଳା ପଡ଼ିଲା । ହାତୀମାନଙ୍କ ପାଇଁ ଖୁବ୍‌ ଉଚ୍ଚ ବଡ଼ଘର ଶ୍ରେଣୀବଦ୍ଧ ଭାବରେ ନିର୍ମିତ ହୋଇଅଛି । ଅଠର ଘର ହାତୀ ହାତୁଣୀ ବନ୍ଧାହୋଇ ଆନନ୍ଦରେ ଝୁଲୁଅଛନ୍ତି । ସେଥିମଧ୍ୟରୁ କେତେଗୋଟି ଗିରିଚୂଡ଼ା ପରି ପ୍ରକାଣ୍ଡକାୟ, କେତେକ କରଭ ଅବସ୍ଥା ପାର ହୋଇ କୌଶୋରରେ ଉପନୀତ, କେତେଗୋଟି ତରୁଣ । ହାତୀଗୁଡ଼ିକ ହୃଷ୍ଟପୁଷ୍ଟ ଓ ସୁନ୍ଦର । ସେମାନଙ୍କ ନାମଗୁଡ଼ିକ ମଧ୍ୟ ସୁନ୍ଦର ଏବଂ ଗଜରାଜ ଗଜରାଣୀର ଉପଯୁକ୍ତ । ନାମଗୁଡ଼ିକ ନିମ୍ନରେ ଲିଖିତ ହେଲା । ବୀରବାହାଦୂର, କାଳିପ୍ରସାଦ, ସଭାମଣ୍ଡନା, ବନରାଣୀ, ଫୁଲକେଳି, ନାଜିରଜଙ୍ଗ, ଅଞ୍ଜନାବତୀ, ମଞ୍ଜୁଳା, ମହେଶ୍ୱରପ୍ରସାଦ, ଜଗମୋହନ, ଗଣ୍ଠିଧନ, ବିଜୟକୁମାର, ବାବୁଲାଲ, ଗିରିଧାରୀ ଲାଲ, ବିମଳା, ମନୋହର ପ୍ରସାଦ, କନକଲତା ଓ କନକପିଆରୀ । ଏମାନଙ୍କ ମଧ୍ୟରୁ ବୀରବାହାଦୂର ରାଜପାଟହସ୍ତୀ । ତାହା ଦାନ୍ତରେ କାରୁକଳାମଣ୍ଡିତ ଅଳଙ୍କାର ବଡ଼ ସୁନ୍ଦର ଦିଶୁଅଛି । ଭୂଷଣ ଓ ପଦଗୌରବ ତାହାର ଦୃଷ୍ଟିକୁ ଗର୍ବ-ଗଭୀର କରିଅଛି । ରାଜଦତ୍ତ ଅନ୍ନଜଳରେ ପରିପାଳିତ ହୋଇ ହାତୀଗୁଡ଼ିକ ପ୍ରକାଣ୍ଡ ଗର୍ଭଗଞ୍ଜଣା ଭୁଲିଯାଇ ନିଶ୍ଚିନ୍ତ ଅଛନ୍ତି । କିନ୍ତୁ ନିଜର ସହଜାତ ସ୍ୱାଧୀନତା ହରାଇ ଯେ ଭିତରେ ଭିତରେ ଦୁଃଖିତ ନ ଥିବେ, ତାହା କିଏ କହିପାରିବ ? ଗିରିଗୁହାରେ ଅବାଧ ବିହାର ଓ ନିର୍ମଳ ଝର ଜଳପାନ-ସୁଖ ସେମାନେ ଏବେ ସ୍ୱପ୍ନରେ ଭୋଗ କରୁଥିବେ । ସେମାନଙ୍କ ଜଠରାନଳ କୁଣ୍ଡରେ ପ୍ରତ୍ୟହ ବାରମହଣ ଧାନ ଆହୁତି ଦିଆଯାଏ । ପୁଷ୍କରିଣୀରେ ଜଳକେଳି କରିବାର ସୁବିଧା ସେମାନଙ୍କ ସକାଶେ କରାଯାଇଅଛି; ମାତ୍ର ତାହା ସୀମାବଦ୍ଧ । ସେମାନଙ୍କର ଯଥେଚ୍ଛାଚାରର ଦିନ ସରିଯାଇଅଛି । ପୂର୍ବସୌଭାଗ୍ୟ ହରାଇଥିଲେ ସୁଦ୍ଧା ରାଜାଶ୍ରୟରେ ସେମାନଙ୍କର ସୁଖ ସୁବିଧା ଊଣା ନୁହେ । ହୀନ ସେବାରେ ଫଳ ନାହିଁ ସିନା; ମାତ୍ର ମହତ୍‌ ଆଶ୍ରୟରେ ମହତ୍‌ ଫଳ ସ୍ୱତଃସିଦ୍ଧ ସତ୍ୟ ।

 

ସେଠାରୁ ‘‘ଆଶାସାଗର’’ ଦେଖିବାକୁ ଗଲି । ମହାରାଜାଙ୍କର ପିତାମହ ପୁଣ୍ୟଶ୍ଳୋକା ଆଶାକୁମାରୀ ମହାଦେବୀ ଏହି ଜଳକୀର୍ତ୍ତି ସ୍ଥାପନ କରିଅଛନ୍ତି । ପୁଷ୍କରିଣୀଟି ପ୍ରକାଣ୍ଡ । ପ୍ରସ୍ତର ସୋପାନାବଳୀ ସରସୁନ୍ଦରୀଙ୍କର ପରିଧେୟ ନୀଳ ପାଟଘାଗରା ପରି ସୁନ୍ଦର ଦିଶୁଅଛି । ତାହାର ସୁଗଭୀର ଜଳ କୀର୍ତ୍ତିକାରିଣୀଙ୍କ ହୃଦୟ ପରି ନିର୍ମଳ, ଶୀତଳ ଓ ସ୍ୱଚ୍ଛ । ସରୋବର-ଗର୍ଭ ନାନାବିଧ ଜଳଚର ପକ୍ଷୀଙ୍କର କଳକାକଳି ମୁଖର ।

 

ଭବାନୀପାଟଣା ଦେଉଳମାଳିନୀ ରାଜଧାନୀ । ଯେଉଁ ଆଡ଼କୁ ଚାହିଁଲେ ସେଆଡ଼େ ଦେଉଳ ଉପରକୁ ମୁଣ୍ଡ ଟେକି ଆକାଶକୁ ଚାହିଁଅଛି ଏବଂ ଆକାଶର ମହାବିରାଟତ୍ୱରେ ବୁଡ଼ିଯାଇ ସ୍ତବ୍‌ଧ ହୋଇ ଠିଆହୋଇଅଛି । ଦେଉଳର ବହୁଳତା ରାଜବଂଶର ଧର୍ମପ୍ରାଣତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ । ଦିନେ ପ୍ରଧାନ ଧର୍ମାନୁଷ୍ଠାନ ବାଲାଜିମଠ ଦେଖିବାକୁ ଯାଇଥିଲି । କିଛିଦୂରରେ ଗୋଟିଏ କ୍ଷୁଦ୍ର ପାହାଡ଼ ଦେଖାଗଲା । ପୂର୍ବେ ସେହି ପର୍ବତ ଉପରେ ପ୍ରାଣଦଣ୍ଡପ୍ରାପ୍ତ ଅପରାଧୀମାନେ ଫାସି ପାଉଥିଲେ । ସେହିହେତୁ ପର୍ବତର ନାମ ଫାସିଡ଼ୁଙ୍ଗର ହୋଇଅଛି । ଦୁର୍ଜନ ସ୍ପର୍ଶରେ ସଜ୍ଜନ କଳଙ୍କିତ ହେଲା ପରି ପ୍ରକୃତିର ମହାଯୋଗୀ ପର୍ବତଟିର ନାମ କଳଙ୍କିତ ହୋଇ ରହିଅଛି । ବାଲାଜି ମଠରେ ଲଛମନ୍‌ଜି ବିରାଜମାନ । ମଠଟି ପବିତ୍ର ନିକାଞ୍ଚନ ସ୍ଥାନରେ ଅବସ୍ଥିତ । ମଠମଧ୍ୟସ୍ଥ ଉତ୍ତୁଙ୍ଗ ଦେଉଳ କାରୁକାର୍ଯ୍ୟବିହୀନ ସରଳଭାବରେ ନିର୍ମିତ । ସିଂହଦ୍ୱାରରେ ଉଚ୍ଚ ଦୀପସ୍ତମ୍ଭ ଅଛି । କାର୍ତ୍ତିକମାସରେ ପ୍ରତ୍ୟହ ସେଥିରେ ଆକାଶଦୀପ ଦିଆହୁଏ । ସିଂହଦ୍ୱାରରେ ଦୁଇଟି ସଙ୍ଗୀନ୍‌ଧାରା ପ୍ରହରୀଙ୍କର ମୂର୍ତ୍ତି ଦଣ୍ଡାୟମାନ । ଗଠନ-ପ୍ରଣାଳୀ ଅତି ଚମତ୍କାର ! ଦୂରରୁ ଦେଖିଲେ ପ୍ରକୃତ ମୂର୍ତ୍ତି ପରି ଦେଖାଯାଏ । ତହିଁପରେ ଜୟବିଜୟ ମୂର୍ତ୍ତି ଶିଳାଶିଳ୍ପୀ ମୂର୍ତ୍ତି ପରିକଳ୍ପନାର ପରାକାଷ୍ଠା ପ୍ରଦର୍ଶନ କରିଅଛି । ମଠରେ ସଦାବର୍ତ୍ତ ଦିଆହୁଏ । ଚରିତ୍ରଦୋଷରୁ ମହନ୍ତ ବିତାଡ଼ିତ । ବର୍ତ୍ତମାନ ମହାରାଜାଙ୍କ ତତ୍ତ୍ୱାବଧାନରେ ମଠ ଚଳୁଅଛି । ସାଧୁସନ୍ଥ-ଅତିଥି-ସତ୍କାର ଏବଂ ସଦାବର୍ତ୍ତ ଦାନର ସୁନ୍ଦର ବ୍ୟବସ୍ଥା ଅଛି । ଦେବସେବା ଓ ଅତିଥିସେବା ନିର୍ବାହ ସକାଶେ ତିନିଖଣ୍ଡ ଗ୍ରାମ ଖଞ୍ଜାହୋଇଅଛି । ସିଂହାସନରେ ରାମ, ଲକ୍ଷ୍ମଣ, ସୀତାଙ୍କର ମୂର୍ତ୍ତି ବିରାଜମାନ । ମୂର୍ତ୍ତିତ୍ରୟ ମର୍ମର ପ୍ରସ୍ତରରେ ସୁଗଠିତ । ସିଂହାସନରେ ତାମ୍ରନିର୍ମିତ ସୁନ୍ଦର ବାଲାଜି ମୂର୍ତ୍ତି ମଧ୍ୟ ଅବସ୍ଥିତ । ଦେଉଳ ମଧ୍ୟରେ ଶଙ୍ଖଧର୍ମର ପ୍ରସ୍ତରନିର୍ମିତ ଶିବମୂର୍ତ୍ତି ମଧ୍ୟ ଅବସ୍ଥିତ । ବାମପାର୍ଶ୍ୱରେ ନୃସିଂହ ଓ ଦକ୍ଷିଣ ପାର୍ଶ୍ୱରେ ହନୁମାନ ଅଛନ୍ତି । ଦେଉଳ ଭିତରକୁ ଗଲେ ମନରେ ପାର୍ଥିବ-ବିକାର ନ ଥାଏ; ମନ ଧର୍ମଭାବରେ ଆଚ୍ଛନ୍ନ ହୋଇଯାଏ । ଯେଉଁଠାରେ ସାତ୍ତ୍ୱିକ ଭାବ ପ୍ରାଣକୁ ସ୍ପର୍ଶକରେ, ସେହିଠାରେ ହିଁ ପ୍ରକୃତରେ ଦେବତା ଥାଆନ୍ତି । ସେ ସ୍ଥାନ ସ୍ପର୍ଶ କଲେ ପାପୀ ଧାର୍ମିକ ହୁଏ, ଅପବିତ୍ର ପବିତ୍ର ହୁଏ, ସଂସାରୀ ବୈରାଗୀ ହୁଏ । ଦେଉଳଟି ମହନ୍ତ ନାରାୟଣ ଦାସଙ୍କ ସମୟରେ ନିର୍ମିତ ହୋଇଥିଲା । ଦେଉଳ ସମ୍ମୁଖସ୍ଥ ପୁଷ୍ପୋଦ୍ୟାନ ବିବିଧ ପୁଷ୍ପର ସୁଗନ୍ଧ ବିସ୍ତାର କରି ଦେବସ୍ଥାନର ମାହାତ୍ମ୍ୟ ବୁଦ୍ଧି କରୁଅଛି । ବେଢ଼ା ବାହାରେ ସୁନ୍ଦର ଦୋଳମଣ୍ଡପ ଅବସ୍ଥିତ । ଦେଉଳ ମଧ୍ୟରେ ଦେବତାଙ୍କ ସମ୍ମୁଖରେ ବସି ଦଶ ଅବତାର ସ୍ତବ ପାଠକଲି । ପଣ୍ଡିତ ମହାଶୟ ମଧ୍ୟ ସ୍ତବସ୍ତୁତି ଆବୃତ୍ତି କଲେ । ଉଭୟେ ବୃଦ୍ଧ, ବୟୋଧର୍ମରେ ଅଶକ୍ତ । ଯେ ଯାହା ବୁଝନ୍ତୁ ପଛେ; ମାତ୍ର ଧର୍ମଚିନ୍ତାରେ ଆମ୍ଭେମାନେ ଗୋଟାଏ ଆକସ୍ମିକ ଶକ୍ତି ଅନୁଭବ କରୁଁ । ଧର୍ମ ବଳ ମନୁଷ୍ୟର ସବୁବେଳେ ସହାୟ, ଏ ବିଶ୍ୱାସ ଆମ୍ଭମାନଙ୍କର ସ୍ୱାଭାବିକ । ଯେଉଁମାନେ ଅସ୍ମିତାର ଦୁର୍ଜୟ ଅଭିମାନରେ ଆପାଦଶିର ନିମଗ୍ନ ଥାଇ ଧର୍ମକୁ ବାହ୍ୟିକ ଚଟକ୍‌ ବୋଲି ଜ୍ଞାନ କରନ୍ତି, ସେହି ଶକ୍ତିଧରମାନଙ୍କର, ସେହି ଯୁକ୍ତିସର୍ବସ୍ୱ, ହୀନ ବିଶ୍ୱାସୀମାନଙ୍କର କଥା ସ୍ୱତନ୍ତ୍ର । ଗୋଟିଏ ଦିନର ଭ୍ରମଣ ଏହିଠାରୁ ଶେଷ କରି ଆମ୍ଭେମାନେ ଫେରିଆସିଲୁଁ ।

 

ଯିବାବେଳେ ଅନେକ ଗଳି, ଉପଗଳି ଦେଇ ଯିବାକୁ ହୋଇଥିଲା । ପଥ ଘାଟ ଖୁବ୍‌ ସଫାସୁତୁରା । ଏହା ମ୍ୟୁନିସିପାଲିଟିର ସତର୍କ ତୀକ୍ଷ୍‌ଣ-ଦୃଷ୍ଟିର ଫଳ । ଟାଉନର ଲୋକସଂଖ୍ୟା ସାତହଜାରରୁ ଅଧିକ । ବାଣିଜ୍ୟ ବ୍ୟବସାୟ ସୂତ୍ରରେ ଏବଂ ମାଲିମାମଲା ସମ୍ପର୍କରେ ଅଧିକ ଲୋକଙ୍କର ସମାଗତ ହୁଏ । ଏତେ ଜନଗହଳରେ ସୁଦ୍ଧା କେଉଁଠାରେ ଅପରିଷ୍କୃତ, ଅପରିଚ୍ଛନ୍ନ ଦେଖାଯାଏ ନାହିଁ। ସୁଦକ୍ଷ କର୍ମଚାରୀଙ୍କ ଦ୍ୱାରା ମ୍ୟୁନିସିପାଲିଟି ବିଭାଗ ପରିଚାଳିତ ହୁଏ । ବହୁଦର୍ଶୀ ପଣ୍ଡିତ ବାଲାଜିମୁଣ୍ଡ ମ୍ୟୁନିସିପାଲିଟିର ସେକ୍ରେଟେରୀ । ସଡ଼କଗୁଡ଼ିକ ସମସ୍ତ ପ୍ରକାର ଯାନବାହନର ଯାତାୟାତ ପକ୍ଷରେ ଖୁବ୍‌ ସୁଗମ୍ୟ । ହାଟ ବଜାରରେ ସୁଦ୍ଧା ମଇଳା ଜମି ରହିବାର ଦେଖାଯାଏ ନାହିଁ । ମ୍ୟୁନିସିପାଲିଟିର ତାବତୀୟ ବ୍ୟୟ ଯାଇ ୨୭୦୦ଟଙ୍କା ଜମା ଅଛି । ଗତ ଦୁର୍ଭିକ୍ଷ ସମୟରେ ଲୋକରକ୍ଷା ସକାଶେ ମ୍ୟୁନିସିପାଲିଟିର ପାଣ୍ଠିରୁ ଅନେକ ଅର୍ଥ ବ୍ୟୟିତ ହୋଇଥିଲା । ରୋଗ-ପୀଡ଼ାର ପ୍ରାବଲ୍ୟ ସମୟରେ ମ୍ୟୁନିସିପାଲିଟି ବିଶେଷ ଜାଗ୍ରତ ଥାଏ; ଯଥେଷ୍ଟ ଅର୍ଥବ୍ୟୟରେ ସେଥିର ଉପଯୁକ୍ତ ମଧ୍ୟ କରେ । ସ୍ଥୂଳତଃ ମ୍ୟୁନିସିପାଲିଟିର ପରିଚାଳନା ଅତି ସନ୍ତୋଷଜନକ । ସାଧାରଣ ସ୍ୱାସ୍ଥ୍ୟ ସୁବିଧା ପ୍ରତି ଉକ୍ତ ବିଭାଗ ସର୍ବଦା ତତ୍ପର । କରଧାର୍ଯ୍ୟ ମଧ୍ୟ ଯଥାସମ୍ଭବ ଊଣାରେ କରାଯାଏ । ଏଠାର ମ୍ୟୁନିସିପାଲିଟି ପୀଡ଼ା ଦିଏ ନାହିଁ-ଅଧିକନ୍ତୁ ସୁଖସୁବିଧା ଦାନକରେ । ଗାଧୋଇବା ସକାଶେ ଏବଂ ଧୋବାଙ୍କ ଲୁଗା କାଚିବା ସକାଶେ ସ୍ୱତନ୍ତ୍ର ଜଳାଶୟ ନିରୂପିତ ଅଛି । ସାଧାରଣଙ୍କର ପାନୀୟ ଜଳକୁ ପଶୁମାନେ ଦୂଷିତ କରିପାରନ୍ତି ନାହିଁ କିମ୍ବା ସେଥିରେ ଅନ୍ୟ କିଛି ଅପଚାର ହେବାର ଦେଖାଯାଏ ନାହିଁ । ଏ ସ୍ଥାନର ଜଳ ପରିଷ୍କୃତ ଓ ନିର୍ଦ୍ଦୋଷ-

 

ପରଦିନ ଗେଷ୍ଟହାଉସ୍‌ ବା ଡାକବଙ୍ଗଳା ଦେଖିବାକୁ ଗଲେ । ଦୋତାଲା ବଙ୍ଗଳା, ଖୁବ୍‌ ଫର୍ଚା ଜାଗାରେ ଅବସ୍ଥିତ । ଯେପରି ଯୋଗଜୀବନ ଯୋଗୀ ଗ୍ରାମଗହଳରୁ ବାହାରିଆସି ନିର୍ଜନରେ ଯୋଗ ସାଧନ କରୁଅଛି ! ପ୍ରତ୍ୟେକ ତଳରେ ଦୁଇଟି ଲେଖାଏଁ କକ୍ଷ ଅଛି । ସମସ୍ତ କକ୍ଷ ସମାନଭାବରେ ସଜ୍ଜିତ । ସେଠାରେ ବୈଦ୍ୟୁତିକ ଆଲୋକ, ପଙ୍ଖା, ଜଳକଳ ପ୍ରଭୃତି ସମସ୍ତ ସୁବିଧା ଅଛି । ଊର୍ଦ୍ଧ୍ୱତଳର ସମ୍ମୁଖରେ ବାୟୁସେବନ ସକାଶେ ପାରାପିଟ୍‌ବେଷ୍ଟିତ ଖଣ୍ଡିଏ ସୁନ୍ଦର ମୁକ୍ତସ୍ଥାନ ଅଛି । ସେଠାରେ ବସିଲେ ନିକଟବର୍ତ୍ତୀ ଗୁଣ୍ଡିଡୁଙ୍ଗର ମୁକ୍ତ ପାର୍ବତ୍ୟବାୟୁ ସେବନର ଖୁବ୍‌ ସୁବିଧା ହୁଏ । ବଙ୍ଗଳା ଆଗରେ ଫୁଲବଗିଚାଟି ନାନାପ୍ରକାର ଫୁଲର ପ୍ରଦର୍ଶନୀ ବସାଇଅଛି । ଦୂର ପର୍ବତ ଚୂଡ଼ାରେ ସୂର୍ଯ୍ୟାସ୍ତର ଦୃଶ୍ୟ ସେଠାକୁ ବଡ଼ ମନୋହର ଦିଶେ । ପର୍ବତ ଶିଖରରେ ଶୋଭାକୁ ଶୋଭା ଆଲିଙ୍ଗନ କରି ସୌନ୍ଦର୍ଯ୍ୟ ଓ ବୈଚିତ୍ର୍ୟର ମହୋତ୍ସବ ସୃଷ୍ଟିକରେ । ତାହା ଦେଖିବାର ବିଷୟ, ଲେଖିବାର ବିଷୟ ନୁହେ । ବଙ୍ଗଳାଟି ୧୯୩୪ ସାଲରେ ବର୍ତ୍ତମାନ ମହାରାଜା ନିର୍ମାଣ କରାଇଅଛନ୍ତି । ସେଥିରେ ଅର୍ଦ୍ଧଲକ୍ଷାଧିକ ଟଙ୍କା ବ୍ୟୟିତ ହୋଇଅଛି । ବଙ୍ଗଳାର ଗଠନପ୍ରଣାଳୀ ଓ ସାଜସଜ୍ଜା ଅତି ମନୋହର ।

 

ସେଠାରୁ ଜେଲଖାନା ଦେଖିବାକୁ ଗଲି । ଜେଲଖାନାଟି ପ୍ରକାଣ୍ଡ ଓ ସୁପ୍ରଶସ୍ତ । ସେଥିରେ ୪୩୨ କଣ କଏଦୀ ରହିପାରନ୍ତି । ବର୍ତ୍ତମାନ ୯୮ ଜଣ ଅଛନ୍ତି । ସ୍ତ୍ରୀ କଏଦୀମାନଙ୍କ ପାଇଁ ସ୍ୱତନ୍ତ୍ର ବନ୍ଦିଶାଳା ନିରୂପିତ ଅଛି । ବନ୍ଦୀମାନଙ୍କ ଶିକ୍ଷା ଓ ଚରିତ୍ର ଶୋଧନ ପାଇଁ ଭଲ ବ୍ୟବସ୍ଥା ଅଛି । ସେମାନେ ନାନାପ୍ରକାର କୃଷି ଓ ଶିଳ୍ପକାର୍ଯ୍ୟ କରନ୍ତି । ସ୍ୱଦେଶୀ, ବିଦେଶୀ ବହୁପ୍ରକାର କୃଷି ସେମାନେ କରନ୍ତି । ଶତରଞ୍ଜି, ଆସନୀ, ବିଛଣା ଚାଦର ଓ ନାନାପ୍ରକାର ଲୁଗା ବୁଣାଯାଏ । ଦଉଡ଼ିବଳା, ବଢ଼େଇ କାମ ଓ ତେଲପେଡ଼ା ପ୍ରଭୃତି ଅନେକ କାମ ସେମାନଙ୍କ ଦ୍ୱାରା କରାଇନିଆଯାଏ । ଦଶସେର ସୋରିଷରୁ ୩ସେର ତେଲ ବାହାରେ । କଏଦୀମାନେ ଗହମ ପେଷି ଅଟା ପ୍ରସ୍ତୁତ କରନ୍ତି । ଜେଲଖାନାରେ ପ୍ରତିଦିନ ମ ୧।୩୫ ସେର ବୁଟ ଭଙ୍ଗାହୁଏ । ଖାଲି ଦଣ୍ଡରେ ଚରିତ୍ର ସଂଶୋଧିତ ହୁଏ ନାହିଁ । ସେଥିପାଇଁ ଦଣ୍ଡଭୋଗ ସଙ୍ଗେ ସଙ୍ଗେ ଜୀବିକାର୍ଜନର ଉପାୟ ମଧ୍ୟ ଶିକ୍ଷା ଦିଆଯାଏ । ଅପରାଧୀମାନେ କଏଦୀଖାନାରୁ ମୁକ୍ତ ହୋଇ ତଦ୍ଦ୍ୱାରା ଜୀବନପୋଷଣର ଗୋଟାଏ ଅବଲମ୍ବନ କରିନିଅନ୍ତି । ଲୋକ ପେଟ ପୋଷିପାରିଲେ ଚୋରୀ, ଡକାଏତୀ ପ୍ରଭୃତି ଦୁଷ୍କର୍ମ କରିବାକୁ କଦାଚି ମନ ବଳାଇବ ନାହିଁ । କଏଦୀଖାନାରେ ଶିଷ୍ଟାଚାର ମଧ୍ୟ ଶିକ୍ଷା ଦିଆଯାଏ । ଦୁଇଜଣ ସ୍ତ୍ରୀ କଏଦୀ ବର୍ତ୍ତମାନ ଅଛନ୍ତି । ସେ ଦୁହେଁ ଆମ୍ଭମାନଙ୍କୁ ଦେଖି ହାତ ଯୋଡ଼ି ନମସ୍କାର କରିଥିଲେ । ଜଣେ ଜଣେ କଏଦୀ ପାଇଁ ଖଣ୍ଡିଏ ଲେଖାଏଁ ପକ୍‌କା ପିଣ୍ଡୀ ଓ ଖଣ୍ଡିଏ ଖଣ୍ଡିଏ କମ୍ବଳ ନିର୍ଦ୍ଧିଷ୍ଟ ଅଛି । ସେମାନଙ୍କ ପାଇଁ ଗାଧୋଇବା ସ୍ଥାନ, ପାଇଖାନା, ଜଳକଳ, ବୈଦ୍ୟୁତିକ ଆଲୋକର ମଧ୍ୟ ବ୍ୟବସ୍ଥା ଅଛି । ରହିବା ସ୍ଥାନ ଲୌହ ଜାଲିରେ ଘେରା । ରାତିରେ କିଏ କଅଣ କରୁଛି, ପ୍ରହରୀ ତାହା ବାହାରରୁ ଦେଖିପାରେ । କଏଦୀମାନଙ୍କୁ ପୂର୍ବାହ୍ନ ୧୧ଟା ସମୟରେ ଓ ଅପରାହ୍‌ଣ ୫ଟା ସମୟରେ ଭାତ, ଡାଲି, ତରକାରୀ ଖାଇବାକୁ ଦିଆଯାଏ । ମାଛ, ମାଂସର ବ୍ୟବସ୍ଥା ମଧ୍ୟ ଅଛି । ବିଚାରାଧୀନ ଦୋଷୀମାନେ ସୁଦ୍ଧା ଏହିଠାରେ ବନ୍ଦୀ ହୋଇ ରହନ୍ତି । ସେମାନଙ୍କୁ ମଧ୍ୟ କାମ କରିବାକୁ ହୁଏ । କଏଦୀଖାନା ବାହାରେ ଗୋଟାଏ ପ୍ରଶସ୍ତ ବଗିଚା ଅଛି । କଏଦୀମାନେ ସେଥିରେ ବିଲାତିଆଳୁ, କନ୍ଦମୂଳ, ସାରୁ, ବାଇଗଣ, କୋବି ପ୍ରଭୃତି ଫସଲ ପ୍ରଚୁର ପରିମାଣରେ କରିଅଛନ୍ତି ।

 

କଏଦୀଖାନା ମଧ୍ୟରେ ସ୍ୱତନ୍ତ୍ର ସ୍ଥାନରେ ଫାସିଖାନା ଅଛି । ସେଠାରେ ଉପଯମ ପରି ଗୋଟାଏ ପ୍ରକାଣ୍ଡ ସ୍ତମ୍ଭ ପୋତା ହୋଇଅଛି । ସେଥିରେ ଫାସି ଦିଆଯାଏ । ପ୍ରାଣଦଣ୍ଡପ୍ରାପ୍ତ ଲୋକମାନଙ୍କର ଶେଷ ନିଃଶ୍ୱାସରେ ସ୍ତମ୍ଭଟା କୃଷ୍ଣବର୍ଣ୍ଣ ଧାରଣ କରିଅଛି । ସେହି ଭୀଷଣ ସ୍ତମ୍ଭକୁ କେତେ ଲୋକଙ୍କର ପ୍ରେତାତ୍ମା ଅଦୃଶ୍ୟରେ ଆଲିଙ୍ଗନ କରି ରହିଅଛି, ସେଥିର ହିସାବ ଚିତ୍ରଗୁପ୍ତକୁ ଗୋଚର । ଫାସିଖାନାଟା ଠିକ୍‌ ଯମଖାନା ପରି ଭୟଙ୍କର । ଜେଲଖାନାରେ ୨୨ଜଣ ପ୍ରହରୀ ଅଛନ୍ତି । ଜେଲର ଏନାମ ରସୁଲ କଟକ ଜିଲାବାସୀ । ସେ ଆମ୍ଭମାନଙ୍କୁ ନେଇ ଆଗ୍ରହରେ ସବୁ ଦେଖାଇଥିଲେ । ସେ ଜଣେ ଅତି ଭଦ୍ରବ୍ୟକ୍ତି । ତାଙ୍କର ଆଦର ଅଭ୍ୟର୍ଥନା ଓ ଶିଷ୍ଟ ବ୍ୟବହାରରେ ଆମ୍ଭେମାନେ ଯତ୍ପରୋନାସ୍ତି ମୁଗ୍‌ଧ । ଆମ୍ଭେମାନେ ବିନା ଦୋଷରେ ନିଜ ଇଚ୍ଛାରେ ପ୍ରାୟ ଦୁଇଘଣ୍ଟାକାଳ ବନ୍ଦୀ ହୋଇ ସନ୍ଧ୍ୟା ସମୟରେ ଜେଲଖଲାସୀ ପରି ବାହାରକୁ ଆସିଲୁଁ ।

 

ଜେଲଖାନାର ସମ୍ମୁଖରେ ଛାପାଖାନା । ଷ୍ଟେଟର ସମସ୍ତ କାଗଜପତ୍ର ସେଠାରେ ଛାପାହୁଏ; ଛୋଟ ଛୋଟ ପୁସ୍ତକ ମଧ୍ୟ ମୁଦ୍ରିତ ହୁଏ । ପ୍ରେସରେ ସମସ୍ତ ପ୍ରକାର ଉପକରଣ ବହୁତ ଅଛି । ଜେଲର୍‌ ପ୍ରେସର ତତ୍ତ୍ୱାବଧାରକ । ତାଙ୍କର ପରିଚାଳନା ପ୍ରଣାଳୀ ସୁନିୟମବଦ୍ଧ, ସୁତରାଂ ପ୍ରଶଂସନୀୟ ।

 

ସେଠାରୁ କଚେରୀ ବାଟେ ଆସିବାକୁ ହେଲା । ଏହି ଅଂଶରେ ସମସ୍ତ ଅଫିସ ଅଦାଲତ ଅବସ୍ଥିତ । ପ୍ରଧାନ ଦେବାନ ସାହେବଙ୍କ କଚେରୀ, ଏସିଷ୍ଟାଣ୍ଟ ଦେବାନ, ମୁନସଫ୍‌, ତହସିଲଦାର, ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭୃତି ବଡ଼ ବଡ଼ ହାକିମଙ୍କର କଚେରୀ ଓ ଆଉ କେତେ ଅଫିସ ଏକତ୍ର ଏହି ଅଂଶରେ ଅଛି । କଚେରୀମାନ ମୋଗଲବନ୍ଦୀର ଗଭର୍ଣ୍ଣମେଣ୍ଟ କଚେରୀ ଆଦର୍ଶରେ ଗଠିତ ଓ ସଜ୍ଜିତ । ପ୍ରଧାନ ଦେବାନ ଶ୍ରୀଯୁକ୍ତ ବିନୋଦବିହାରୀ ମହାନ୍ତି ବି.ଏଲ୍‌. ଜଣେ ପ୍ରବୀଣ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି । ଉଚ୍ଚ ଅଧିକାରୀମାନଙ୍କର ଯେଉଁ ସମସ୍ତ ସଦ୍‌ଗୁଣ ଓ ଦକ୍ଷତା ବାଞ୍ଛନୀୟ, ତାହା ତାଙ୍କଠାରେ ପୂର୍ଣ୍ଣମାତ୍ରାରେ ଥିବାର ଦେଖାଯାଏ । ରାଜ୍ୟ ପରିଚାଳନା ଭଳି ବିଶେଷଜ୍ଞ ମତିମାନ୍‌ ବ୍ୟକ୍ତି ତାଙ୍କ ପରି କ୍ୱଚିତ୍‌ ଦେଖାଯାନ୍ତି । ରାଜ୍ୟ ଓଡ଼ିଆ, ରାଜା ଓଡ଼ିଆ, ସାନଠାରୁ ବଡ଼ ପର୍ଯ୍ୟନ୍ତ ପ୍ରାୟ ସମସ୍ତ କର୍ମଚାରୀ ଓଡ଼ିଆ ଏଭଳି ଶୁଭସଂଯୋଗ ଅନ୍ୟତ୍ର ଦୁର୍ଲଭ । ଏଡ଼େ ବଡ଼ ରାଜ୍ୟ କେବଳ ଓଡ଼ିଆମାନଙ୍କ ଦ୍ୱାରା ସୁପରିଚାଳିତ ହେବା ଓଡ଼ିଆ ଶକ୍ତି ଓ ଓଡ଼ିଆ ଯୋଗ୍ୟତାର ପ୍ରଶଂସନୀୟ ନିଦର୍ଶନ ନୁହେ କି ? ଓଡ଼ିଆ ମସ୍ତିଷ୍କର ପ୍ରତିଭା ଭାରତୀୟ କୌଣସି ଜାତିଠାରୁ ଊଣା ନୁହେ । ଉପଯୁକ୍ତ କ୍ଷେତ୍ର ପାଇଲେ ଓଡ଼ିଆ ତାହାର ବୈଶିଷ୍ଟ୍ୟ ପ୍ରଦର୍ଶନ କରିପାରେ, ଏହା କେହି ଅସ୍ୱୀକାର କରିପାରବେ ନାହିଁ । ଗଙ୍ଗାଠାରୁ ରାମେଶ୍ୱର ପର୍ଯ୍ୟନ୍ତ ସୁବିରାଟ ରାଜ୍ୟ ଯେ ଶାସନ ପାଳନ କରୁଥିଲା, ସେହି ଓଡ଼ିଆ ମହାଜାତି ପକ୍ଷରେ କଅଣ ଅସମ୍ଭବ ? ଆଉ ଗୋଟିଏ ବିଶେଷତ୍ୱ ଏହି ଯେ, ଏ ରାଜ୍ୟରେ ଓକିଲ ମୋକ୍ତାର ନାହାନ୍ତି । ମୁଦେଇ, ମୁଦାଲା ଓ ସାକ୍ଷୀମାନଙ୍କ ଜବାନବନ୍ଦୀ ଧରି ବିଚାର ହୁଏ । ଏହା ଅତି ସୁନ୍ଦର ରୀତି । ମୋକଦ୍ଦମାରେ ପ୍ରଜାମାନେ ବହୁ ଅର୍ଥ ବ୍ୟୟ କରି କ୍ଷତିଗ୍ରସ୍ତ ଓ ସର୍ବସ୍ୱାନ୍ତ ନ ହେବାର ଏହା ମଙ୍ଗଳଜନକ ଉପାୟ । ଏ ଦୁଇ ବିଷୟରେ କଳାହାଣ୍ଡି ଉତ୍କଳରେ ଆଦର୍ଶ ରାଜ୍ୟ । ଏଠାରେ ଖଜଣାକୁ ଟକୋଲି ଓ ଗସ୍ତ କରିବାକୁ ଦୌରା କହନ୍ତି । ରାଜ୍ୟର ଷ୍ଟାମ୍ପ୍‍, କୋର୍ଟଫିସ୍‌ ସ୍ୱତନ୍ତ୍ର ।

 

କଚେରୀ ହତାରୁ ପି. ଡବଲିଉ. ଡ଼ି. ଅଫିସବାଟେ ଆସିବାକୁ ହେଲା । ସେଠାରେ ଶାଳ, ପିଆଶାଳ ପ୍ରଭୃତି ବଡ଼ ବଡ଼ କାଠ ଚିରାହୋଇ ଶିଖ୍‌ ମିସ୍ତ୍ରୀମାନଙ୍କ ଦ୍ୱାରା ନାନାପ୍ରକାର କାଷ୍ଠଶିଳ୍ପ ପ୍ରସ୍ତୁତ ହେଉଅଛି । କବାଟ, ଖଟ, ଆଲମାରୀ, ଟେବୁଲ, ଚୌକି ପ୍ରଭୃତି ପଦାର୍ଥ ବଡ଼ ସୁନ୍ଦର ପରିପାଟୀରେ ନିର୍ମିତ । ପାଖରେ ଡାକ୍ତରଖାନା । ସ୍ତ୍ରୀ, ପୁରୁଷ ଉଭୟଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଗୃହ ଅଛି । ଜଣେ ଏମ୍‌.ବି. ଚିଫ୍‌ ମେଡ଼ିକଲ ଅଫିସର ଅଛନ୍ତି । ତାଙ୍କର ନାମ ଶ୍ରୀଯୁକ୍ତ ସୁମଥନାଥ ସରକାର । ସେ ଜଣେ ସୁପ୍ରବୀଣ ଲୋକପ୍ରିୟ ବ୍ୟକ୍ତି । ତାଙ୍କ ଚିକିତ୍ସାର ସୁଖ୍ୟାତି ସର୍ବଜନବିଦିତ । ରୋଗୀମାନଙ୍କ ପ୍ରତି ତାଙ୍କର ସ୍ନେହ ସଦୟ ବ୍ୟବହାର ବାସ୍ତବରେ ପ୍ରଶଂସନୀୟ । ତାଙ୍କ ଅଧୀନ ଜଣେ ସବ୍‌ ଏସିଷ୍ଟାଣ୍ଟସର୍ଜନ ଏବଂ କେତେ ଜଣ କମ୍ପାଉଣ୍ଡର ଅଛନ୍ତି । ସେମାନେ ମଧ୍ୟ ଯଥାଯୋଗ୍ୟ-। ଡାକ୍ତରଖାନାକୁ ବାର୍ଷିକ ଆଠହଜାର ଟଙ୍କାର ଔଷଧ ଏବଂ ଆବଶ୍ୟକ ଯନ୍ତ୍ରମାନ ଆସେ । ଡାକ୍ତରଖାନାର ସୁପରିଚାଳନା ଏବଂ ଚିକିତ୍ସାର ବ୍ୟବସ୍ଥା ଏହିଥିରୁ ଅନୁମେୟ । ଡାକ୍ତରଖାନା ପାଖରେ ପଶୁଚିକିତ୍ସାଳୟ ଅଛି । ତାହାର ପରିଚାଳନା ପ୍ରଣାଳୀ ମଧ୍ୟ ଅତି ଉତ୍କୃଷ୍ଟ । ଦୁଇଟିଯାକ ଦାତବ୍ୟ ଚିକିତ୍ସାଳୟ ।

 

ତତ୍ପରେ ହାଇସ୍କୁଲ । ୧୪ ଜଣ ଶିକ୍ଷକ ଶିକ୍ଷାକାର୍ଯ୍ୟ ପରିଚାଳନା କରନ୍ତି । ସ୍କୁଲଟି ୧୯୧୬ ରେ ଆରମ୍ଭ ହୋଇ ୧୯୨୦ ସାଲରେ ପୂର୍ଣ୍ଣତାପ୍ରାପ୍ତ ହୋଇଅଛି । ଛାତ୍ରସଂଖ୍ୟା ତିନିଶତରୁ ଅଧିକ । କେତେ ଜଣ ଆଦିମଜାତୀୟ ବାଳକ ମଧ୍ୟ ଅଧ୍ୟୟନ କରନ୍ତି । ମହାରାଜା ମହୋଦୟ ସ୍କୁଲ ପାଇଁ ଗୋଟିଏ ସୁନ୍ଦର ପ୍ରକାଣ୍ଡ କୋଠା ନିର୍ମାଣ କରାଇ ଦେଇଅଛନ୍ତି । ଛାତ୍ରାବାସ ମଧ୍ୟ ଖୁବ୍‌ ପ୍ରଶସ୍ତ । ଛାତ୍ରମାନଙ୍କୁ ଘରଭଡ଼ା ଏବଂ ପୂଜାରୀ ଚାକରର ବେତନ ଦେବାକୁ ପଡ଼େ ନାହିଁ-। ଡ୍ରଇଁ ପଣ୍ଡିତ ଛାତ୍ରାବାସର ସୁପରିଣ୍ଟେଣ୍ଡେଣ୍ଟ । ସେ ଜଣେ ଖୁବ୍‌ ଯୋଗ୍ୟ ବ୍ୟକ୍ତି ଏବଂ ହୋମିଓପ୍ୟାଥିକ ଚିକିତ୍ସାର ପ୍ରବୀଣ । ଛାତ୍ରମାନେ ତାଙ୍କ ଗୁଣ ଓ ବ୍ୟବହାରରେ ମୁଗ୍‌ଧ ହୋଇ ତାଙ୍କୁ ଶ୍ରଦ୍ଧାଭକ୍ତି କରନ୍ତି । ସେ ପୁରୀ ଜିଲାବାସୀ । ଦୁଇଜଣ ସ୍ଥାନୀୟ ଉଚ୍ଚଶିକ୍ଷିତ ବ୍ୟକ୍ତି ସ୍କୁଲର ସହକାରୀ ଶିକ୍ଷକକାର୍ଯ୍ୟ ଦକ୍ଷତାର ସହିତ କରୁଅଛନ୍ତି । ଏ ପର୍ଯ୍ୟନ୍ତ ସ୍କୁଲରୁ ଯେତେ ଛାତ୍ର ଉତ୍ତୀର୍ଣ୍ଣ ହୋଇଅଛନ୍ତି, ସେ ସମସ୍ତେ ଷ୍ଟେଟରେ କାର୍ଯ୍ୟ ପାଇଅଛନ୍ତି । ଶିକ୍ଷାପ୍ରତି ପ୍ରଜାସାଧାରଣଙ୍କର ଆଗ୍ରହ ବୃଦ୍ଧି ପକ୍ଷରେ ଏହା ସୁନ୍ଦର କୋଶଳ । ଛାତ୍ରମାନଙ୍କର ବେତନର ପରିମାଣ ମଧ୍ୟ ଖୁବ୍‌ ଊଣା ନିରୂପିତ ହୋଇଅଛି । ଛାତ୍ରାମାନଙ୍କ ଉତ୍ସାହବୃଦ୍ଧି ପାଇଁ ପ୍ରତିବର୍ଷ ପ୍ରାଇଜ ଦିଆଯାଏ । ସ୍କୁଲଟି ଯେପରି କ୍ରମୋନ୍ନତିରେ ଅଗ୍ରସର ହେଉଅଛି, ସେଥିରୁ ଅଦୂର ଭବିଷ୍ୟତ୍‌ରେ ତାହା ଗୋଟିଏ କଲେଜରେ ପରିଣତ ହେବାର ଆଶା କରାଯାଏ ।

 

ଷ୍ଟେଟର ସ୍କୁଲ ଡେପୁଟି ଇନ୍‌ସପେକ୍‌ଟର ଶ୍ରୀଯୁକ୍ତ ହରିହର ପଣ୍ଡା ମହାଶୟ ସ୍ଥାନୀୟ ଅଧିବାସୀ । ପୂର୍ବେ ସେ ହାଇସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ସୁବିଦ୍ୱାନ ଏବଂ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି । ସ୍ଥାନୀୟ ଅଧିକାଂଶ ଶିକ୍ଷିତ ବ୍ୟକ୍ତି ତାଙ୍କର ଏବଂ ବାଲାଜୀ ପଣ୍ଡିତଙ୍କର ଛାତ୍ର । ଜଣେ କୃପାଚାର୍ଯ୍ୟ, ଜଣେ ଦ୍ରୋଣାଚାର୍ଯ୍ୟ ।

 

ଅନନ୍ତର ହୁଇଲାର କ୍ଲବ୍‌ ଏବଂ ଲାଇବ୍ରେରୀ ଦେଖିଲି । ଓଡ଼ିଆ, ବଙ୍ଗଳା, ଇଂରାଜୀ ଭାଷାର ପୁସ୍ତକ ଲାଇବ୍ରେରୀରେ ପ୍ରଚୁର ଅଛି । ଅନେକ ମାସିକପତ୍ର ଓ ପତ୍ରିକା ମଧ୍ୟ ଲାଇବ୍ରେରୀକୁ ଆସେ । ଲାଇବ୍ରେରୀରେ ପାଠକସଂଖ୍ୟା କ୍ରମଶଃ ବଢ଼ୁଥିବାର ଶୁଣି ମୁଁ ବିଶେଷ ଆନନ୍ଦ ଲାଭ କଲି-

 

ସେଠାରୁ ମ୍ୟୁନିସିପାଲିଟି ବଜାରବାଟେ ଯିବାକୁ ହେଲା । ବଜାରଟି ସୁନ୍ଦର ଓ ସୁସଜ୍ଜିତ । ଉଠା ଦୋକାନମାନ ପକ୍‌କା ଚଟାଣରେ ବସେ । ଏଠାରେ ଅନେକ ମାରବାଡ଼ି ବ୍ୟବସାୟୀ ଅଛନ୍ତି । ସ୍ଥାନୀୟ ବ୍ୟବସାୟୀ ଡୋମ । ସେମାନଙ୍କ ମଧ୍ୟରେ ଅନେକ ଧନୀ ବ୍ୟକ୍ତି ଅଛନ୍ତି । ବଜାରରେ ସୂତାଠାରୁ ମୁକ୍ତା ପର୍ଯ୍ୟନ୍ତ ସମସ୍ତ ପଦାର୍ଥ ମିଳେ । ସର୍ବପ୍ରକାର ଶୀତବସ୍ତ୍ର ଏଠାରେ ଅପେକ୍ଷାକୃତ ଶସ୍ତା । ଦୋକାନଗୁଡ଼ିକ ଧାଡ଼ି ଧାଡ଼ି ହୋଇ ସୁବିନ୍ୟସ୍ତ ଭାବରେ ନିର୍ମିତ । ମଧ୍ୟରେ ପ୍ରଶସ୍ତ ପଥ । ବଜାରର ମୁଢ଼ି, ଚୁଡ଼ା ଓ ଖଇ ଅତି ଲୋଭନୀୟ ପଦାର୍ଥ । ତାହା ଯେଉଁପରି ସରୁ ଓ ଶୁକ୍ଳ, ସେହିପରି ପରିଷ୍କୃତ ଓ ପରିଚ୍ଛନ୍ନ । ନ ଖାଇବା ଲୋକର ମଧ୍ୟ ଦର୍ଶନୀୟ ପଦାର୍ଥରୂପେ କିଣିବାକୁ ଇଚ୍ଛାହୁଏ । ସକାଳ ଓଳି ବଜାରରେ ବିକାକିଣାର ଖୁବ୍‌ ଗହଳି ହୁଏ । ମ୍ୟୁନିସିପାଲିଟିର ସୁବ୍ୟବସ୍ଥାହେତୁ ବଜାର ସବୁବେଳେ ପରିଷ୍କୃତ, ପରିଚ୍ଛନ୍ନ ଥାଏ । ବଜାରର ଶାଖାପ୍ରଶାଖା ସୁଦ୍ଧା ନିର୍ମଳ । ବଜାରର ସୌନ୍ଦର୍ଯ୍ୟ ଓ ଦ୍ରବ୍ୟସମ୍ଭାର ଦେଖିଲେ ତାହା ନଗରୀଲକ୍ଷ୍ମୀଙ୍କର କୋଠଭଣ୍ଡାର ହର୍ମ୍ୟମାଳା ପରି ବୋଧହୁଏ ।

 

ରାଜବାଟୀର ଦକ୍ଷିଣରେ ପୁରୁଷୋତ୍ତମ ସାଗର ମହାରାଜା ପୁରୁଷୋତ୍ତମ ଦେବଙ୍କ କୀର୍ତ୍ତିଗୀତ ନୀରବ ଛନ୍ଦରେ ଗାନ କରୁଅଛି । ଏହା ଗୋଟିଏ ବିଶାଳ ଜଳାଶୟ । ଉଚ୍ଚବନ୍ଧ ବେଷ୍ଟିତ ପୁଷ୍କରିଣୀଟି ଫର୍ମାବନ୍ଧା ଦର୍ପଣ ପରି ସୁନ୍ଦର ଦିଶେ । ବୋଧହୁଏ ରାଜବାଟୀ ଏହି ନୀଳକାନ୍ତ ଦର୍ପଣ ଆଗରେ ଥୋଇ ନିଜ ମୁଖର ପ୍ରତିବିମ୍ବ ଦେଖୁ ଅଛି । ଜଳତ୍ୟାଗୀ ହୃଦୟ ପରି ସ୍ୱଚ୍ଛ । ସ୍ୱର୍ଗତ ମହାରାଜାଙ୍କର ଏହି କୀର୍ତ୍ତି କନ୍ୟାଟି ତାଙ୍କୁ ବହୁକାଳ ହେଲା ଜୀବିତ ରଖିଅଛି ଏବଂ ବହୁକାଳଯାଏ ଜୀବିତ ରଖିବ । ବର୍ତ୍ତମାନ ମହାରାଜା ମହୋଦୟ ଏହି ସାଗରର ସଂସ୍କାର ସାଧନ କରି ବଂଶୀୟ କୀର୍ତ୍ତି ଅକ୍ଷତ ରଖିଅଛନ୍ତି ।

 

ଅତଃପର ରାଜବଂଶର ଅଧୁଦେବୀ ମାଣିକ୍ୟେଶ୍ୱରୀ ମନ୍ଦିର ଦେଖିଲି । ସିଂହଦ୍ୱାରସ୍ଥ ସିଂହଦ୍ୱୟ ଦୁଇଟା ହାତୀକୁ ମାଡ଼ିବସିଅଛନ୍ତି । ବୀର୍ଯ୍ୟଦୃପ୍ତ କେଶରୀର ସତେଜ ଦୃଷ୍ଟି ଯେପରି ଜଗତକୁ ତୃଣଜ୍ଞାନରେ ବେଖାତର କରୁଅଛି । ଦେବୀଙ୍କ ଦେଉଳ ଖୁବ୍‌ ଉଚ୍ଚ; କିନ୍ତୁ ସୌନ୍ଦର୍ଯ୍ୟ ବା ବୈଚତ୍ର୍ୟର ଛାୟା ସୁଦ୍ଧା ସେଥିରେ ପଡ଼ିନାହିଁ, କେବଳ କ୍ରମସୂକ୍ଷ୍ମ ଆକୃତିରେ ଉଇହୁଙ୍କା ପରି ଉପରକୁ ଉଠିଯାଇଅଛି । ମହାରାଜାଙ୍କ ସ୍ୱର୍ଗତ ପିତାମହ ଉଦିତପ୍ରତାପ ଦେବ ଦେଉଳର ମୂଳପତ୍ତନ କରିଯାଇଥିଲେ । ପରେ ମହାରାଜାଙ୍କ ପିତୃଦେବ ପୀଢ଼ ସ୍ଥାପନ କଲେ । ଦୈବଦୁର୍ବିପାକରୁ ଅକାଳରେ ତାଙ୍କର ବିଯୋଗ ଘଟିଲା । ତହୁଁ ରାଜ୍ୟ କୋର୍ଟ ଅଫ୍‌ ଓ୍ୱାଡ଼୍‌ସ ଅଧୀନ ରହିଲା । କୋର୍ଟ ଅଫ୍‌ ଓ୍ୱାଡ଼୍‍ସ ବିଚିତ୍ର ରୁଚିରେ ଦେଉଳ ତୋଳାଇଅଛନ୍ତି । ମୂଳପୀଢ଼ର ପରିକଳ୍ପନାରୁ ବୋଧହୁଏ, ସେ ସମୟରେ ଦେଉଳଟି ନିର୍ମିତ ହୋଇଥିଲେ ଶିଳ୍ପବୈଶିଷ୍ଟ୍ୟରେ ଦିଗ ଆଲୋକିତ କରି ବସିଥାଆନ୍ତା । ଏଡ଼େ ବଡ଼ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ-ଏଡ଼େ ବଡ଼ ମହାରାଜ ବଂଶର କୁଳଦେବୀଙ୍କର ଆବାସ ମନ୍ଦିର ତାଙ୍କ ଗୌରବର ଉପଯୁକ୍ତ ହୋଇନାହିଁ । ଯେମନ୍ତ କି ତରତରିଆ ଭାବରେ ଲଦାଲଦି କରି ଦେଉଳଟି ତୋଳାଯାଇଅଛି । ଦେବୀଙ୍କର ଚତୁର୍ଭୁଜା ପ୍ରସ୍ତରମୂର୍ତ୍ତି ଅତି ରମଣୀୟ । ମହିମାର ଜ୍ୟୋତି ମୂର୍ତ୍ତିରୁ ଝରିପଡ଼ୁଅଛି । ଦେବୀଙ୍କ ପ୍ରଭାବ ସମ୍ବନ୍ଧରେ ଅନେକ କିମ୍ବଦନ୍ତୀ ଅଛି । ଏ ଅବିଶ୍ୱାସ ଯୁଗରେ ତାହା ଲେଖି ଦୈବୀଶକ୍ତିର ଅବମାନନା କରିବା ଅନୁଚିତ ଜ୍ଞାନରେ ସେ ସମସ୍ତ ଉପେକ୍ଷିତ ହେଲା ।

 

ଦେଉଳ ସମ୍ମୁଖରେ ଗୋଟିଏ ସୁନ୍ଦର ମଣ୍ଡପ ଅଛି । ତାହା ବିବିଧ ବର୍ଣ୍ଣର ମର୍ମର ପ୍ରସ୍ତରରେ ନିର୍ମିତ । ସ୍ତମ୍ଭଗୁଡ଼ିକ କାରୁକାର୍ଯ୍ୟରେ ଜ୍ୟୋତିର୍ମୟ । ମଣ୍ଡପଟି ଦେଉଳକୁ ପରିହାସ କଲା ପ୍ରାୟ ବୋଧହୁଏ । ଏହି ମଣ୍ଡପଟି ବର୍ତ୍ତମାନ ମହାରାଜାଙ୍କର ଅନ୍ୟତମ ଉଜ୍ଜ୍ୱଳ କୀର୍ତ୍ତି । ତଦ୍ଦ୍ୱାରା ଶୋଭାହୀନ ଦେଉଳର ମହତ୍ତ୍ୱ ବଢ଼ିଅଛି । ମାଣିକ୍ୟେଶ୍ୱରୀ ରାଜ-ଆରାଧ୍ୟା ଦେବୀ, ସୁତରାଂ ବିଭବରେ ଅତୁଳନୀୟା । ତାଙ୍କର ରତ୍ନଖଚିତ ଜ୍ୟୋତିର୍ମୟ ଆଭରଣମାନ ଅଳଙ୍କାରର ପ୍ରଦର୍ଶନୀ । ତାଙ୍କର ରାଜରାଜେଶ୍ୱରୀ ଭକ୍ତି-ଆକର୍ଷଣୀ ମୂର୍ତ୍ତି ଦର୍ଶକର ଚିତ୍ତକୁ ଅପୂର୍ବ ଅନିର୍ବାଚନୀୟ ମହାଭାବରେ ଆଚ୍ଛନ୍ନ କରିଦିଏ ।

 

ନଅର ମଧ୍ୟରେ ଇଷ୍ଟଦେବ ଗୋପୀନାଥଙ୍କର ଛବିଳ ଦେଉଳ ବିଦ୍ୟମାନ । ତାହା ଫତେ ନାରାୟଣ ଦେବଙ୍କ ଅମଳରେ ନିର୍ମିତ ହୋଇଥିଲା; ମାତ୍ର ଅବଧି ନୂତନ ପରି ବୋଧହୁଏ । ଫତେ ନାରାୟଣ ଦେବ ଜଣେ ରାଜଯୋଗୀ ଓ ପରମ ବୈଷ୍ଣବ ଥିଲେ । ଦେଉଳଟି ତାଙ୍କର ପୁଣ୍ୟସ୍ମୃତି ବୋଳିହୋଇ ବିଭୂତିଭୂଷଣ ଶିବଙ୍କ ପରି ଯୋଗମଗ୍ନ ରହିଅଛି ।
 

ସନ୍ଧ୍ୟା ସମୟରେ ଦରବାର ହଲ ଦେଖିବାକୁ ଗଲି । ଭିତରକୁ ଗଲାକ୍ଷଣି ବୈଦ୍ୟୁତିକ ଆଲୋକ ଜଳିଉଠିଲା । ହଠାତ୍‌ କୌଣସି ମାୟାପୁରୀରେ ପ୍ରବେଶ କଲି କି ଅଦ୍ଭୁତ ସ୍ୱପ୍ନପୁରୀରେ ପ୍ରବେଶ କଲି, ତାହା ବୁଝିପାରିଲି ନାହିଁ; ବହୁବିଧ ରତ୍ନଖଚିତ ସିଂହାସନ ମଧ୍ୟରେ ସ୍ଥାପିତ । ଦୁଇ ସ୍ଥୂଳ ପ୍ରକାଣ୍ଡ ହାତୀଦାନ୍ତ ଫର୍ମା ଭିତରେ ଖଣ୍ଡିଏ ବିଶାଳ ଦର୍ପଣ ରଖାଯାଇଅଛି । କାନ୍ଥରେ ଗୋଟାଏ ବୃହତ୍‌ ମହାବଳ ବ୍ୟାଘ୍ର ମୂର୍ତ୍ତି ଏରୂପ ଭାବରେ ରଖାଯାଇଅଛି ଯେ, ଶାର୍ଦ୍ଧୂଳରାଜ ଗୁମ୍ଫା ମଧ୍ୟରୁ ଅଧେ ବାହାରକୁ ବାହାରିଲା ପରି ଦେଖାଯାଉଅଛି । ସିଂହାସନର ସିଂହଦ୍ୱୟ ସୁବର୍ଣ୍ଣନିର୍ମିତ । ସିଂହାସନର ମଣ୍ଡଣି ଅତି ଚମତ୍କାର । ବୈଦ୍ୟୁତିକ ଆଲୋକ ବିବିଧ ରତ୍ନପୁଞ୍ଜରେ ପ୍ରତିଫଳିତ ହୋଇ କାନ୍ଥରେ ପଡ଼ିଅଛି । ଇନ୍ଦ୍ରଧନୁକୁ ତରଳାଇ ସେଥିରେ କାନ୍ଥ ଲିପାହେଲା ପ୍ରାୟ ଅତି ରମଣୀୟ ସୁଷମା ବିସ୍ତାର କରିଅଛି । ପୁଷ୍ପହାସରେ ଚନ୍ଦ୍ରିକାର ହାସ୍ୟ ମିଶିଲା ପରି ରତ୍ନଜ୍ୟୋତିରେ ବୈଦ୍ୟୁତିକ ଆଲୋକର ଜ୍ୟୋତି ମିଶି ଉପମା ସୃଷ୍ଟିରେ ଗୋଟାଏ ନୂତନତ୍ୱ ଆନୟନ କରିଅଛି । ସତେ ଯେପରି ଶୋଭାଲକ୍ଷ୍ମୀ ତାଙ୍କର ଗନ୍ତାଘର ଫଟାଇ ହାସ୍ୟମୁଖରେ କ୍ରୀଡ଼ା କରୁଅଛନ୍ତି କିମ୍ବା ଧର୍ମର ଆଲୋକ ଜ୍ଞାନର ଆଲୋକ ଏକତ୍ର ମିଶାମିଶି ହୋଇ ସ୍ନିଗ୍‌ଧ ଶୀତଳ ସ୍ୱଚ୍ଛ ରୂପ ଧାରଣ କରିଅଛି । ସିଂହାସନର ଶିଳ୍ପବୈଶିଷ୍ଟ୍ୟ ବୈଚିତ୍ର୍ୟର ସୀମାକୁ ଲଙ୍ଘନ କରିଯାଇଅଛି । ସୂଚିସୂକ୍ଷ୍ମ କମ କାର୍ଯ୍ୟ ଅକରନିର୍ମିତ ପରି ବୋଧହୁଏ । ଶିଳ୍ପୀର କଳ୍ପନା ଏଠାରେ ରୂପ ଧରିଯାଇଅଛି । ତାହା କେବଳ ଉପଭୋଗ୍ୟ, ଲେଖି ପ୍ରକାଶ କରିବାର ବିଷୟ ନୁହେ । ସ୍ୱର୍ଣ୍ଣ ତରୁଲତା ସ୍ୱର୍ଣ୍ଣ ଫୁଲଫଳ ଧାରଣ କରିଅଛି, ସ୍ୱର୍ଣ୍ଣ ଭ୍ରମର ସ୍ୱର୍ଣ୍ଣ ବିହଙ୍ଗ ତାହା ଉପରେ ନୀରବ ଆନନ୍ଦରେ ବସିଅଛନ୍ତି । କେଉଁ ଅପୂର୍ବ ସ୍ୱର୍ଣ୍ଣମୟ ରାଜ୍ୟରୁ ଏ ସବୁ ଆସି ରାଜସିଂହାସନରେ ଆଶ୍ରୟ ନେଇଅଛନ୍ତି, ତାହା ଏକା ତାହାଙ୍କୁ ହିଁ ଜଣା । ତାହା ଦେଖିବା ଓ ଆଶ୍ଚର୍ଯ୍ୟାନ୍ୱିତ ହେବା ଖାଲି ଏତିକିମାତ୍ର ଦର୍ଶକର କର୍ତ୍ତବ୍ୟ ।

 

ଦରବାର ହଲ ଦ୍ୱିତଳ ବିଶିଷ୍ଟ । ଉପର ତଳରେ ଶୟନାଗାର, ବିଶ୍ରାମାଗାର ଏବଂ ବୈଠକଖାନା ଅଛି । ପ୍ରତ୍ୟେକ ଆବଶ୍ୟକ ସ୍ୱତନ୍ତ୍ର ଉପକରଣରେ ସୁସଜ୍ଜିତ । ପ୍ରତି ତଳରେ ମୁଣ୍ଡ ଲାଗିଥିବା ବୃହତ୍‌ ବାଘ ଛାଲ ବିଛା ହୋଇଅଛି । ମହାରାଜା ବଡ଼ ଶିକାରପ୍ରିୟ । ଏହି ବ୍ୟାଘ୍ରଗୁଡ଼ିକ ତାଙ୍କରି ଅମୋଘ ଅସ୍ତ୍ରରେ ବ୍ୟାଘ୍ରଲୀଳା ସମ୍ବରଣ କରିଥିଲେ । ଏହି ନର-କ୍ଷତ୍ରିୟ ଏବଂ ପଶୁକ୍ଷତ୍ରିୟ ଯୁଦ୍ଧରେ ମହାବୀର ମହାରାଜା ମହୋଦୟ ଜୟଶ୍ରୀମଣ୍ଡିତ ହୋଇଅଛନ୍ତି । ବ୍ୟାଘ୍ରଗୁଡ଼ିକର ଦୃଷ୍ଟିରୁ ବୋଧହୁଏ ମରି ସୁଦ୍ଧା ସେମାନେ ସ୍ୱାଭାବିକ ଉଗ୍ରଦର୍ପ ଛାଡ଼ିପାରି ନାହାନ୍ତି । ଦୁର୍ଜନର ପ୍ରେତାତ୍ମା ସୁଦ୍ଧା ଦୁର୍ଜନ । ବାଘ ମୁହଁରେ ଏକପ୍ରକାର ସ୍ୱଚ୍ଛ ଗୋଲୋକ ଖଞ୍ଜାପାଇଅଛି । ବୈଦ୍ୟୁତିକ ଆଲୋକ ସ୍ପର୍ଶରେ ତାହା ଜ୍ୟୋତିର୍ମୟ ହୋଇଉଠେ । କାଳତୁଣ୍ଡରୁ ମୃତ୍ୟୁ ବାହାରିଲା ପରି ବାଘ ପାଟିରେ ନିଆଁ ଜଳିଲା ପ୍ରାୟ ଦିଶେ, ଏହା ଏକ ଅଭିନବ ଅଦ୍ଭୁତ ଇନ୍ଦ୍ରାଜାଲ । ପ୍ରତି କକ୍ଷରେ ବାଘଛାଲ ଉପରେ ଖଟ, ଚୌକି, ବେଞ୍ଚ, ଟେବୁଲ ପ୍ରଭୃତି ଯଥାଯୋଗ୍ୟ ଆବଶ୍ୟକ ଉପକରଣ ସଜ୍ଜିତ ହୋଇ ରହିଅଛି । ତାହା ସବୁ ମୂଲ୍ୟବାନ୍‌ କାଷ୍ଠ, ଶଙ୍ଖ ମର୍ମର ଓ ସିଂହ ମର୍ମର ପ୍ରସ୍ତର-ନିର୍ମିତ । ତାହା ଉପରେ ନାନାପ୍ରକାର ସ୍ୱର୍ଣ୍ଣ-ରୌପ୍ୟ-ମଣିମୁକ୍ତାମଣ୍ଡିତ କାରୁକାର୍ଯ୍ୟ ହୋଇଅଛି । ହୀରା, ମୁକ୍ତା ଓ ସ୍ୱର୍ଣ୍ଣରେ ମହାରାଜାଙ୍କର ପବିତ୍ର, ମହିମିତ ନାମ ଲିଖିତ ହୋଇ ଦ୍ରବ୍ୟର ଗୌରବ ବହୁଗୁଣିତ କରିଅଛି । ମହାର୍ହ ସୂକ୍ଷ୍ମବସ୍ତ୍ରନିର୍ମିତ ମଶାରିର ମୁକ୍ତାମାଳା ଝାଲର ସୁଷମାର ଅଳଙ୍କାର ପ୍ରାୟ ସୁନ୍ଦର ଦିଶୁଅଛି । ସତେ ଯେପରି କୋଟି କୁବେର ଭଣ୍ଡାର ସେଠାରେ ଉନ୍ମୁକ୍ତ ରହି ସୌନ୍ଦର୍ଯ୍ୟ ଓ ବୈଚିତ୍ର୍ୟର ମହାମହୋତ୍ସବ ସୃଷ୍ଟି କରିଅଛି । ଗୃହ ଓ ଉପକରଣମାନଙ୍କର ଅଦ୍ଭୁତ କାରୁକାର୍ଯ୍ୟ ଦେଖି ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା ସୁଦ୍ଧା ଲଜ୍ଜିତ ହେବେ । ସ୍ଥୂଳତଃ ଦରବାର ହଲଟି ମହାରାଜଙ୍କର ମାର୍ଜିତ ଆଦର୍ଶ ସୁରୁଚି ଏବଂ ଅପୂର୍ବ ଅଭିନବ ବୈଚିତ୍ର୍ୟ ସୃଷ୍ଟିର ସୁନ୍ଦର ନିଦର୍ଶନ । ଦରବାର କକ୍ଷଟି ରାଜଲକ୍ଷ୍ମୀଙ୍କର ମହାପୂଜାର ସୁରମ୍ୟ ଦେଉଳ । ସେଠାକୁ ଗଲେ ଜଡ଼ପିଣ୍ଡଟି ଫେରିଆସେ; ମାତ୍ର ମନ, ନେତ୍ର, ପାଦ ଫେରିବାକୁ ଇଚ୍ଛା କରେ ନାହିଁ । ସେ ମୋହନ ମହାଦୃଶ୍ୟ ମାସେ ଯାଏଁ ଦେଖୁଥିଲେ ଶେଷ ହେବାର ନୁହେ, ସାମାନ୍ୟ ଘଣ୍ଟାଏ ଦୁଇ ଘଣ୍ଟାର ଦେଖା, ଦେଖିବା ମଧ୍ୟରେ ଗଣନୀୟ ନୁହେ । ଶେଷ ଜୀବନରେ ମୁଁ ଏହି ମହାଦୃଶ୍ୟର କଣିକାଏମାତ୍ର ଦେଖି ନେତ୍ର ସାର୍ଥକ କରିଅଛି ଏବଂ ରାଜବିଭବର ମହତ୍ତ୍ୱ ଉପଲବ୍‌ଧି କରିପାରିଅଛି ।

 

ରାଜବାଟୀ ସମ୍ମୁଖରେ ଗୋଟିଏ ସୁନ୍ଦର ଫୋଏରା ଅଛି । ଗଙ୍ଗୋତ୍ତରୀ ଶୃଙ୍ଗରୁ ଗଙ୍ଗାର ଅବକରଣ ପରି ସେଥିରୁ ଜଳଧାରା ସତତ ଝରୁଅଛି । ତାହା ପରେ ସଭାମଣ୍ଡପ । ୧୯୨୯ ଖ୍ରୀଷ୍ଟାବ୍ଦରେ ବର୍ତ୍ତମାନ ମହାରାଜା ଏହି ମଣ୍ଡପ ନିର୍ମାଣ କରାଇଅଛନ୍ତି । ବିଚିତ୍ର ମଣ୍ଡପର ସବୁ ବିଚିତ୍ର । ଇନ୍ଦ୍ରପ୍ରସ୍ଥ ନଗରର ମୟବିରଚିତ ମହାସଭାର ବର୍ଣ୍ଣନା ମହାଭାରତରେ ପଢ଼ିଥିଲି; ମାତ୍ର ଏଠାରେ ଦେହକେ ଦେଖିଲି । ସଭାମଣ୍ଡପ ଅଳଙ୍କାରରେ ଭାରାକ୍ରାନ୍ତ । ଅଳଙ୍କାର ପ୍ରକୃତ ସୌନ୍ଦର୍ଯ୍ୟକୁ ଢାଙ୍କିପକାଏ; ମାତ୍ର ଏଠାରେ ସଭାମଣ୍ଡପର ପ୍ରକୃତ ସୌନ୍ଦର୍ଯ୍ୟ ଅଳଙ୍କାରର ଅଳଙ୍କାର ହୋଇଅଛି । ସୌନ୍ଦର୍ଯ୍ୟ ଅଳଙ୍କାରର ବହୁଳତା ଖୋଜେ ନାହିଁ । ଆପାଦଶିର ପୁଷ୍ପମଣ୍ଡିତ ଇତାପଳାଶ ଅପେକ୍ଷା ବିରଳ ପୁଷ୍ପିତା ଗୋଲାପ ଲତା ଅଧିକ ସୁନ୍ଦର ନୁହେ କି ? ବିସ୍ତୃତ ପୁଷ୍ପୋଦ୍ୟାନ ମଧ୍ୟରେ ମଣ୍ଡପଟି ସରୋବର ମଧ୍ୟରେ ସ୍ନାନାର୍ଥୀ ଶ୍ୱେତହସ୍ତୀ ଉପମା ଧାରଣ କରିଅଛି-। ବ୍ରତ, ବିବାହାଦି ମଙ୍ଗଳୋତ୍ସବ ସମୟରେ ସଭା ମଣ୍ଡପର ସୁଷମା ଓ ସୌଭାଗ୍ୟ ବହୁଗୁଣ ବୃଦ୍ଧି ଲାଭ କରେ ।

 

ଅଳ୍ପ ଦୂରରେ ମୋଟରଶାଳା । ସେଥିରେ ଟାକ୍‌ସି, ଲରୀ ମିଶି ୧୭ ଖଣ୍ଡ ମୋଟର ଯାନ ଅଛି । ତାହା ଛଡ଼ା ମହାରାଜାଙ୍କର ୫୫ ହଜାର ଟଙ୍କା ମୂଲ୍ୟର ଖଣ୍ଡିଏ ମୂଲ୍ୟବାନ୍‌ ମୋଟର ଅଛି । ସେ ଗୋଟିକ ପୁଷ୍ପକ ରଥ । ସେଠାରୁ ଖେଳପଡ଼ିଆ ଦେଇ ପଞ୍ଚ ଦେବାଳୟକୁ ଯିବାକୁ ହେଲା । ଖେଳ ପଡ଼ିଆ ପ୍ରକାଣ୍ଡ । ସେତେବେଳେ ସେଠାରେ କେହି ନ ଥିଲେ । ମହାରାଜାଙ୍କର ମାତୃଦେବୀ ଧର୍ମପ୍ରାଣା ଶ୍ରୀମତୀ ରାମଚନ୍ଦ୍ର ପ୍ରିୟା ମହାଦେଈ ରାମସ୍ୱାମୀ ଦେଉଳ ପ୍ରସ୍ତୁତ କରାଇ ସେଥିରେ ରାମଚନ୍ଦ୍ର, ଲକ୍ଷ୍ମଣ ଓ ସୀତାଙ୍କର ମୂର୍ତ୍ତି ସ୍ଥାପନ କରିଅଛନ୍ତି । ଦେଉଳଟି ପ୍ରାଚୀର ବେଷ୍ଟିତ, ଖୁବ୍‌ ଉଚ୍ଚ । ପ୍ରାଚୀରର ଚାରିକୋଣରେ ସ୍ୱତନ୍ତ୍ର ଚାରିଗୋଟି ମନ୍ଦିରରେ ଶିବ, ଦୁର୍ଗା, ଗଣେଶ ଓ କାର୍ତ୍ତିକ ମୂର୍ତ୍ତି ପ୍ରତିଷ୍ଠିତ । ଏହା ପଞ୍ଚଦେବାଳୟ ନାମରେ କଥିତ ହୁଏ । ଦେଉଳଗୁଡ଼ିକ ସୁନ୍ଦର ପ୍ରଣାଳୀରେ ଗଠିତ ଏବଂ ଚାରୁ ଶିଳ୍ପକଳାରେ ଭାସ୍ୱର । ପୂଜା ଓ ଭୋଗର ବିଧାନ ଆଡ଼ମ୍ବରଯୁକ୍ତ । ଦେବାଳୟଟି ଶାନ୍ତିମୟ ନିର୍ଜନ ସ୍ଥାନରେ ଅବସ୍ଥିତ । ଭିତରକୁ ଗଲେ ସଂସାରର ଜ୍ୱାଳାଯନ୍ତ୍ରଣା-ଦଗ୍‌ଧ ହୃଦୟ ସାତ୍ତ୍ୱିକ ଭାବରେ ଶୀତଳ ଓ ଉଶ୍ୱାସ ହୋଇଉଠେ । ସେଠାର ବାୟୁ ବିଶୁଦ୍ଧ, ତାହା ସଂସାରୀର ଉଷ୍ମ ନିଃଶ୍ୱାସରେ ଉତ୍ତପ୍ତ ବା ବିକୃତ ନୁହେ । ହତାଶ ପ୍ରାଣ ସେଠାରେ ସାନ୍ତ୍ୱନା ଉପଲବ୍‌ଧି କରେ ।

 

ନିକଟରେ ନୂଆବନ୍ଧ ନାମରେ ଗୋଟିଏ ସୁନ୍ଦର ସରୋବର ନୂତନ ଖୋଦିତ ହୋଇଅଛି-। ତାହା ମାନନୀୟା ରାଜମାତାଙ୍କର ଅନ୍ୟତମ କୀର୍ତ୍ତି । ପୁଷ୍କରିଣୀର ପଥରବନ୍ଧା ଘାଟ ଉପରେ ଗୋଟିଏ ବିଶ୍ରାମ ମଣ୍ଡପ ଅଛି । ବନ୍ଧଟିକୁ ଦେଖିଲେ ତାହା ପ୍ରକୃତି ରୂପିଣୀ ଶୁଭଙ୍କରୀ ଶଙ୍କରୀ ଦେବୀଙ୍କର ଉନ୍ମୀଳିତ ତୃତୀୟ ନେତ୍ର ପରି ପ୍ରତୀୟମାନ ହୁଏ । ଜଳ ଶିଶୁ-ମନ ପରି ନିର୍ମଳ ଓ ନିର୍ବିକାର । ରାଜମାତା ମହାଦେବୀଙ୍କର ଅନାବିଳ କରୁଣା ସନ୍ତାପିତ ପ୍ରାଣିକୁଳର ପ୍ରାଣ ଶୀତଳ କରିବା ପାଇଁ ଜଳ ରୂପ ଧାରଣ କରି ରହିଅଛି ।

 

ଭବାନୀପାଟଣାରେ ଗୋଟିଏ ବାଳିକା ସ୍କୁଲ ଅଛି । ସେଥିରେ ଅପର ପ୍ରାଇମେରୀ ପର୍ଯ୍ୟନ୍ତ ପଢ଼ାହୁଏ । ସ୍କୁଲଗୃହ ଖୁବ୍‌ ପ୍ରଶସ୍ତ । ବାଳିକା ଶିକ୍ଷା ପ୍ରତି ସ୍ଥାନୀୟ ଲୋକଙ୍କର ଆଗ୍ରହ କ୍ରମଶଃ ଯେପରି ବଢ଼ୁଅଛି, ସେଥିରୁ ଅନୁମିତ ହୁଏ, ଅଦୂର ଭବିଷ୍ୟତ୍‌ରେ ତାହା ଉଚ୍ଚବିଦ୍ୟାଳୟରେ ପରିଣତ ହୋଇପାରିବ । ସ୍କୁଲ ନିକଟରେ ପାଓ୍ୱାର ହାଉସ । ଏହିଠାରୁ ଟାଉନର ସର୍ବତ୍ର ଜଳବାୟୁ ଓ ଆଲୋକ ଦାନର ବ୍ୟବସ୍ଥା ହୁଏ ।

 

ଆଦିମ ଜାତୀୟ ଚାଳକମାନଙ୍କର ଶିକ୍ଷାର ସୁବିଧା ସକାଶେ ଭବାନୀପାଟଣାରେ ଗୋଟିଏ ସ୍ୱତନ୍ତ୍ର ସ୍କୁଲ ଅଛି । ରାଜ୍ୟର ସମସ୍ତ ଶ୍ରେଣୀର ପ୍ରଜାଙ୍କୁ ଶିକ୍ଷିତ କରାଇବା ପ୍ରୟାସ ସ୍ପଷ୍ଟରୂପେ ଅନୁମିତ ହୁଏ । ମହାରାଜାଙ୍କର ଏ ସମଦଶତା ବାସ୍ତବରେ ମହାରାଜୋଚିତ ।

 

କାଶୀପୁର ବଙ୍ଗଳା ନିକଟରେ ଟ୍ରେନିଂସ୍କୁଲ ଓ ହଷ୍ଟେଲ ଅବସ୍ଥିତ । ସ୍କୁଲର ଦ୍ୱିତୀୟ ପଣ୍ଡିତ ହଷ୍ଟେଲର ତତ୍ତ୍ୱାବଧାରକ। ସେ ଅଳ୍ପବୟସ୍କ ହେଲେହେଁ ଯୋଗ୍ୟତାରେ ପ୍ରବୀଣ ସଦୃଶ । ଟ୍ରେନିଂ ସ୍କୁଲ ସଙ୍ଗରେ ଗୋଟିଏ ନି.ପ୍ରା.ପାଠଶାଳା ସଂଯୁକ୍ତ ହୋଇଅଛି । ଛୁଟି ପୂର୍ବରୁ ଛୋଟ ଛୋଟ ପିଲା ପଙ୍‍କ୍ତିକ୍ରମେ ବସି କର୍ମସଙ୍ଗୀତ ଆବୃତ୍ତି କରନ୍ତି । ମଧୁର ବାଳକଣ୍ଠର ମଧୁର ସଙ୍ଗୀତ-ଆବୃତ୍ତି ବଡ଼ ଉପଭୋଗ୍ୟ ହୁଏ । ବିଦ୍ୟାମଣ୍ଡପ ଉପରେ ବାତତାପସମାନଙ୍କର କର୍ମବେଦ ଅଧ୍ୟୟନ ଦୃଶ୍ୟଟି ମଧ୍ୟ ଯେଉଁ ପରି ସୁନ୍ଦର, ସେହିପରି ମଧୁର । ବିଦ୍ୟାଳୟର ପ୍ରଧାନ ପଣ୍ଡିତ ଶ୍ରୀଯୁକ୍ତ ବାଲାଜୀ ମୁଣ୍ଡ ଜଣେ ଋଷିପ୍ରକୃତିକ ବ୍ୟକ୍ତି ।

 

ଭବାନୀପାଟଣାରେ ଦୁଇଗୋଟି ଧର୍ମଶାଳା ଅଛି । ଅତିଥିମାନଙ୍କ ପାଇଁ ସୁନ୍ଦର ବ୍ୟବସ୍ଥା ଅଛି । ଏହା ବ୍ୟତୀତ ମାରବାଡ଼ିମାନଙ୍କର ଗୋଟିଏ ଧର୍ମଶାଳା ଅଛି । ସେମାନଙ୍କର ଗୋଟିଏ ଦେବମନ୍ଦିର ମଧ୍ୟ ଅଛି । ଏଠାରେ ଅଳ୍ପ ମୁସଲମାନ୍‌ ବାସ କରନ୍ତି, ସେମାନଙ୍କର ଗୋଟିଏ ମସଜିଦ୍‌ ମଧ୍ୟ ଅଛି ।

 

ହାଇସ୍କୁଲର ହେଡ଼ ପଣ୍ଡିତ ସାହିତ୍ୟୋପାଧ୍ୟାୟ ଶ୍ରୀଯୁକ୍ତ ଗଣେଶ୍ୱର ରଥ ଦୁଇଥର ମୋତେ ସାକ୍ଷାତ୍‌ କରିଥିଲେ । ସେ ଖଲ୍ଲିକୋଟବାସୀ । ତାଙ୍କ ସହ ସାହିତ୍ୟର ଆଲୋଚନା ହୋଇଥିଲା । ସେ ଜଣେ ଆଳଙ୍କାରିକ । ତାଙ୍କ ରଚିତ ଦୁଇଖଣ୍ଡି କ୍ଷୁଦ୍ରପୁସ୍ତକ ସେ ମୋତେ ଉପହାର ଦେଇଥିଲେ । ଖଣ୍ଡିଏ ଆୟୁଷ୍ମାନ୍‌ ଯୁବରାଜଙ୍କ ଉପନୟନୋପଲକ୍ଷେ ଏବଂ ଅନ୍ୟଖଣ୍ଡିକ ଆୟୁଷ୍ମତୀ ଜେମାମଣିଙ୍କ ବିବାହୋତ୍ସବ ଉପଲକ୍ଷେ ସଂସ୍କୃତ ଭାଷାରେ ରଚିତ । ପଣ୍ଡିତ ମହାଶୟ ବିନୟୀ, ଶାନ୍ତ ଓ ପଣ୍ଡିତ-ସୁଲଭ ବାକ୍‌ପଟୁ । ତାଙ୍କ ସଦାଳାପରେ ମୁଁ ମୁଗ୍‌ଧ ହୋଇଅଛି । ତାଙ୍କର ପାଣ୍ଡିତ୍ୟ ଅଛି; ମାତ୍ର ପାଣ୍ଡିତ୍ୟର ଗର୍ବ ନାହିଁ ।

 

ଦୁଇଦିନଯାଏଁ ମୋଟରରେ ବୁଲି ସ୍ଥାନୀୟ ପ୍ରଧାନ ପ୍ରଧାନ ଦୃଶ୍ୟ ଦେଖିଲି । ଏବେ ରାଜ୍ୟର ଭୌଗୋଳିକ ଓ ଐତିହାସିକ ବିବରଣ ସଂକ୍ଷପରେ ଲେଖି ମୋ ଲେଖାର ଉପସଂହାର କରିବି । ଉତ୍ତୁଙ୍ଗ ନୀଳପର୍ବତମାଳା ବୃତ୍ତଖଣ୍ଡାକାରରେ ପ୍ରାଚୀର ପରି ରାଜ୍ୟର ତିନି ଦିଗକୁ ଘେରି ରହିଅଛି । କେବଳ ଗୋଟିଏ ଭାଗ ମୁକୁଳା । ଦୂରରୁ ଦେଖିଲେ ଗୋଟିଏ ହାଣ୍ଡି ପରି ଦିଶେ । କଳାହାଣ୍ଡି କଳା ପ୍ରସିଦ୍ଧ ରାଜ୍ୟ । ବଜାରରେ ବିକାହେଉଥିବା ସାମାନ୍ୟ ମାଟିପାତ୍ର, ବାଉଁଶ ବରଡ଼ା ପତ୍ରର ଡାଲା, ପେଡ଼ି, ପାଛିଆ ପ୍ରଭୃତି ପଦାର୍ଥ ବିବିଧ ଶିଳ୍ପକଳାରେ ପୂର୍ଣ୍ଣ ଦେଖାଯାଏ । କଳାର ଆଧାର ହେତୁ ରାଜ୍ୟର ନାମ କଳାହାଣ୍ଡି ହୋଇଥିବା ସମ୍ଭବ । କେହି କେହି କାରୁଣ୍ଡ ରାଜ୍ୟ ବୋଲି ମଧ୍ୟ କହନ୍ତି । କାରୁଣ୍ଡ ଶବ୍ଦ ଏହି (କାରୁ) କଳା ଅର୍ଥବ୍ୟଞ୍ଜନ ବୋଲି ବୋଧହୁଏ । କାରୁ ଶବ୍ଦର ଅର୍ଥ ଶିଳ୍ପ । ଉତ୍କୃଷ୍ଟ ଶିଳ୍ପୀକୁଳର ବାସସ୍ଥଳ ହେତୁ କାରୁଣ୍ଡ ନାମ ମଧ୍ୟ ସୁସଙ୍ଗତ ବୋଧହୁଏ । ଯେଉଁ ଦିଗରୁ ବିଚାର କଲେ ରାଜ୍ୟର କଳାହାଣ୍ଡି ଓ କାରୁଣ୍ଡ ଉଭୟ ନାମ ସାର୍ଥକ ଓ ସମୀଚୀନ ।

 

କଳାହାଣ୍ଡିର ଉତ୍ତର ଦିଗରେ ପାଟଣା ରାଜ୍ୟ, ପୂର୍ବରେ ପାରଳାଖେମଣ୍ଡୀ, ଦକ୍ଷିଣରେ ଜୟପୁର ଓ ପଶ୍ଚିମରେ ଖଡ଼ିଆଳ । ପୂର୍ବ ପଶ୍ଚିମ ଖୁବ୍‌ ଲମ୍ବ ଓ ଉତ୍ତର ଦକ୍ଷିଣ ଅପ୍ରଶସ୍ତ । କ୍ଷେତ୍ରଫଳ ୩୭୪୫ ବର୍ଗମାଇଲ ଓ ଅଧିବାସୀଙ୍କ ସଂଖ୍ୟା ୫୧୩୭୧୬ । ରାଜସ୍ୱ ପ୍ରାୟ ୬ ଲକ୍ଷ ଟଙ୍କା । ରାଜ୍ୟର ଅଧିକାଂଶ ସ୍ଥାନ ଜଙ୍ଗଲ ଓ ପାହାଡ଼ରେ ପୂର୍ଣ୍ଣ, ଏହେତୁ ମାନବ-ବସତି-ଯୋଗ୍ୟ ସ୍ଥାନ ଖୁବ୍‌ ଊଣା ।

 

ଏ ରାଜ୍ୟରେ ଖରା, ବର୍ଷା ଶୀତ ସବୁ ପ୍ରବଳ । ଶୀତକାଳରେ ଯେଉଁପରି ଶୀତଳ ଥାଏ, ଗ୍ରୀଷ୍ମକାଳରେ ସେହିପରି ଉଷ୍ଣ ଥାଏ । ଗ୍ରୀଷ୍ମକାଳରେ ସୂର୍ଯ୍ୟାସ୍ତ ପରେ ଭୂମିରୁ ଗୋଟାଏ ପ୍ରଚଣ୍ଡ ଉତ୍ତାପ ବାହାରେ । ତାହା ବେଳେ ବେଳେ ଅସହ୍ୟ ବୋଧହୁଏ ।

 

କଳାହାଣ୍ଡି ରାଜ୍ୟରେ କାଶୀପୁର, ମହୁଲପାଟଣା, ଲାଞ୍ଜିଗଡ଼, କର୍ଲାପାଟ ଓ ରାମପୁର ମଦନପୁର ନାମରେ ୫ ଗୋଟି ଜମିଦାରୀ ଅଛି । ତାହା ଜଣେ ଜଣେ ରାଜାଙ୍କଦ୍ୱାରା ଶାସିତ ପାଳିତ ହୁଏ । ତାହା ଛଡ଼ା ଦୁଇଟି କ୍ଷୁଦ୍ର ଜମିଦାରୀ ଅଛି । ସେଥିରେ ଜଣେ ଜଣେ ଜମିଦାର ଅଛନ୍ତି-। ପୂର୍ବେ ଥୁଆମୂଳ ରାମପୁର ନାମରେ ଆଉ ଗୋଟିଏ ଜମିଦାରୀ ଥିଲା; ମାତ୍ର ରାଜବଂଶ ଲୋପ ପାଇବାରୁ ତାହା ଷ୍ଟେଟଭୁକ୍ତ ହୋଇଅଛି । ଥୁଆମୂଳ ରାମପୁରର ବିଧବା ରାଣୀ ଭବାନୀପାଟଣାର ସ୍ୱତନ୍ତ୍ର ନଅରରେ ବାସ କରୁଅଛନ୍ତି । କାଶୀପୁର କୋର୍ଟ ଅଫ୍‌ ଓ୍ୱାଡ଼୍‌ସ ଅଧୀନ ଅଛି । ଉପର୍ଯ୍ୟୁକ୍ତ ପାଞ୍ଚରାଜ୍ୟର ରାଜାମାନଙ୍କର ଗୋଟିଏ ଗୋଟିଏ ସ୍ୱତନ୍ତ୍ର ବଙ୍ଗଳା ଭବାନୀପାଟଣାରେ ଅଛି । କଳାହାଣ୍ଡି ଦୁଇ ତହସିଲରେ ବିଭକ୍ତ- ଭବୀନପାଟଣା ଓ ଥୁଆମୂଳ ରାମପୁର । ସମସ୍ତ ଖାଲସାରାଜ୍ୟ ୪୪ ପ୍ରଗଣାରେ ବିଭକ୍ତ ।

 

ଉପର୍ଯ୍ୟୁକ୍ତ ପାଞ୍ଚଗୋଟି ଜମିଦାରୀର ପରିମାଣ ଓ ଲୋକସଂଖ୍ୟା ନିମ୍ନରେ ଲିଖିତ ହେଲା ।

 

କାଶୀପୁର–୪୩୨ ବର୍ଗମାଇଲ–ଲୋକସଂଖ୍ୟା ୩୯୪୧୨

ମହୁଲପାଟଣା–୩୪୮ ବର୍ଗମାଇଲ–ଲୋକସଂଖ୍ୟା ୩୦୭୩୮

ଲାଞ୍ଜିଗଡ଼–୨୫୨ ବର୍ଗମାଇଲ–ଲୋକସଂଖ୍ୟା ୧୧୫୮୦

କର୍ଲାପାଟ–୨୪୮ ବର୍ଗମାଇଲ–ଲୋକସଂଖ୍ୟା ୧୨୭୨୮

ରାମପୁର ମଦନପୁର–୪୨୪ ବର୍ଗମାଇଲ–ଲୋକସଂଖ୍ୟା ୨୯୨୦୦

 

କଳାହାଣ୍ଡି ରାଜ୍ୟରେ ଗୋଟିଏ ହାଇସ୍କୁଲ, ଗୋଟିଏ ମିଡ଼ିଲ ଭର୍ଣ୍ଣାକୁଲର ଟ୍ରେନିଂସ୍କୁଲ, ଗୋଟିଏ ସଂସ୍କୃତ ବିଦ୍ୟାଳୟ, ଗୋଟିଏ ମାଇନର ସ୍କୁଲ, ଗୋଟିଏ ଭର୍ଣ୍ଣାକୁଲର ସ୍କୁଲ, ଗୋଟିଏ ନୀଚଜାତିର ସ୍କୁଲ, ଗୋଟିଏ ହିନ୍ଦୀ ସ୍କୁଲ, ତିନିଗୋଟି ବାଳିକା ସ୍କୁଲ ଓ ୬୯ ଗୋଟି ପ୍ରାଇମେରୀ ସ୍କୁଲ ଅଛି । ସ୍ଥୂଳତଃ ଶିକ୍ଷାର ବ୍ୟବସ୍ଥା ଯଥୋପଯୁକ୍ତ ।

 

କଳାହାଣ୍ଡିର ପ୍ରାଚୀନ ରାଜଧାନୀ ଜୁନାଗଡ଼ ଭବାନୀପାଟଣାଠାରୁ ୧୬ ମାଇଲ ଦୂରରେ ଅବସ୍ଥିତ । ନିକଟରେ ହାତୀନଦୀ ପ୍ରବାହିତ ହୁଏ । ସେଠାରେ ପ୍ରାଚୀନ ଦୁର୍ଗର ଭଗ୍ନାବଶେଷ ଅଛି ଏବଂ ଅନେକ ପ୍ରାଚୀନ କୀର୍ତ୍ତି ଓ ପୁଷ୍କରିଣୀ ଅଛି । ପ୍ରାଚୀନ ଇଷ୍ଟଦେବୀ ଲଙ୍କେଶ୍ୱରୀ ଓ ଇଷ୍ଟଦେବୀ ଗୋପୀନାଥଙ୍କର ମନ୍ଦିର ମଧ୍ୟ ଅଛି । ଦଶହରା ସମୟରେ ମହା ଆଡ଼ମ୍ବରରେ ଲଙ୍କେଶ୍ୱରୀଙ୍କର ପୂଜା ହୁଏ । ବାଲାଜୀ, କନକଦୁର୍ଗା ପ୍ରଭୃତି କେତେ ଦେବଦେବୀଙ୍କର ସୁନ୍ଦର ଦେଉଳ ଓ କେତେ ରାଜକୀୟ ଅଫିସ ସେଠାରେ ଅଛି । ରାଜକାର୍ଯ୍ୟର ସୁବିଧା ସକାଶେ ଭବାନୀପାଟଣାଠାରୁ ଜୁନାଗଡ଼ ପର୍ଯ୍ୟନ୍ତ ଟେଲିଫୋନର ବ୍ୟବସ୍ଥା ହୋଇଅଛି ।

 

କଳାହାଣ୍ଡିର ପ୍ରଧାନ ଫସଲ ଧାନ । ମୁଗ, ବୀରି, ହରଡ଼, କୋଳଥ, ଖେସାରି, ସୋରିଷ, ଜନା, ମାଣ୍ଡିଆ, ସୁଆଁ, ରାଶି ପ୍ରଭୃତି ପ୍ରଚୁର ପରିମାଣରେ ଉତ୍ପନ୍ନ ହୁଏ । ଅନ୍ତର୍ବାଣିଜ୍ୟର ସୁବିଧା ସକାଶେ ରାଜ୍ୟରେ ଅନେକ ହାଟ ଅଛି । କନ୍ଧମାନେ ନାନାପ୍ରକାର ବନ୍ୟଜ ପଦାର୍ଥ ହାଟରେ ବିକ୍ରୟ କରନ୍ତି । ଏହି କନ୍ଧମାନେ ହିଁ କଳାହାଣ୍ଡିର ସଂଖ୍ୟାଗରିଷ୍ଠ ଜାତି । ସେମାନେ ଓଡ଼ିଆ କହନ୍ତି । ଲାଞ୍ଜିଗଡ଼ରେ କନ୍ଧମାନେ ଓଡ଼ିଆ ଗୀତ ଗାଉଥିବାର ଶୁଣିଥିଲି । ସେମାନେ ଗ୍ରାମ୍ଫୋନରୁ ଶୁଣି ‘ବିତଳକୁ ଆଲିଙ୍ଗନ’ ଅତି ସୁନ୍ଦର ଭାବରେ ଗାଉଥିଲେ । ସ୍ୱରର ଅବିକଳ ଅନୁକରଣ ବିଶେଷ ପ୍ରଶଂସାର୍ହ । ସଉରାମାନେ ବି ଓଡ଼ିଆ କହନ୍ତି । ମହରା, ଡୋମ ଭୁଷିଆ, କୋଷ୍ଠା ଜାତିମାନେ ଲୁଗା ବୁଣନ୍ତି; ବୁଣା ବହଳ ଓ ପରିଷ୍କାର । ଏ ଅଞ୍ଚଳରେ ଅରଟକୁ ରାହାଣ୍ଡି କହନ୍ତି। ଅରଟର ପ୍ରଚଳନ ପ୍ରାଚୀନକାଳରୁ ଅବଧି ଅକ୍ଷତ ଅଛି । କୁଟି ଖାଇବା, କାଟି ପିନ୍ଧିବା ଏ ରାଜ୍ୟବାସୀଙ୍କର ସହଜାତ ସଂସ୍କାର । ସେହି ହେତୁରୁ ସେମାନେ ସୁଖୀ, ସୁସ୍ଥ ଓ ସବଳ ।

 

ଲାଞ୍ଜିଗଡ଼ରେ ଉତ୍କୃଷ୍ଟ କମଳା ଲେମ୍ବୁ ଓ ଅଭ୍ର ମିଳେ । କାଶୀପୁରରେ ଚିନାମଣି ନାମକ ପ୍ରସ୍ତର ନିର୍ମିତ ସୁନ୍ଦର ବାସନ ମିଳେ । ଉତ୍କୃଷ୍ଟ ଦହି ଓ ଘିଅ ସକାଶେ ମଧ୍ୟ କାଶୀପୁର ପ୍ରସିଦ୍ଧ । ଲାଞ୍ଜି ନାମକ ସ୍ଥାନରେ ସୁର୍ମାର ଖଣି ଅଛି । ସେଠାକାର ସୁର୍ମା ଅତି ଉତ୍କୃଷ୍ଟ ବୋଲି ପରୀକ୍ଷାରେ ପ୍ରମାଣିତ ହୋଇଅଛି । ମହୁଲ ପାଟଣାରେ ଲାଖ ଓ ତସର ଉତ୍ପନ୍ନ ହୁଏ । ରାମପୁର ମଦନପୁରରେ ପ୍ରଚୁର ପରିମାଣରେ ଭଲ ଖଇର ଓ କଡ଼ିକାଠ ମିଳେ ।

 

କର୍ଲାପାଟରେ ଲୌହଉତ୍ପାଦନ ପ୍ରସ୍ତର ପ୍ରଚୁର ପରିମାଣରେ ମିଳେ । ଥୁଆମୂଳ ରାମପୁରରେ ଚନ୍ଦନ ବୃକ୍ଷ ଅଛି । ସେଠାରେ ଫୁଲକଡ଼ି ଯଥେଷ୍ଟ ପରିମାଣରେ ମିଳେ । ଧର୍ମଗଡ଼ରେ ଭୀମଖୋଜ ନାମରେ ସୁଦୃଶ୍ୟ ପ୍ରାଚୀନ ଗୁମ୍ଫା ବିଦ୍ୟମାନ । ସେଠାରେ ସାପ୍ତାହିକ ମେଳା ବସେ । ଗୋତମୁଣ୍ଡାରେ ସ୍ଳେଟ୍‌ ପଥରର ଖଣି ଅଛି । କଣ୍ଟପଡ଼ାରୁ ପ୍ରଚୁର ପରିମାଣରେ ସୁର୍ମା ରପ୍ତାନୀ ହେଉଅଛି । ରାଜ୍ୟର ନାନା ସ୍ଥାନରେ ବୃହତ୍‌ ଗଭୀର ଜଳାଧାର ଅଛି ।

 

ଭବାନୀପାଟଣା, କର୍ଲାପାଟ, କାଶୀପୁର, ଜୁନାଗଡ଼, ରାମପୁର ମଦନପୁର, ଲାଞ୍ଜିଗଡ଼, ଜୟପାଟଣା, କୋକସରାରେ ଦାତବ୍ୟ ଔଷଧାଳୟ ସ୍ଥାପିତ ହୋଇ ରାଜ୍ୟର ସର୍ବତ୍ର ଚିକିତ୍ସାର ସୁବ୍ୟବସ୍ଥା କରାଯାଇଅଛି ।

 

ରାଜ୍ୟରେ ଅନେକ ବଡ଼ ବଡ଼ ପର୍ବତ ଅଛି । ସେଥିମଧ୍ୟରେ ନିୟାମଗିରି, ଯଶେଶ, ବ୍ରାହ୍ମଣୀ, କୁମ୍ଭକୋଟ, ଧନୁପଞ୍ଚାଙ୍ଗ, ଚୁଡ଼ା, ଘଣା ଆମ୍ବପାଣି, ବଜ୍ରଗଡ଼ ପ୍ରଧାନ । ନିୟାମଗିରି ନବୋକୁଳ ପ୍ରଦେଶର ସର୍ବୋଚ୍ଚ ପର୍ବତ । ତାହାର ଉଚ୍ଚତା ମହେନ୍ଦ୍ରଗିରିଠାରୁ ଅଧିକ । ଚୁଡ଼ାପର୍ବତରେ ଅନେକ ପ୍ରାକୃତିକ ଗୁମ୍ଫା ଅଛି । ତାହା ପୂର୍ବେ ଯୋଗୀ ଋଷିମାନଙ୍କର ଆବାସ ଥିବା ସମ୍ଭବ ।

 

କଳାହାଣ୍ଡିର ବନ୍ୟଜାତ ଦ୍ରବ୍ୟ ମଧ୍ୟରେ ଲାଖ, ଚିରେଞ୍ଜି, ହରିଡ଼ା, ବାହାଡ଼ା, ଆଞ୍ଛି (ଆଛୁ), ଧୂପ, ମଧୁ, ମହମ, କୋଷା, ମହୁଲ, ଟୋଳ, ସୁନାରୀ ଛାଲି ପ୍ରଧାନ । ଏହା ଛଡ଼ା ନାନାଜାତୀୟ ଔଷଧ ଓ ଉତ୍କୃଷ୍ଟ କାଠ ପ୍ରଚୁର ପରିମାଣରେ ମିଳେ । ସ୍ଥୂଳତଃ କଳାହାଣ୍ଡି ବନ୍ୟସମ୍ପଦରେ କୁବେର । ସମୟ ସମୟରେ ଜଙ୍ଗଲରେ ହାତୀପଲ ଦେଖାଯାଆନ୍ତି । କଳାହାଣ୍ଡିର ମହାବଳ ବ୍ୟାଘ୍ର ବଡ଼ ଭୀଷଣାକାର । ମହାରାଜା ଶିକାରରେ ସିଦ୍ଧହସ୍ତ । ତାଙ୍କର ଅବ୍ୟର୍ଥ ଲକ୍ଷ୍ୟଭେଦ ଅନେକ ବ୍ୟାଘ୍ରବଧୂଙ୍କୁ ବୈଧବ୍ୟ-ଯନ୍ତ୍ରଣା ପ୍ରଦାନ କରିଅଛି । ବନ, ପର୍ବତରେ ଭଲ୍ଲୁକ ମଲ୍ଲବୀରର ଅଭାବ ନାହିଁ । ମୁଗ, ଶମ୍ଭର, ବରାହ ପ୍ରଭୃତି ବନ-ସରୋବରରେ ପାଳିତ ମତ୍ସ୍ୟ । ସ୍ଥାନେ ସ୍ଥାନେ ବଡ଼ ବଡ଼ ସର୍ପ ମଧ୍ୟ ଦେଖାଯାଆନ୍ତି । ଅରଣ୍ୟ ପ୍ରଦେଶ ସମୁଦ୍ର ପରି ବିରାଟ, ବିଶାଳ-। ତାହାର କଳନା ଅସମ୍ଭବ ନ ହେଲେ ସୁଦ୍ଧା ଦୁଃସାଧ୍ୟ ।

 

କଳାହାଣ୍ଡିରେ ଅନେକ ନଦନଦୀ ପ୍ରବାହିତ । ତନ୍ମଧ୍ୟରେ ତେଲ ନଦୀ, ହାତୀ ନଦୀ, ଶଗଡ଼ । ଉତେଇ, ଇନ୍ଦ୍ରାବତୀ, ରେତ, କମଳା, ଗାଈଧାର, ମୁଡ଼ରା ଓ ବଂଶଧାରା ପ୍ରଧାନ । ତେଲନଦୀ ସବୁଠାରୁ ବଡ଼ । ଏହା ମହାନଦୀରେ ମିଶିଅଛି । ରାଜ୍ୟର ସକଳ ଅଂଶରେ ଶିରାପ୍ରଶିରା ପରି ପ୍ରାୟ ଏକହଜାର ସାନ ବଡ଼ ନଦନଦୀ ପ୍ରବାହିତ ହୁଏ । ଏହି ହେତୁରୁ ରାଜ୍ୟ ବିଶେଷ ଉର୍ବର । ରାଜ୍ୟର ନାନା ସ୍ଥାନରେ ବାଣିଜ୍ୟର କେନ୍ଦ୍ର ଅଛି ।

 

ଇନ୍ଦ୍ରାବତୀ ଥୁଆମୂଳ ରାମପୁରକୁ ନିର୍ଗତ ହୋଇ କଳାହାଣ୍ଡି, ବସ୍ତର ଓ ଜୟପୁର ଦେଇ ଗୋଦାବରୀରେ ମିଶିଅଛି । କମଳା ଓ ଗାଈଧାର ନଦୀ ମହୁଲପାଟଣାରୁ ବାହାରିଅଛି । ବଂଶଧାରା ନିୟାମଗିରିରୁ ବାହାରି ଗଞ୍ଜାମ ଜିଲାଦେଇ ସମୁଦ୍ରରେ ପଡ଼ିଅଛି ।

 

ଲୌହ, ଅଭ୍ର, ସ୍ଳେଟ, ଫୁଲଖଡ଼ି, ସୁର୍ମା, ଚମଡ଼ା, ଶିଙ୍ଗ, ମହୁ, ମହମ, କପା, ଝୋଟ, ତୈଳ ଓ ତୈଳବୀଜ, ଗହମ, ଚଣା, ହରିଡ଼ା, ବାହାଡ଼ା, ଖଇର, ଲାଖ, ଟସର, କଡ଼ିକାଠ, ଆଖୁମୂଳ, ସୁନାରୀ ଛାଲି, ଗୁଆ ଘିଅ ପ୍ରଭୃତି ଏ ରାଜ୍ୟରୁ ଅନ୍ୟତ୍ର ରପ୍ତାନୀ ହୁଏ । ମସଲା, ବିଲାତିଆଳୁ, ଲୁଣ, ଲୁଗା ଓ ଛତା ପ୍ରଭୃତି କେତେକ ପଦାର୍ଥ ବିଦେଶରୁ ଏଠାକୁ ଆସେ ।

 

ସଡ଼କ ମଧ୍ୟରେ ଶିକରକୁପା, ସମ୍ବଲପୁର, ରାୟପୁର, ଜୁନାଗଡ଼, ପାର୍ବତୀପୁର ଓ ଧର୍ମଗଡ଼ ସଡ଼କ ସର୍ବପ୍ରଧାନ । ରାୟପୁର ଏଠାରୁ ୧୬୦ ମାଇଲ ଓ ସମ୍ବଲପୁର ୧୪୦ ମାଇଲ ।

 

ପାଣ, ଘାସୀ, କନ୍ଧ, ଗଣ୍ଡ, ସଉରା, ବିଙ୍ଖଳ ଏ ରାଜ୍ୟର ଆଦିମ ଅଧିବାସୀ । ବ୍ରାହ୍ମଣ, କରଣ, ତନ୍ତୀ, ସୁନାରି, ବଢ଼େଇ, କମାର, ଗଉଡ଼, ଥଟାରି, କୋଷ୍ଟା, ପାଇକ ଓ କ୍ଷତ୍ରିୟ ବର୍ତ୍ତମାନ ଅଧିବାସୀ । ବ୍ରାହ୍ମଣ, କରଣ ପ୍ରଭୃତି ଉଚ୍ଚଜାତି ବ୍ୟତୀତ ଅନ୍ୟାନ୍ୟ ଜାତିରେ ଗାନ୍ଧର୍ବ ବିବାହ ପ୍ରଚଳିତ । ଏଠାର ସାଧାରଣ ଭାଷା ଓଡ଼ିଆ । ନବାନ୍ନ ଭକ୍ଷଣ ପ୍ରଧାନ ପର୍ବ; ଅନ୍ୟାନ୍ୟ ହିନ୍ଦୁପର୍ବ ମଧ୍ୟ ପାଳିତ ହୁଏ । ବ୍ରାହ୍ମଣ, କ୍ଷତ୍ରିୟ, କରଣ ପ୍ରଭୃତି କୁଳୀନ ଜାତି ମଧ୍ୟରେ ପ୍ରଥମାଷ୍ଟମୀ ପାଳିତ ହୁଏ, ମାତ୍ର ଅନ୍ୟ ଜାତିରେ ହୁଏ ନାହିଁ ।

 

ନର୍ଲା ଗ୍ରାମରେ ଗୋଟିଏ ଶିବମନ୍ଦିର ଅଛି । ପଥର ଉପରେ ପଥର ରଖାଯାଇ ମନ୍ଦିର ନିର୍ମିତ ହୋଇଅଛି । ଶିଳ୍ପୀର କଳ୍ପନାରେ ବୈଶିଷ୍ଟ୍ୟ ଅଛି । ସେ ବୋଧହୁଏ ମନ୍ଦିରାକୃତିରେ ଶିବଙ୍କର ମାଳବାସସ୍ଥାନ କୃତ୍ରିମ କୈଳାସ ପର୍ବତ ନିର୍ମାଣ କରିଅଛି । ତେଲନଦୀ ଓ ଉତେଇ ନଦୀର ସଙ୍ଗମ ସ୍ଥାନରେ ବେଲଖଣ୍ଡୀ ଗ୍ରାମରେ ମହାଦେବ ଓ ଚଣ୍ଡୀଙ୍କର ମନ୍ଦିର ଅଛି । ଶିବରାତ୍ରି ସମୟରେ ସେଠାରେ ପାଞ୍ଚଦିନଯାଏଁ ମେଳା ବସେ । ସମ୍ବଲପୁର, ସୋନପୁର ପ୍ରଭୃତି ବହୁ ଦୂରବର୍ତ୍ତୀ ସ୍ଥାନରୁ କ୍ରେତାବିକ୍ରେତାମାନେ ମେଳାକୁ ଆସନ୍ତି । ନାନା ପ୍ରକାର ଲୌହଜାତ ପଦାର୍ଥ ପ୍ରଚୁର ପରିମାଣରେ ମେଳାକୁ ଆସେ ।

 

କାଶୀପୁର ବଙ୍ଗଳାର ପଛପାଖ ବାରନ୍ଦାରେ ବସିଲେ ତାରିଣୀପର୍ବତ ଓ ପର୍ବତସ୍ଥ ତାରିଣୀ ଦେବୀଙ୍କ ମନ୍ଦିର ସେଠାକୁ ଦେଖାଯାଏ । ତାରିଣୀ ପର୍ବତ ଉପରେ ସୂର୍ଯ୍ୟୋଦୟର ଦୃଶ୍ୟ ମୁଁ ପ୍ରତ୍ୟହ ଦେଖିଅଛି । ଦେଉଳ ଭିତରୁ ସୂର୍ଯ୍ୟ ବାହାରିଆସିଲା ପରି ବୋଧହୁଏ । ସେ ଦୃଶ୍ୟ ଅତି ଚମତ୍କାର । ତାହା ଅଦ୍ୟାପି ମୋ ନେତ୍ରରେ ଲାଗିରହିଅଛି । ସୌନ୍ଦର୍ଯ୍ୟ, ବୈଚିତ୍ର୍ୟ, ବୈଶିଷ୍ଟ୍ୟ ଓ ନିତ୍ୟ ନୂତନତ୍ୱ ପରସ୍ପରକୁ ଆଲିଙ୍ଗନ କଲା ପରି ଦିଶେ । ସେ ମହାଦୃଶ୍ୟ ପ୍ରାଣରେ ପ୍ରେମ, ଭକ୍ତି, ଭାବ ଓ ଉଲ୍ଲାସର ଅମୃତ-ଉତ୍ସ ସୃଷ୍ଟିକରେ । ସେ ଚିତ୍ରର ଅଙ୍କନ ଭାଷାଶକ୍ତିର ଅତୀତ ।

 

କଳାହାଣ୍ଡି ଗୋଟିଏ ପ୍ରାଚନୀ ସମୃଦ୍ଧ ରାଜ୍ୟ । ପୂର୍ବେ ସେଠାରେ ଗଙ୍ଗବଂଶୀୟ ରାଜାମାନେ ରାଜତ୍ୱ କରୁଥିଲେ । ସେହି ବଂଶର ଶେଷ ରାଜା ଅପୁତ୍ରକ ଥିଲେ । ତାଙ୍କର ଗୋଟିଏ କନ୍ୟାସନ୍ତତି ଥିଲେ । ରାଜା ସେହିରୂପେ ଗୁଣବତୀ କନ୍ୟାଙ୍କୁ ଜଣେ ନାଗବଂଶୀୟ ସୁପ୍ରସିଦ୍ଧ ରାଜପୁରୁଷଙ୍କ ସହ ବିବାହ-ସୂତ୍ରରେ ଆବଦ୍ଧ କରି ସେହି ନବ ଜାମାତାଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କଲେ । ସେହିଦିନଠାରୁ କଳାହାଣ୍ଡିରେ ନାଗବଂଶୀୟ ରାଜତ୍ୱ ଆରମ୍ଭ ହେଲା । ନବନୃପତି ଜଣେ ସୁଚତୁର, ବିଚକ୍ଷଣ ଓ ରାଜନୀତି-ବିଶାରଦ ରାଜା ଥିଲେ । ସେ ରାଜନ୍ୟ-ବାଞ୍ଛିତ ସମସ୍ତ ସଦ୍‌ଗୁଣରେ ବିଭୂଷିତ ଥିଲେ ।

 

ସେହି ବଂଶୀୟ ପୁରୁଷୋତ୍ତମଦେବ ବର୍ତ୍ତମାନ ରାଜଧାନୀର ୧୬ ମାଇଲ ପଶ୍ଚିମରେ ଜୁନାଗଡ଼ରେ ରାଜଧାନୀ ସ୍ଥାପନ କରିଥିଲେ । ତାଙ୍କ ପରେ ତାଙ୍କର ଜ୍ୟେଷ୍ଠପୁତ୍ର ଯୁଗସାଏ ଦେବ ସିଂହାସନାରୋହଣ କଲେ । ଦ୍ୱିତୀୟ ପୁତ୍ର ବିଶ୍ୱନାଥ ଦେବ ଲାଞ୍ଜିଗଡ଼ର ରାଜା ହେଲେ । କ୍ଷାତ୍ରଶକ୍ତିର ପ୍ରତିମୂର୍ତ୍ତି ବିଶ୍ୱନାଥ ଦେବ ବେଗଗାମୀ ଅଶ୍ୱପୃଷ୍ଠରେ ଆସୀନ ରହି ବନ ମଧ୍ୟରେ ହିଂସ୍ରଜନ୍ତୁମାନଙ୍କୁ ବିନାଶ କରୁଥିଲେ । ତାଙ୍କର ଅଦମ୍ୟ ସାହସ ଓ ବୀରତ୍ୱର ପରିଚୟ ପାଇ ଗୁଣଗ୍ରାହୀ ଗଭର୍ଣ୍ଣମେଣ୍ଟ ତାଙ୍କୁ ରାୟପୁର ଜିଲାସ୍ଥ ସାତଖଣ୍ଡ ଗ୍ରାମ ପୁରସ୍କାର ଦେଇଥିଲେ । ଗୁଣର ପୂଜା ଗୁଣିଠାରେ ହିଁ ସୁଲଭ । ବୀର ବୀରତ୍ୱରେ ମୁଗ୍‌ଧ ହୁଏ । ଲାଞ୍ଜିଗଡ଼ର ବର୍ତ୍ତମାନ ରାଜା ମୃଗୟୁବରେଣ୍ୟ ଶ୍ରୀଯୁକ୍ତ ମାହେଶ୍ୱରୀପ୍ରସାଦ ଦେବ ବିଶ୍ୱନାଥ ଦେବଙ୍କ ସୁଯୋଗ୍ୟ ପୌତ୍ର ଅଟନ୍ତି । ପିତାମହଙ୍କ ଗୁଣ ପୌତ୍ରଙ୍କ ହୃଦୟରେ ପ୍ରତିଫଳକ ହେଉଅଛି । ଗୁଣ ଓ ମହତ୍ତ୍ୱ ବାସ୍ତବରେ ବଂଶାନୁସାରୀ ହୋଇଥାଏ ।

 

ଯୁଗସାଏ ଦେବଙ୍କ ପରେ ତାଙ୍କ ପୁତ୍ର ଫତେନାରାୟଣ ଦେବ ସିଂହାସନରେ ପ୍ରତିଷ୍ଠିତ ହେଲେ । ତାଙ୍କ ରାଜତ୍ୱ ସମୟରେ ଜୁନାଗଡ଼ ଭୀଷଣ ମହାମାରୀରେ ଆକ୍ରାନ୍ତ ହେଲା । ରୋଗ ଏପରି ପ୍ରବଳ ହେଲା ଯେ, ଜୁନାଗଡ଼ ଏକାବେଳକେ ଲୋକବସତିର ଅନୁପଯୁକ୍ତ ହୋଇପଡ଼ିଲା । ତହୁଁ ରାଜା ଫତେନାରାୟଣ ଦେବ ଜୁନାଗଡ଼ ପରିତ୍ୟାଗ କରି ଭବାନୀପାଟଣାକୁ ରାଜଧାନୀ ଉଠାଇ ଆଣିଲେ । ଜୁନାଗଡ଼ର ସୌଭାଗ୍ୟରବି ଅସ୍ତମିତ ହୋଇଗଲା । ସ୍ଥାବର ଜଙ୍ଗମ ସମସ୍ତେ ଭାଗ୍ୟାଧୀନ ।

 

ତେତେବେଳେ ଭବାନୀପାଟଣାର ନାମ ଭଣ୍ଡେଶ୍ୱର ଥିଲା । ମହାରାଜା ତୀର୍ଥାଟନରୁ ଫେରିଆସି ନବ ରାଜଧାନୀରେ ଭବାନୀଶଙ୍କର ନାମକ ଶିବଲିଙ୍ଗ ସ୍ଥାପନ କରି ତାଙ୍କରି ନାମାନୁସାରେ ରାଜଧାନୀର ନାମ ଭବାନୀପାଟଣା ରଖିଲେ । ଭବାନୀପାଟଣା ଭାଗ୍ୟରେ ଏକାଦଶ ବୃହସ୍ପତି ଯୋଗ ଘଟିଲା । ଅରଣ୍ୟ ଶୋଭାଲକ୍ଷ୍ମୀ ଓ ସମୃଦ୍ଧିଲକ୍ଷ୍ମୀଙ୍କର ପ୍ରିୟ ବିଳାସ-ସ୍ୱର୍ଗରେ ପରିଣତ ହେଲା; ଅନ୍ଧକାରରେ ଜ୍ଞାନବିଜ୍ଞାନର ବିମଳ ଜ୍ୟୋତି ହସିଉଠିଲା । ଗୁଣ ଓ କର୍ମ ଉଚ୍ଚକୁ ଇତର କରେ ଏବଂ ଇତରକୁ ବନ୍ଦନୀୟ କରେ । ସେଥିପାଇଁ କହନ୍ତି- ‘‘ଭାଗ୍ୟଂ ଫଳତି ସର୍ବତ୍ର, କପାଳଃ କପାଳଃ କପାଳୋହି ମୂଳଃ ।’’ ଭାଗ୍ୟର ଅର୍ଥ କର୍ମ । କର୍ମଦ୍ୱାରା ଭାଗ୍ୟ ଗଠିତ ହୁଏ, ପୁଣି କେହି କେହି କହନ୍ତି- ଭାଗ୍ୟ କର୍ମର ଜନକ । ଏ ରହସ୍ୟ ବୀଜ ଓ ବୃକ୍ଷର ରହସ୍ୟ ପରି ଅମୀମାଂସ୍ୟ ଦୁରୂହ ବିଷମ ସମସ୍ୟାମୟ ।

 

ଫତେନାରାୟଣ ଦେବଙ୍କ ପରେ ତାଙ୍କ ପୁତ୍ର ଉଦିତପ୍ରତାପ ଦେବ ରାଜା ହେଲେ । ସେ ରାଜ୍ୟ ମଧ୍ୟରେ ସୁଗମ୍ୟ ପଥ ନିର୍ମାଣ ଓ ଦେବାଳୟ, ବିଦ୍ୟାଳୟ, ପାନ୍ଥଶାଳା, ଶିଳ୍ପବାଣିଜ୍ୟାଗାର ପ୍ରଭୃତି ସ୍ଥାପନ କରି ନିଜକୁ ଅମର କରିଯାଇଅଛନ୍ତି । ପ୍ରଜାପୁଞ୍ଜଙ୍କର କଲ୍ୟାଣ ନିମନ୍ତେ ସେ ରାଜସ୍ୱ ବନ୍ଦୋବସ୍ତ ମଧ୍ୟ କରିଯାଇଥିଲେ । ମହାରାଣୀ ଭିକ୍‌ଟୋରିଆଙ୍କ ଅମଳର ଦିଲ୍ଲୀ ଦରବାର ସମୟରେ ମହାରାଜା ଉଦିତପ୍ରତାପ ଦେବ ଉତ୍କଳୀୟ ରାଜାମାନଙ୍କର ଗୌରବ ବର୍ଦ୍ଧନ ନିମନ୍ତେ ରଥ, ଗଜ, ଅଶ୍ୱ, ସୈନିକସାମନ୍ତ ସହ ରାଜାମାନଙ୍କର ଅଗ୍ରଣୀ ହୋଇ ମହା ଦରବାରରେ ଯୋଗ ଦେଇଥିଲେ । ତାଙ୍କ ରାଜଭକ୍ତିର ପରାକାଷ୍ଠା ଦୃଷ୍ଟିରେ ନଅଗୋଟି ତୋପଦ୍ୱାରା ତାଙ୍କୁ ସମ୍ମାନ ପ୍ରଦର୍ଶିତ ହୋଇଥିଲା । ସେ ସମ୍ବଲପୁରର ମହାରାଜକନ୍ୟା ଶ୍ରୀମତୀ ଆଶାକୁମାରୀ ଦେବୀଙ୍କର ପାଣି ଗ୍ରହଣ କରିଥିଲେ ।

 

ତାଙ୍କ ପରେ ତାଙ୍କର ଶିଶୁପୁତ୍ର ରଘୁକେଶରୀ ଦେବ ସିଂହାସନରେ ଅଭିଷିକ୍ତ ହେଲେ । ମହାରାଣୀ ଆଶାକୁମାରୀ ଦେବୀ ବୈଧବ୍ୟବତ ଧାରଣ କରି ରାଜକାର୍ଯ୍ୟ ପରିଚାଳନ କରିବାକୁ ଲାଗିଲେ । ସେ ଯେପରି ବୁଦ୍ଧିମତୀ, ସେହିପରି ଧୈର୍ଯ୍ୟଶୀଳା । ସେହି ସମୟରେ ରାଜ୍ୟରେ ଭୀଷଣ କନ୍ଧବିଦ୍ରୋହ ଉପସ୍ଥିତ ହେଲା । ବନ୍ଧମାନେ ମେଳ ବାନ୍ଧି ନାନା ଉପଦ୍ରବ ସୃଷ୍ଟିକଲେ । ବିଦ୍ରୋହବହ୍ନି ପ୍ରଖରଭାବରେ ଜଳିଉଠିଲା, ମାତ୍ର ମହାରାଣୀ ଆଶାକୁମାରୀ ସେଥିପାଇଁ ଭୀତ ବା ଚିନ୍ତିତ ନ ହୋଇ ବଂଶ ଓ ଆତ୍ମମର୍ଯ୍ୟାଦା ଅକ୍ଷୁଣ୍ଣ ରଖି ଅସୀମ ଧୈର୍ଯ୍ୟ ଓ ସାହସ ଅବଲମ୍ବନପୂର୍ବକ ଉପସ୍ଥିତ କର୍ତ୍ତବ୍ୟରେ ମନୋନିବେଶ କଲେ । ବୀରବାଳାମାନେ ବିପଦକୁ ଭୟ ନ କରି ବିପଦର ସମ୍ମୁଖୀନ ହୁଅନ୍ତି । କେଶରିଣୀ ବିପଦରେ ଅଧୀର ନହୋଇ ବିପଦ ସଙ୍ଗରେ ଯୁଦ୍ଧକରେ । ମହାରାଣୀ ବିଦ୍ରୋହ-ଦମନ ନିମନ୍ତେ ରକ୍ଷିତ ସୈନିକ ଦଳ ସହ ସେନାପତିଙ୍କୁ ପ୍ରେରଣ କଲେ ଏବଂ ଆବଶ୍ୟକ ପଡ଼ିଲେ ନିଜେ ମଧ୍ୟ ଯୁଦ୍ଧକୁ ଯିବା ପାଇଁ ପ୍ରସ୍ତୁତ ରହିଲେ । ଫେରୁଦଳର ଉପଦ୍ରବକୁ ବାଘୁଣୀ ଖାତର କରେ ନାହିଁ, କଟାକ୍ଷର ଅଗ୍ନିବର୍ଷୀ ଦୃଷ୍ଟିରେ ସେମାନଙ୍କୁ ତ୍ରସ୍ତବ୍ୟସ୍ତ କରି ଘଉଡ଼ାଇଦିଏ । ତେତିକିରେ ଫେରୁପଲ କିଏ କୁଆଡ଼େ ପଳାଇଯାଇ ଲୁଚିରହନ୍ତି । ରାଜସେନା ମହାବିକ୍ରମରେ ବିଦ୍ରୋହୀମାନଙ୍କ ପ୍ରତି ପ୍ରଧାବିତ ହେଲେ । ଏହି ସମୟରେ ଦୟାମୟ ଗଭର୍ଣ୍ଣମେଣ୍ଟ ମହାରାଣୀଙ୍କ ସାହାଯ୍ୟ ନିମିତ୍ତ ଏକଦଳ ପଦାତିକ ସୈନିକ ପ୍ରେରଣ କଲେ । ମହାରାଣୀଙ୍କ ରାଜ୍ୟପାଳନ ଦକ୍ଷତା ଓ ରାଜଭକ୍ତିରେ ଗଭର୍ଣ୍ଣମେଣ୍ଟ ଆଗରୁ ସନ୍ତୁଷ୍ଟ ଥିଲେ । ସୁଶିକ୍ଷିତ ସରକାରୀ ସୈନିକ ଯାଇ ରାଜସୈନିକ ସହ ମିଳିତ ହେଲେ । ଅନଳ ସ୍ୱଭାବତଃ ଦୁର୍ବାର, ଦ୍ୱିତୀୟରେ ସୃଷ୍ଟିଧ୍ୱଂସଦକ୍ଷ ମହାବଳୀ ପ୍ରଭଞ୍ଜନର ସହାୟତା ପାଇଲେ ତାହାର ଦୁର୍ଦ୍ଧମ୍ୟ ବେଗ କିଏ ସମ୍ଭାଳିପାରିବ ? ସାହସ ଆଗରେ ଭୀରୁତା ବା କେତେକ୍ଷଣ ମୁଣ୍ଡ ଟେକିପାରେ ? ମିଳିତ ସୈନିକଦଳଙ୍କର ଦୁଦ୍ଦଣ୍ଡ ପ୍ରତାପ ଓ ଭୀଷଣ ଆକ୍ରମଣ ସହି ନ ପାରି ମେଜିଆ କନ୍ଧମାନେ ଛତ୍ରଭଙ୍ଗ ହୋଇ ପଳାଇଯାଇ ଦୁର୍ଗମ କାନ୍ତାର ଓ ଗରି ଗହ୍ୱରରେ ପ୍ରାଣଭୟରେ ଲୁଚିରହିଲେ । ନୀତି ଆଗରେ ଅଧର୍ମ ତିଷ୍ଠିପାରେ ନାହିଁ ! କେଡ଼େ ଭୀଷଣ କନ୍ଧବିଦ୍ରୋହ ଅଚିରାତ୍‌ ଦମିତ ହୋଇଗଲା । ରାଜ୍ୟରେ ଶାନ୍ତି ପ୍ରତିଷ୍ଠିତ ହେଲା । କ୍ଷାତ୍ର ଶକ୍ତିରୂପିଣୀ ମହାରାଣୀ ଆଶାକୁମାରୀ ଜୟଶ୍ରୀବିମଣ୍ଡିତା ହେଲେ । ଏହି ଯୁଦ୍ଧରେ ଥାଟରାଜା ବୈଦ୍ୟନାଥ ସିଂହ ଓ ସେନାପତି ଅର୍ଜ୍ଜୁନ ସିଂହ ଅସୀମ ବୀରତ୍ୱର ପରିଚୟ ଦେଇଥିଲେ । ସେମାନଙ୍କ ରଣକୌଶଳରେ ବ୍ରିଟିଶବାହିନୀ ମଧ୍ୟ ମୁଗ୍‌ଧ ହୋଇଥିଲେ ଏବଂ ଓଡ଼ିଆର ବାହୁବଳକୁ ପ୍ରଶଂସା କରିଥିଲେ ।

 

ଅନନ୍ତର ରଘୁକେଶରୀ ଦେବ ଜବଲପୁରସ୍ଥ ରାଜକୁମାର କଲେଜକୁ ପ୍ରେରିତ ହେଲେ । ଯଥା ସମୟରେ କଲେଜରୁ ଉତ୍ତୀର୍ଣ୍ଣ ହୋଇ ସେ ରାୟପୁରର ଜଜ୍‌ ଓ କଲେକ୍‌ଟରୀ କଚେରୀରେ ରାଜନୀତି ଓ ରାଜକାର୍ଯ୍ୟ ଶିକ୍ଷା କରି ଅଳ୍ପ ସମୟ ମଧ୍ୟରେ ବିଶେଷ ପ୍ରବୀଣତା ଲାଭ କଲେ; ମାତ୍ର ଅତି ଦୁଃଖର ବିଷୟ, ଶିକ୍ଷାକୁ କାର୍ଯ୍ୟରେ ପରିଣତ କରିବା ପୂର୍ବରୁ ତାଙ୍କର ଲୋକାନ୍ତର ଘଟିଲା । ତେତେବେଳକୁ ତାଙ୍କର ପୁତ୍ର ବର୍ତ୍ତମାନ ମହାରାଜା ଶ୍ରୀଯୁକ୍ତ ବ୍ରଜମୋହନଦେବ ଦେଢ଼ବର୍ଷ ବୟସ୍କ ଶିଶୁ । ଏହି ଶିଶୁ ମହାରାଜକୁମାର ମାତୃ ଅଙ୍କରୁ ଯାଇ ସିଂହାସନରୋହଣ କଲେ । କଳାହାଣ୍ଡିରାଜ୍ୟ ପୂର୍ଣ୍ଣିମା ଦିନାନ୍ତର ଉପମା ଧାରଣ କଲା । ଏକଆଡ଼େ ସୂର୍ଯ୍ୟ ଅସ୍ତ ହେଲେ, ଅନ୍ୟ ଆଡ଼େ ପୂର୍ଣ୍ଣ ଶଶଧର ପୂର୍ଣ୍ଣ କଳା ଘେନି ଉଦିତ ହୋଇ ସ୍ୱଚ୍ଛ ଶୁଭ୍ର ଜ୍ୟୋତ୍ସ୍ନା ବିକିରଣ କରି ସୃଷ୍ଟି ଆଲୋକିତ କଲେ । ଅନ୍ଧକାର ନଗରୀ ମଧ୍ୟରେ ପଶିବାକୁ ଅବସର ପାଇଲା ନାହିଁ । ସେ ଯାଇ ଶତ୍ରୁ-ହୃଦୟରେ ଓ ଗିରିଗୁହାରେ ଲୁଚିରହିଲା । ଶିଶୁମହାରାଜା ଧର୍ମପ୍ରାଣ ସ୍ନେହମୟୀ ଜନନୀଦେବୀଙ୍କ ପବିତ୍ର କ୍ରୋଡ଼ରେ ବର୍ଦ୍ଧିତ ଓ ସୁଶିକ୍ଷାପ୍ରାପ୍ତ ହେବାକୁ ଲାଗିଲେ ।

 

ମହାରାଜ ବ୍ରଜମୋହନଙ୍କର ପ୍ରାଥମିକ ଶିକ୍ଷା ତାଙ୍କର ବିଦୁଷୀ ଜନନୀ ଶ୍ରୀମତୀ ରାମଚନ୍ଦ୍ରପ୍ରିୟା ମହାଦେବୀଙ୍କ ନିକଟରୁ ଆରମ୍ଭ ହୋଇଥିଲା । ସେ ଅସାଧାରଣ ମେଧାଶକ୍ତି ପ୍ରଭାରେ ଜାତୀୟ ଭାଷାରେ କ୍ରମୋନ୍ନତି ଲାଭକଲେ । ଅନନ୍ତର ରାୟପୁର ରାଜକୁମାର କଲେଜକୁ ପ୍ରେରିତ ହୋଇ ଉଚ୍ଚଶିକ୍ଷା ପ୍ରାପ୍ତ ହେଲେ । ରାଜ୍ୟ କୋର୍ଟ ଅଫ୍‌ ଓ୍ୱାଡ଼୍‌ସ ତତ୍ତ୍ୱାବଧାନରେ ପରିଚାଳିତ ହେଲା । ମହାରାଜା କଲେଜ ଶିକ୍ଷା ସମାପ୍ତ କରି ସୁଯୋଗ୍ୟ ଦେଓ୍ୱାନ୍ତ ଶ୍ରୀଯୁକ୍ତ ଯୁଗଳକିଶୋର ତ୍ରିପାଠୀ ଏମ୍‌. ଏ.ଙ୍କ ତତ୍ତ୍ୱାବଧାନରେ ରାଜ୍ୟଶାସନ ପ୍ରଣାଳୀ ଶିକ୍ଷାପୂର୍ବକ ୧୯୧୭ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ୧୫ ତାରିଖରେ ଫିଉଡ଼େଟରୀ ଚିଫ୍‌ପଦ ପ୍ରାପ୍ତ ହୋଇ ରାଜ୍ୟଭାର ସ୍ୱହସ୍ତରେ ଗ୍ରହଣ କଲେ ।

 

ମହାରାଜା ଶ୍ରୀଯୁକ୍ତ ବ୍ରଜମୋହନ ଦେବ ଜଣେ ଯୋଗଜନ୍ମା ରାଜପୁରୁଷ । ସେ ରାଜ୍ୟଭାର ଗ୍ରହଣ କରି ରାଜ୍ୟର ସର୍ବବିଧ ଉନ୍ନତି ପ୍ରତି ଅବହିତ ହେଲେ । କୃଷି, ଶିଳ୍ପ, ବାଣିଜ୍ୟ ଓ ଶିକ୍ଷା ସମ୍ବନ୍ଧରେ ନାନା ଅନୁଷ୍ଠାନ ଆରମ୍ଭ ହେଲା ଏବଂ ସେଥିପାଇଁ ନୂତନ ନୂତନ ଉପାୟ ଉଦ୍ଭାବିତ ହେଲା, ବଣ ଜଙ୍ଗଲ କଟାହୋଇ କୃଷିକ୍ଷେତ୍ରରେ ପରିଣତ ହେଲା । ସଡ଼କ ମାନ ବନ୍ଧାହୋଇ ଯାତାୟାତର ସୁବିଧା କରିଦିଆଗଲା । ତଦ୍ଦ୍ୱାରା ଅନ୍ତର୍ବାଣିଜ୍ୟର ବିଶେଷ ସୁବିଧା ହେଲା । ରାଜ୍ୟର ଶସ୍ୟାଦି ବାହାରକୁ ନ ଯିବାରୁ ତାହା ଶସ୍ତାରେ ସମସ୍ତେ ପାଇଲେ । ତଦ୍ଦ୍ୱାରା କୃଷକୁଳର କିଛି କ୍ଷତି ହେଲା ନାହିଁ । କଳାହାଣ୍ଡିରେ ଧାନ୍ୟାଦି ଶସ୍ୟ ପ୍ରଚୁର ପରିମାଣରେ ଫଳେ, ପୁଣି ଭୂମିର ରାଜସ୍ୱ ଖୁବ୍‌ ଊଣା । ସେମାନେ ଶସ୍ତାରେ ଯେପରି ଶସ୍ୟ ବିକ୍ରୟ କଲେ, ସେହିପରି ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ଶସ୍ତାରେ କିଣିବାକୁ ପାଇଲେ । ସୁତରାଂ ଶସ୍ୟର ମୂଲ୍ୟହ୍ରାସ ସେମାନଙ୍କୁ ବାଧିଲା ନାହିଁ, ବରଂ ସାଧାରଣଙ୍କ ଅବସ୍ଥା ଭଲ ହେଲା । ମହାରାଜାଙ୍କର ଏ ପ୍ରତ୍ୟୁତ୍ପନ୍ନମତି ବାସ୍ତବରେ ମହାରାଜୋଚିତ ପ୍ରଶଂସନୀୟ । କଳାହାଣ୍ଡିରେ ପୂର୍ବେ ଡକାଏତର ଭୟ ପ୍ରବଳ ଥିଲା; ମାତ୍ର ବଣ କଟାହୋଇ ନାନା ସ୍ଥାନକୁ ବାଟ ଫିଟିଯିବାରୁ ଏବଂ ପୋଲିସ ଥାନା ବଢ଼ିଯିବାରୁ ପୁଣି ବଛା ବଛା ଚତୁର, କର୍ମଠ ବ୍ୟକ୍ତି ପୋଲିସ ବିଭାଗରେ ପ୍ରଚୁର ପରିମାଣରେ ରହିବାରୁ ଡକାଏତ ଉପଦ୍ରବ ଦମିତ ହୋଇଅଛି; ପ୍ରଜାକୁଳ ସୁଖଶାନ୍ତିରେ କାଳଯାପନ କରୁଅଛନ୍ତି । ଶିକ୍ଷାର ଅଭିବୃଦ୍ଧି ମଧ୍ୟ କ୍ଷିପ୍ରଗତିରେ ଅଗ୍ରସର ହେଉଅଛି । ଅର୍ଥାଗମ ସମ୍ବନ୍ଧରେ ନାନାବିଧ ସୁପନ୍ଥା ଅବଲମ୍ବିତ ହୋଇଅଛି-। ଏହିପରି ସବୁ ଦିଗରୁ ଆଲୋଚନା କଲେ ସ୍ପଷ୍ଟରୂପେ ପ୍ରତୀୟମାନ ହୁଏ ଯେ, ମହାରାଜା ବ୍ରଜମୋହନ କଳାହାଣ୍ଡିକୁ ରାମରାଜ୍ୟରେ ପରିଣତ କରିଅଛନ୍ତି ।

 

ଭବାନୀପାଟଣାର ଚାରିଦିଗରେ କେତେଗୋଟା ବୃହତ୍‌ ଖମାର ଅଛି । ସେଥିରେ ସକଳ ପ୍ରକାର ସ୍ୱଦେଶୀ ବିଦେଶୀ ଫସଲ ପର୍ଯ୍ୟାପ୍ତ ଉତ୍ପନ୍ନ ହୁଏ । ଆୟ ମଧ୍ୟ ପ୍ରଚୁର ହୁଏ । ଖମାରରେ କାର୍ଯ୍ୟ କରି ବହୁଲୋକ ପୋଷିତ ହୁଅନ୍ତି । କଳାହାଣ୍ଡି ଅବସ୍ଥାନ କାଳରେ ମୁଁ ଦେଖିଅଛି- ପ୍ରତ୍ୟହ ଖରାବେଳେ ମହାରାଜା ମହୋଦୟ ମୋଟରରେ ବସି ଖମାର ପରିଦର୍ଶନ କରିବାକୁ ଯାଆନ୍ତି । ସବୁବେଳେ ମୁଁ ତାଙ୍କୁ କର୍ମନିରତ ଦେଖିଅଛି । ଆଳସ୍ୟ ବା ବିଶ୍ରାମ ତାଙ୍କୁ ସ୍ପର୍ଶ କରିନାହିଁ । କର୍ମହିଁ ତାଙ୍କର ବିଶ୍ରାମ-କର୍ମହିଁ ବିଳାସ ବ୍ୟସନ । କର୍ମକୁ ସେ କ୍ରୀଡ଼ାକୌତୁକ ପରି ମଣନ୍ତି । ରାଜ୍ୟର ପ୍ରତି ବିଭାଗରେ ବହୁଳ ସୁଦକ୍ଷ କର୍ମଚାରୀ ନିଯୁକ୍ତ ଥିଲେ ସୁଦ୍ଧା ସମସ୍ତ କାର୍ଯ୍ୟ ସେ ସ୍ୱୟଂ ପରିଦର୍ଶନ କରନ୍ତି । ଏ ବିଳାସବ୍ୟସନ ଯୁଗରେ ଏଭଳି ଜଣେ କର୍ମନିଷ୍ଠ ଭୂପତି ବାସ୍ତବରେ ବିରଳ । ଏହା ଅତିରଞ୍ଜିତ ଉକ୍ତି ନୁହେ । ମହାରାଜା ମହୋଦୟ ଜଣେ ସାହିତ୍ୟପ୍ରେମୀ-। ଜାତୀୟ ସାହିତ୍ୟର ଅଭିବୃଦ୍ଧି ବିଷୟରେ ତାଙ୍କର ଦାନ ଅସାଧାରଣ । ଗୁଣର ଆଦର ତାଙ୍କ ନିକଟରେ ସୁଲଭ । ତାଙ୍କର ଉତ୍ସାହ ଓ ଦାନରେ କେତେକ ସତ୍‌ସାହିତ୍ୟ ପ୍ରକାଶିତ ହୋଇ ଉତ୍କଳ-ସାହିତ୍ୟ-ଭଣ୍ଡାରକୁ ପରିପୁଷ୍ଟ ଓ ସମୃଦ୍ଧ କରିଅଛି । ପ୍ରକୃତ କବି, ସାହିତ୍ୟିକମାନଙ୍କୁ ସେ ଶ୍ରଦ୍ଧାଚକ୍ଷୁରେ ଦେଖନ୍ତି । ଗୁଣଗ୍ରାହୀ ଗଭର୍ଣ୍ଣମେଣ୍ଟ ତାଙ୍କ ବିବିଧ ସଦ୍‌ଗୁଣରେ ମୁଗ୍‌ଧ ହୋଇ ତାଙ୍କୁ ପ୍ରଥମେ ଓ.ବି.ଇ. ଓ ପରେ ମହାରାଜା ଗୌରବ ଉପାଧିରେ ଅଳଙ୍କୃତ କରିଅଛନ୍ତି । ଉପାଧିଦ୍ୱୟ ମଧ୍ୟ ମହାରାଜାଙ୍କ ପବିତ୍ର ସ୍ପର୍ଶରେ ଗୌରବିତ ହୋଇଅଛନ୍ତି । କଳାହାଣ୍ଡି ତାଙ୍କୁ ସୌଭାଗ୍ୟ-ବିଧାତାରୂପେ ପାଇ ନିଜକୁ ଧନ୍ୟ ଓ କୃତାର୍ଥ ମଣିଅଛି । ଧର୍ମକାର୍ଯ୍ୟରେ ମଧ୍ୟ ପ୍ରଶଂସିତ ମହୋଦୟ ଚିର-ମୁକ୍ତହସ୍ତ । ଭାବନୀପାଟଣାର ଦେଉଳ-ବହୁଳତା ଓ ଦେବସେବାର ବିପୁଳ ବ୍ୟବସ୍ଥା ସେଥିର ଚାକ୍ଷୁଷ ପ୍ରମାଣ ପ୍ରଦର୍ଶନ କରୁଅଛି । ପ୍ରଜାସାଧାରଣ ତାଙ୍କର ପ୍ରଶଂସାରେ ଶତଚିହ୍ନ । ଭୁକ୍ତଭୋଗୀ ଆଶ୍ରିତ ବ୍ୟକ୍ତିମାନେ ଯାହାଙ୍କର ସୁଖ୍ୟାତି ରଟନା କରନ୍ତି, ସେହି ଏକା ପ୍ରକୃତ ପ୍ରଶଂସାର ପାତ୍ର । ସେ ପ୍ରତିଷ୍ଠା ଖୋଜନ୍ତି ନାହିଁ, ପ୍ରତିଷ୍ଠା ବଳେ ବଳେ ଆସି ତାଙ୍କ ନିକଟରେ ଶରଣ ପଶେ । ରାଜମୁକୁଟ ତାଙ୍କର ଭୂଷଣ ନୁହେ; ସେ ରାଜମୁକୁଟର ମହାର୍ହ ଭୂଷଣ । ନୃପତି ପ୍ରାଣରେ ଦେବାବତରଣ ତାଙ୍କରିଠାରେ ସମ୍ଭବ ଓ ସତ୍ୟ । ମହାରାଜାଙ୍କର ଦେବସୁଲଭ ସୁଗୁଣ କାହାଣୀ ବର୍ଣ୍ଣନା କରିବାକୁ ଗଲେ ଖଣ୍ଡିଏ ପ୍ରକାଣ୍ଡ ପୁସ୍ତକ ହେବ, ସୁତରାଂ ତାହା ଯଥାସମ୍ଭବ ସଂକ୍ଷେପରେ ଲିଖିତ ହେଲା । ଯେଉଁମାନେ ତାଙ୍କ ସହ ଥରେ ମାତ୍ର ସାକ୍ଷାତ୍‍ର ସୁବିଧା ପାଇଥିବେ, ସେହିମାନେ ହି ଏ ଉକ୍ତିର ଯାଥାର୍ଥ୍ୟ ନିଶ୍ଚୟ ସ୍ୱୀକାର କରିବେ ।

 

ଭବାନୀପାଟଣାରେ ଆଠଦିନ କଟିଗଲା । ତେତେବେଳକୁ ସେଠାରେ ଭୀଷଣ ଶୀତ । ମୁଁ ଆସିବା ସମୟରେ ଭଦ୍ରଖରେ ଆଦୌ ଶୀତ ପଡ଼ି ନ ଥିଲା, ଏଠାକୁ ଆସି ଶୀତ ଅନୁଭବ କଲି । ଏ ଅଞ୍ଚଳରେ ନଭେମ୍ବର ମାସରେ ଶୀତର ପ୍ରବଳତା ଅନୁଭୂତ ହୁଏ । ଡିସେମ୍ବର ପହିଲା ଦିନ ମହାରାଜାଙ୍କଠାରୁ ବିଦାୟ ନେଇ ଆସିଲି । ରାତି ଗୋଟାକବେଳେ କେସିଙ୍ଗା ଷ୍ଟେସନରେ ବିଜୟ-ନଗରଗାମୀ ରେଲ ଧରିବାକୁ ହେବ । ରାତି ୧୧ଟା ସମୟରେ ଡ୍ରାଇଭର ମୋଟର ଘେନି ଆସିଲା-। ଆମ୍ଭେମାନେ ସେଥିରେ ବସି କେସିଙ୍ଗା ଅଭିମୁଖରେ ଯାତ୍ରା କଲୁଁ । ପଥ ମଧ୍ୟରେ ଡ୍ରାଇଭର ତେଲୁଗୁ ଭାଷାରେ ଗୋଟିଏ ମଧୁର ସଙ୍ଗୀତ ଗାନ କଲା । ମୁଁ ପଚାରିଲି—ତୁମ୍ଭେ ତ ଓଡ଼ିଆ, ତେଲୁଗୁ ଗୀତ କେଉଁଠୁ ଶିଖିଲି ? ସେ କହିଲା—ନା ଆଜ୍ଞା, ମୁଁ ତେଲଙ୍ଗା । ଏହି ଡ୍ରାଇଭର ମୋତେ କେତେ ଥର ନେଇ କେତେ ସ୍ଥାନ ଦେଖାଇଛି । କଥାବାର୍ତ୍ତାରୁ ସେ ଜଣେ ଓଡ଼ିଆ ବୋଲି ମନେ କରିଥିଲି । ତାହାର ଉତ୍ତର ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି । ତେଲଙ୍ଗା ମୁହଁରେ ବିଶୁଦ୍ଧ ଓଡ଼ିଆ ଭାଷା ଉଚ୍ଚାରଣ ମୁଁ ଖୁବ୍‌ କମ୍‌ ଦେଖିଅଛି । କଥାବାର୍ତ୍ତା, ବ୍ୟବହାର ଓ ଶିଷ୍ଟାଚାରରୁ ବୋଧହେଲା, ଲୋକଟିର କିଛି ଶିକ୍ଷାଦୀକ୍ଷା ଅଛି । ସେ ଠିକ୍‌ ଓଡ଼ିଆ ପରି ଦିଶେ । ତାହାର ପୋଷାକ ପରିଚ୍ଛଦ ମଧ୍ୟ ଓଡ଼ିଆ ଭଦ୍ରବ୍ୟକ୍ତି ପରି । ଲୋକଟି ସବୁ ବିଷୟରେ ନିଜକୁ ଓଡ଼ିଆ କରି ନେଇଛି । ତାହାର ଏଭଳି ଏକାନ୍ତ ଓଡ଼ିଆ-ପ୍ରୀତି ଦେଖି ମନରେ ବିଶେଷ ଆନନ୍ଦ ଜାତ ହେଲା ।

 

ଠିକ୍‌ ରାତି ୧୨ଟା ବେଳେ ଆମ୍ଭେମାନେ କେସିଙ୍ଗା ଷ୍ଟେସନରେ ପହଞ୍ଚିଲୁଁ । ଗୋଟାକବେଳେ ଗାଡ଼ି ଆସିବ, ସୁତରାଂ ସେଠାରେ ଅପେକ୍ଷା କରିବାକୁ ହେବ । ସେ ଅଞ୍ଚଳର ରେଲ ଷ୍ଟେସନମାନଙ୍କରେ ବିଶ୍ରାମାଗାର ନାହିଁ । ଅଳ୍ପକାଳ ହେଲା ରେଲରାସ୍ତା ଫିଟିଥିବାରୁ ଷ୍ଟେସନର ସମସ୍ତ ଅଭାବ ପୂର୍ଣ୍ଣ ହୋଇନାହିଁ । ସେଠାରୁ ଡ୍ରାଇଭରକୁ ଫେରିଯିବା ପାଇଁ କହିବାରୁ ସେ କହିଲା—ମହାରାଜାଙ୍କର ଆଦେଶ ଅଛି—ଆପଣଙ୍କୁ ଗାଡ଼ିରେ ବସାଇଦେଇ ମୁଁ ଯିବି । ମହାରାଜାଙ୍କର ଏଭଳି ଆନୁକୂଲ୍ୟ ଶୁଣି ମୁଁ ନିଜକୁ କୃତାର୍ଥ ମଣିଲି । ବିଧାତା ଯାହାକୁ ଯେତେ ବଡ଼ କରନ୍ତି, ତାଙ୍କ ହୃଦୟ ସେତେ ସରସ କରନ୍ତି । ଗୋଟାକବେଳେ ଗାଡ଼ି ଆସିଲା । ଡ୍ରାଇଭର ଆମ୍ଭମାନଙ୍କୁ ଗାଡ଼ିରେ ବସାଇଦେଇ ବିଦାୟ ନେଇ ପ୍ରସ୍ଥାନ କଲା ।

Image